ରାଇରଙ୍ଗପୁର: ମୁଣ୍ଡ ଉପରେ ନିର୍ବାଚନ । ଏହାରି ଭିତରେ ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ । ପୂର୍ବତନ ପୋଲିସ ଅଧିକାରୀ ରାଇସେନ ମୁର୍ମୁଙ୍କୁ ମିଳିଛି ବିଜେଡି ଟିକେଟ୍ । ଗତକାଲି (ଶୁକ୍ରବାର) ନାଁ ଘୋଷଣା ପରେ ରାଇରଙ୍ଗପୁର ବିଜେଡ଼ି କର୍ମୀ ମହଲରେ ଖୁସିର ବାତାବରଣ ଖେଳିଯାଇଛି । ପ୍ରଥମ କରି ନିର୍ବାଚନୀ ମୈଦାନକୁ ଓହ୍ଲାଉଥିବାରୁ ରାଇସେନ ମୁର୍ମୁ ଅତ୍ୟନ୍ତ ଉତ୍ସାହିତ ଥିବାବେଳେ ତାଙ୍କ ଉପରେ ଭରସା କରିଥିବାରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମେତ ସଂଗଠନର ସମସ୍ତ ନେତୃମଣ୍ଡଳୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିକାଶ ଉପରେ ଧ୍ୟାନ ଦେବେ । ମୁଖ୍ୟତଃ ଅଞ୍ଚଳର ଶିକ୍ଷା ଏବଂ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅଧିକ ପ୍ରାଥମିକତା ରହିବ ବୋଲି ସେ କହିଛନ୍ତି ।
ରାଇସେନଙ୍କ ବିଷୟରେ କିଛି ତଥ୍ୟ: ରାଇସେନ ମୁର୍ମୁ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପାଇଁ ସମ୍ପୂର୍ଣ୍ଣ ନୂଆ ଚେହେରା ହୋଇଥିବା ବେଳେ ସେ ରାଇରଙ୍ଗପୁର ବ୍ଲକ ଗୁହାଳଡାଙ୍ଗରୀ ପଞ୍ଚାୟତ ଅନ୍ତର୍ଗତ ବାଲିଆବାଦି ଗାଁରେ ଜନ୍ମଗ୍ରହଣ କରିଥିଲେ । ସେ ହେଉଛନ୍ତି ରତନ ମୁର୍ମୁ ଓ ସ୍ବର୍ଗତ କାର୍ମୀ ମୁର୍ମୁଙ୍କ ପୁଅ । ରାଇସେନ ମାମୁଁ ଘରେ ରହି କୋରାପୁଟ ନବୋଦୟ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ । ପରେ ସେ ଜୟପୁର ଡିଏଭି କଲେଜରେ ଯୁକ୍ତ ଦୁଇ ଶିକ୍ଷା ଗ୍ରହଣ ପରେ ବାରିପଦା ଏମପିସି ସ୍ବଂୟଶାସିତ କଲେଜରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ୨୦୦୦ ମସିହାରେ ପୋଲିସ ଏସଆଇ ଭାବେ ଗଜପତି ଜିଲ୍ଲାରେ ନିଯୁକ୍ତି ପାଇଥିଲେ ।