ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ‘ଆମ ଆଦମୀ ପାର୍ଟି’ ପ୍ରତିଷ୍ଠାତା ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଏବେ ଅବକାରୀ ନୀତି ଘୋଟାଲା ମାମଲାରେ ଗିରଫ ହୋଇ ବିଚାର ବିଭାଗୀୟ ଜେଲରେ ଅଛନ୍ତି । କେଜ୍ରିଓ୍ବାଲଙ୍କ ଅନୁପସ୍ଥିତିରେ ପତ୍ନୀ ସୁନିତା ରାଜନୀତିରେ ପ୍ରବେଶ କରିସାରିଛନ୍ତି । ‘ଇଣ୍ଡିଆ’ ମେଣ୍ଟର ରାମଲୀଳା ମୈଦାନ କାର୍ଯ୍ୟକ୍ରମରେ ସୁନିତାଙ୍କୁ ବେଶ ସକ୍ରିୟତାର ସହ ଦେଖିବାକୁ ମିଳିଥିଲା । ଏବେ ସୁନିତାଙ୍କୁ ନିର୍ବାଚନୀ ପ୍ରଚାରରେ ମଧ୍ୟ ଦେଖିବାକୁ ମିଳିବ । ଆଜି ସୁନିତା ଆମ ଆଦମୀ ପାର୍ଟିର ପୂର୍ବ-ଦିଲ୍ଲୀ ଲୋକସଭା ପ୍ରାର୍ଥୀ କୁଲଦୀପ କୁମାରଙ୍କ ପାଇଁ ରୋଡ ସୋ’ କରିବେ । ଏହା ସୁନିତାଙ୍କର ପ୍ରଥମ ନିର୍ବଚନୀ ରୋଡ ସୋ’ ହେବାକୁ ଯାଉଛି । ସୁନିତା ଏହି ରାଲିର ନେତୃତ୍ବ ନେବାକୁ ଥିବା ବେଳେ ତମାମ ଦଳୀୟ ନେତା ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ । କେବଳ ଦିଲ୍ଲୀ ନୁହେଁ ବରଂ ସୁନିତା ପରବର୍ତ୍ତୀ ସମୟରେ ଅନ୍ୟ ଏକାଧିକ ରାଜ୍ଯରେ ମଧ୍ୟ ଦଳର ନିର୍ବାଚନୀ ମଙ୍ଗ ଧରିବା ନେଇ ଦଳୀୟ ସୂତ୍ରରୁ ସୂଚନା ମିଳିଛି ।
ଆଜି ସୁନିତାଙ୍କ ନିର୍ବାଚନୀ ରାଲିରେ ଅଂଶଗ୍ରହଣ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଅତିଶୀ କହିଥିଲେ, ‘‘କେଜ୍ରିଓ୍ବାଲ ଏବେ ଜେଲରେ ଅଛନ୍ତି । ତାଙ୍କ ଗିରଫଦାରୀ ବିରୋଧରେ ମଧ୍ୟ ପ୍ରତିବାଦ ଜାରି ରହିଛି, ଆଗକୁ ମଧ୍ୟ ଜାରି ରହିବ । କେଜ୍ରିଓ୍ବାଲଙ୍କ ପତ୍ନୀ ସୁନିତା ଭୋଟରଙ୍କ ଆଶୀର୍ବାଦ ପାଇଁ ନିର୍ବାଚନୀ ରାଲିରେ ଅଂଶଗ୍ରହଣ କରିବେ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । କେବଳ ଦିଲ୍ଲୀରେ ନୁହେଁ, ବରଂ ଗୁଜୁରାଟ, ପଞ୍ଜାବ, ହରାୟାଣାରେ ମଧ୍ୟ ଦଳ ପାଇଁ ପ୍ରଚାର କରିବେ ।"
ଗତମାସରେ ସୁନିତାଙ୍କୁ ପ୍ରଥମ ଜାତୀୟ ରାଜନୈତିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା । କେଜ୍ରିଓ୍ବାଲଙ୍କ ଗିରଫଦାରୀକୁ ପ୍ରତିବାଦ କରି ବିରୋଧୀଙ୍କ ‘ଇଣ୍ଡିଆ’ ମେଣ୍ଟ ରାମଲୀଳା ମୈଦାନରେ ଯେଉଁ ମହାରାଲି ଆୟୋଜନ କରିଥିଲା, ସେଥିରେ ସୁନିତା ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । କେଜ୍ରିଓ୍ବାଲ ଜେଲରୁ ପଠାଇଥିବା ବାର୍ତ୍ତା ପାଠ କରିବା ସହ ‘ଇଣ୍ଡିଆ’ ମେଣ୍ଟ ପକ୍ଷରୁ ସେ 6ସୂତ୍ରୀ ଗ୍ୟାରେଣ୍ଟି ମଧ୍ୟ ଘୋଷଣା କରିଥିଲେ ସୁନିତା । ଜମି ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ମଧ୍ୟ ସୁନିତାଙ୍କ ସହ କାର୍ଯ୍ୟକ୍ରମରେ ସାମିଲ ହୋଇ ବିଜେପି ଉପରେ ବର୍ଷିଥିଲେ । ଏବେ ନିର୍ବାଚନୀ ମୈଦାନରେ ମଧ୍ୟ ସ୍ବାମୀ କେଜ୍ରିଓ୍ବାଲଙ୍କ ସ୍ଥାନରେ ଦଳୀୟ ପ୍ରଚାରର ମଙ୍ଗ ଧରିବେ ପତ୍ନୀ ସୁନିତା ।