ଭୁବନେଶ୍ବର: ବିଜେଡିରେ ଯୋଗ ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାର ବଣାଁଇ କିଶାନ ସମାଜର ସଭାପତି ଓ ସମ୍ପାଦକଙ୍କ ସମେତ ୨ ହଜାରରୁ ଊର୍ଦ୍ଧ୍ବ କର୍ମୀ । ଶଙ୍ଖ ଭବନରେ ଆଜି ମନ୍ତ୍ରୀ ତଥା ସୁନ୍ଦରଗଡ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡାଇଙ୍କ ଉପସ୍ଥିତରେ ହୋଇଛି ମିଶ୍ରଣ କାର୍ଯ୍ୟକ୍ରମ । ସୁନ୍ଦରଗଡ ଜିଲ୍ଲାର ସହ-ପର୍ଯ୍ୟବେକ୍ଷକ ଦେବାଶିଷ ମଲ୍ଲିକ ଓ ବଣାଁଇ ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଷ୍ଟାଲିନ ପରିଜାଙ୍କ ଉପସ୍ଥିତିରେ ସେମାନେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ ହୋଇଥିବା ସମସ୍ତ କିଶାନ ସମାଜ କର୍ମୀଙ୍କୁ ବିଜେଡି ନେତା ଉପଢୌକନ ଦେଇ ଦଳକୁ ସ୍ବାଗତ କରିଛନ୍ତି । କିଶାନ ସମାଜର ଯୋଗଦାନ ଫଳରେ ବିଶେଷ କରି ସୁନ୍ଦରଗଡ ଜିଲ୍ଲାରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ସେମାନେ କହିଛନ୍ତି ।
ସୁନ୍ଦରଗଡ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡାଇ କହିଛନ୍ତି, "କିଶାନ ସମାଜର ସମସ୍ତ ନେତୃବୃନ୍ଦ ଆଜି ଦଳରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବେ । ବିଜେଡିରେ ସାମିଲ ହୋଇଥିବା ବଣାଁଇ କିଶାନ ସମାଜ ସଭାପତି ରତ୍ନାକର କିଶାନ କହିଛନ୍ତି, "ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଲୁ । ଦଳ ଆଗକୁ ଯାହା ଦାୟିତ୍ବ ଦେବ, ତାକୁ ସୂଚାରୁ ରୂପେ ତୁଲାଇବୁ । ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।"