ଓଡିଶା

odisha

ETV Bharat / politics

ଜିଲ୍ଲା ସଭାପତି ପରିବର୍ତ୍ତନ ନେଇ ରାଜନୀତି ଜୋର୍, କେନ୍ଦ୍ରାପଡ଼ା ବିଜେଡିରେ ତେଜୁଛି ଗୋଷ୍ଠୀ କନ୍ଦଳ

Change In Dist President Of BJD : ମଙ୍ଗଳବାର ଦିନ ଅପ୍ରତ୍ୟାଶିତ ଭାବରେ ପରିବର୍ତ୍ତନ ହୋଇଛନ୍ତି କେନ୍ଦ୍ରପଡା ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡ଼ା । ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଅନୁଗତ ତଥା ଆଇନଜୀବୀ ଧୀରେନ କୁମାର ସାହୁଙ୍କୁ ନୂଆ ସଭାପତି ଭାବେ ଦାୟିତ୍ଵ ଦିଆଯାଇଛି । ଅଧିକ ପଢନ୍ତୁ

By ETV Bharat Odisha Team

Published : Feb 22, 2024, 5:20 PM IST

ଜିଲ୍ଲା ସଭାପତି ପରିବର୍ତ୍ତନକୁ ନେଇ ରାଜନୀତି ଜୋର୍, କେନ୍ଦ୍ରାପଡ଼ା ବିଜେଡିରେ ତେଜୁଛି ଗୋଷ୍ଠୀ କନ୍ଦଳ
ଜିଲ୍ଲା ସଭାପତି ପରିବର୍ତ୍ତନକୁ ନେଇ ରାଜନୀତି ଜୋର୍, କେନ୍ଦ୍ରାପଡ଼ା ବିଜେଡିରେ ତେଜୁଛି ଗୋଷ୍ଠୀ କନ୍ଦଳ

ଜିଲ୍ଲା ସଭାପତି ପରିବର୍ତ୍ତନକୁ ନେଇ ରାଜନୀତି ଜୋର୍, କେନ୍ଦ୍ରାପଡ଼ା ବିଜେଡିରେ ତେଜୁଛି ଗୋଷ୍ଠୀ କନ୍ଦଳ

କେନ୍ଦ୍ରାପଡ଼ା:ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ରାପଡ଼ା ରାଜନୈତିକ ମହଲରେ ହଟଚମଟ । ଅପ୍ରତ୍ୟାଶିତ ଭାବରେ ପରିବର୍ତ୍ତନ ହୋଇଛନ୍ତି କେନ୍ଦ୍ରପଡା ଜିଲ୍ଲା ବିଜେଡି ସଭାପତି । ଉତ୍କଳ କେଶରୀ ପରିଡ଼ାଙ୍କୁ ଜିଲ୍ଲା ସଭାପତି ପଦବୀରୁ ହଟାଇ ଦଳ ବରିଷ୍ଠ ନେତା ଆଇନଜୀବୀ ଧୀରେନ କୁମାର ସାହୁଙ୍କୁ ନୂଆ ସଭାପତି ଭାବେ ଦାୟିତ୍ଵ ପ୍ରଦାନ କରିଛି । ଏହି ରାଜନୈତିକ ପଦ ପରିବର୍ତ୍ତନ ପରେ ଜିଲ୍ଲାରେ ନିର୍ବାଚନୀ ପରିବେଶ ଉଷ୍ମ ହୋଇ ଉଠିଛି । ସୂଚନାଯୋଗ୍ୟ ଯେ ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡା ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଛାଡି ବିଜେଡିରେ ଯୋଗଦାନ କରିଥିଲେ । କିନ୍ତୁ ଏବେ ତାଙ୍କ ସ୍ଥାନରେ କେନ୍ଦ୍ରାପଡା ପୌର ପରିଷଦର ପୂର୍ବତନ ପୌରାଧ୍ୟକ୍ଷ ଧୀରେନ କୁମାର ସାହୁ ଧରିବେ ଦଳର ମଙ୍ଗ ।

ଏହା ମଧ୍ୟ ପଢନ୍ତୁ...ମହାକାଳପଡ଼ାରେ ଅତନୁଙ୍କୁ ଚେକ୍ ଦେବା ପଡ଼ିଲା ମହଙ୍ଗା, ବିଜେଡିରୁ ନିଲମ୍ବିତ ଚିତ୍ତରଞ୍ଜନ

ଗୋଟିଏ ପଟେ ଧୀରେନଙ୍କର ଜିଲ୍ଲା ରାଜନୀତିରେ ବେଶ୍ ଅଭିଜ୍ଞତା ରହିଥିବା ବେଳେ ସେ ଏକାଧାରରେ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ଅନୁଗତ ଏବଂ ପାଟକୁରାର ପୂର୍ବତନ ବିଧାୟକ ଦିବଂଗତ ବେଦପ୍ରକାଶ ଅଗ୍ରୱାଲଙ୍କ ଘନିଷ୍ଠ । ତେବେ ମୁଣ୍ଡ ଉପରେ ନିର୍ବାଚନ ଥିବା ବେଳେ ହଠାତ ସଭାପତି ବଦଳ ନିଷ୍ପତ୍ତି କେନ୍ଦ୍ରାପଡ଼ା ରାଜନୀତିରେ କମ୍ପନ ସୃଷ୍ଟି କରିଛି । ବିଦାୟୀ ସଭାପତି ଉତ୍କଳ କେଶରୀ ପରିଡା ବିଗତ କିଛି ମାସ ଧରି ବିଭିନ୍ନ କାରଣ ପାଇଁ ବିବାଦୀୟ ହୋଇ ପଡ଼ିଥିଲେ । ପାଟକୁରା ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ଆଶାୟୀ କୁହାଯାଉଥିବା ଉତ୍କଳ କେଶରୀ ପରିଡ଼ା "ଡେରାବିଶ୍ ଅସ୍ମିତା, ପାଟକୁରା ସ୍ଵାଭିମାନୀ ମଞ୍ଚ" ଗଠନର ମୁଖ୍ୟ ପୁରୋଧା କୁହାଯାଉଥିବା ବେଳେ ପୂର୍ବତନ ବିଧାୟକ ବେଦପ୍ରକାଶଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗ ଆସିଥିଲା । ତେଣୁ ବେଦପ୍ରକାଶଙ୍କ ସମର୍ଥକ ମାନେ ତାଙ୍କର କୁଶ ପୁତ୍ତଳିକା ଦାହ କରିଥିଲେ ଯାହାକି ପାଟକୁରାରେ ବିଜେଡିର ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଥିଲା । ଏପରିକି ପାଟକୁରା ବିଧାୟିକାଙ୍କ ପ୍ରତିନିଧିଙ୍କୁ ଜଣେ କ୍ରିମିନାଲ ସମ୍ବୋଧନ କରି ବିଜେଡି ସଭାପତିଙ୍କ ଦଳୀୟ ଶୃଙ୍ଖଳା ଭଙ୍ଗ କରୁଥିବା ନଜିର ରହିଥିଲା ।

ତେବେ ବିଜେଡି କେବଳ ଜିଲ୍ଲା ସଭାପତି ବଦଳାଇ ନାହିଁ ବରଂ ମହାକାଳପଡା ଯୁବ ବିଜେଡ଼ି ନେତା ଚିତ୍ତରଞ୍ଜନ ଦାସଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିସ୍କାର କରିଛି । ତେବେ ଚଳିତ ନିର୍ବାଚନରେ ବିଜୟୀ ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରୁଥିବା ସାମ୍ନାକୁ ଆସୁଛି । ଏହି ସବୁ ଘଟଣା ନିର୍ବାଚନ ସମୟରେ ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହେବାର ଅନୁମାନ କରାଯାଉଛି ।ତେବେ ନିର୍ବାଚନ ଆଗରୁ ଦଳ ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ପୁର୍ବରୁ କଂଗ୍ରେସ ନେତା ଅଂଶୁମାନ ମହାନ୍ତି ଦଳ ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ଏବେ ବିଭିନ୍ନ ଦଳର ବରିଷ୍ଠ ନେତା ଦଳ ବଦଳ କରିବା ନେଇ ଚର୍ଚ୍ଚା ଜୋର ଧରିଛି । ଏମିତିକି କେତେ ଜଣ ଅସନ୍ତୁଷ୍ଟ ପୂର୍ବତନ ବିଧାୟକ ଜାତୀୟ ଦଳ ସହ ଯୋଗାଯୋଗରେ ଥିବା ନେଇ ଆଲୋଚନା ହେଉଥିବା ବେଳେ ବିଜେପି ଓ କଂଗ୍ରେସର କିଛି ରାଜନେତା ନିର୍ବାଚନ ପୁର୍ବରୁ ଅସନ୍ତୁଷ୍ଟ ହୋଇ ବିଜେଡି ଦଳରେ ଯୋଗ ଦେବାର ସମ୍ଭାବନା ରହିଛି । ଫଳରେ ଜିଲ୍ଲା ରାଜନୀତିରେ ଏକ ନୂତନ ସମୀକରଣ ସୃଷ୍ଟି ହେବାର ଚିତ୍ର ସ୍ପଷ୍ଟ ସମ୍ଭାବନା ରହିଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details