ଭୁବନେଶ୍ବର: ଓଡିଶା ପ୍ରଦେଶ କଂଗ୍ରେସର ୯ରୁ ୯୦ ସଂକଳ୍ପକୁ ଧୂଳିସାତ କଲା ୨୦୨୪ ସାଧାରଣ ନିର୍ବାଚନର ଜନମତ । ଦଳର ଶୋଚନୀୟ ବିପର୍ଯ୍ୟୟ ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ ଓ ପ୍ରଭାରୀ ଅଜୟ କୁମାର ଏକ ସାମ୍ବାଦିକ ସମ୍ମିଳନୀ କରି ଦଳୀୟ କର୍ମୀଙ୍କୁ ସାନ୍ତ୍ବନା ଦେଲେ, ଆଉ ନୈତିକତା ଦୃଷ୍ଟିରୁ ନିର୍ବାଚନରେ ଖରାପ ପ୍ରଦର୍ଶନ ପାଇଁ ନିଜକୁ ଦାୟୀ କଲେ ଶରତ । ସେପଟେ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ କାରଣରୁ ନୀତି ଏବଂ ନୈତିକତାର ଦୃଷ୍ଟିରୁ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ । ଭକ୍ତଙ୍କ ଇସ୍ତଫା ପରେ ପିସିସି ସଭାପତି ଶରତ ପଟ୍ଟନାୟକ ନିଜ ଉପରକୁ ଉତ୍ତରଦାୟିତ୍ବ ନେଇ କେବେ ଇସ୍ତଫା ଦେବେ, ତାକୁ ନେଇ ଏବେ ଦଳରେ ଚାପା ଅସନ୍ତୋଷ ମୁଣ୍ଡ ଟେକିଛି । ଦଳକୁ ସୁସଂଗଠିତ କରିବା ପାଇଁ ଦଳର ପୁନର୍ବିନ୍ୟାସ ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ।
ନିର୍ବାଚନରେ ପ୍ରଭାରୀ ଅଜୟ କୁମାର ଏବଂ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇ କଂଗ୍ରେସରୁ ବିଦା ହୋଇଥିବା ନେତା ମାନସ ଚୌଧୁରୀଙ୍କୁ ଦଳରୁ ବେଶ ସମର୍ଥନ ମିଳୁଥିବା ଦେଖିବାକୁ ମିଳୁଛି । ଏହାପରେ ଏବେ ଶରତଙ୍କ ଇସ୍ତଫା କେବେ ବୋଲି ପ୍ରଶ୍ନ ଉଠିଛି । ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେ କାର୍ଯ୍ୟାନୁଷ୍ଠାନ ଭୟରେ କେହି ସାହସ କରୁନାହାନ୍ତି ସତ, ହେଲେ ଦଳ ଭିତରେ ଚାପା ଗୁଞ୍ଜରଣର ଆଭାସ ମିଲିଲାଣି । କଂଗ୍ରେସର ଏଭଳି ବିପର୍ଯ୍ୟୟ ପାଇଁ ରାଜ୍ୟ ନେତୃତ୍ବ ଦାୟୀ ବୋଲି ରାଜନୀତି ସମୀକ୍ଷକ ମତ ଦେଇଛନ୍ତି । ତେବେ ଏହାର ତୁରନ୍ତ ସମାଧାନ ଆବଶ୍ୟକତା ରହିଛି । ଫଳରେ ଆଗାମୀ ଦିନରେ ଦଳ ଅଧିକ ସୁଦୃଢ ହେବ । କାରଣ ଆଗାମୀ ଦିନରେ ଓଡ଼ିଶାରେ କଂଗ୍ରେସ ହିଁ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା ହେବ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ।
ରବି ଦାସ କହିଛନ୍ତି, "କଂଗ୍ରେସର ପୁନର୍ଗଠିତ କମିଟି ହେଲେ ଦଳ ଅଧିକ ସଂଗଠିତ ହେବ । ଯେଉଁମାନେ ନୂଆକରି ଆସିଛନ୍ତି ସେମାନଙ୍କ ମନୋବଳ ବୃଦ୍ଧି ପାଇବ । ଦଳ ଯେଉଁଭଳି ଭାବରେ ବିପର୍ଯ୍ୟୟର ସମ୍ମୁଖୀନ ହେଲା, ଭକ୍ତ ଦାସ ନିଜ ଦାୟିତ୍ବରୁ ଇସ୍ତଫା ଦେଲେ । ୨୦୧୯ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପରେ ତତ୍କାଳୀନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜ ପଦରୁ ଇସ୍ତଫା ଦେଇଥିଲେ । ନିୟମ ହେଉଛି, ଯେଉଁମାନେ ରାଜ୍ୟର ନିର୍ବାଚନ ପରିଚାଳନା ଦାୟିତ୍ବ ନେଇଥିଲେ, ଟିକଟ ବଣ୍ଟନଠାରୁ ସମସ୍ତ ବିଷୟ ବୁଝୁଥିଲେ, ସେମାନେ ପରାଜୟର ଉତ୍ତରଦାୟିତ୍ବ ନେଇ ଇସ୍ତଫା ଦେବା କଥା । ଏପରିକି ଏଆଇସିସି ମଧ୍ୟ ପ୍ରଭାରୀଙ୍କୁ ପ୍ରତ୍ୟାହାର କରି ନୂଆ ପ୍ରଭାରୀ ନିଯୁକ୍ତ କରିବା କଥା । ଏକଥା ନକରିବା ଫଳରେ ଦଳ ଭିତରେ ଅନେକ କଥା ଆଲୋଚନା ହେଉଛି । ଯାହା ଦଳର କ୍ଷତି କରୁଛି । ନିର୍ବାଚନରେ ପ୍ରାର୍ଥୀମାନଙ୍କୁ ଅର୍ଥ ଦେଲେନାହିଁ, ସମ୍ବଳ ସଂକଟରୁ ଦୟନୀୟ ସ୍ଥିତି ଉପୁଜିଲା । ସାଧାରଣରେ ଦଳର ଛବି ଖରାପ ହେଉଛି । ନିଜଆଡୁ ଦାୟିତ୍ବ ନେବା ଦରକାର । ଓଡ଼ିଶାରେ କଂଗ୍ରେସର ପୁନର୍ବିନ୍ୟାସ ଅତ୍ୟନ୍ତ ଜରୁରୀ । ଓଡ଼ିଶାରେ କଂଗ୍ରେସ ଗତ ନିର୍ବାଚନରେ ବହୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ରାଜନୀତିରେ ରୁଚି ରଖୁଥବା ଯେକୌଣସି ଲୋକ ଅନୁଭବ କରି ପରୁଥିବ ଯେ ଆଗାମୀ ଦିନରେ କଂଗ୍ରେସ ହିଁ ରାଜ୍ୟରେ ଏକ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା ହେବ ।"