ହାଇଦ୍ରାବାଦ: ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ସାମନାକୁ ଆସିଲା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ଼ ବୟାନ । ଏକ ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ଦେଇ ମେଣ୍ଟ ପ୍ରସଙ୍ଗରେ କହିଛନ୍ତି ଶାହ । ଚଳିତ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ଶାହ । ତେବେ ମେଣ୍ଟ ପ୍ରସଙ୍ଗକୁ ନେଇ ଶାହ କହିଛନ୍ତି, "ମେଣ୍ଟ ନେଇ ଏଯାଏଁ କୌଣସି ନିଷ୍ପତ୍ତି ହୋଇନାହିଁ । ଉଭୟ ଲୋକସଭା ଓ ବିଧାନସଭାରେ ଭଲ ପ୍ରଦର୍ଶନ କରିବ ଦଳ । ଓଡ଼ିଶାରେ ବିଜେପି ସ୍ଥିତିରେ ସୁଧାର ଆସିବ । ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରୀୟ ଅଧ୍ୟକ୍ଷ ଏନେଇ କିଛି ନିଷ୍ପତ୍ତି ନେଇ ନାହାଁନ୍ତି । ରାଜନୀତି କୌଣସି ଦର୍ଶନ ଶାସ୍ତ୍ର ନୁହେଁଷ । ଆମେ ହାର୍ଡକୋର ପଲିଟିକ୍ସରେ ବିଶ୍ବାସ କରୁ ।"
"ଓଡ଼ିଶାରେ କିପରି ଦଳ ଆଗକୁ ବଢିବ ସେନେଇ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଚାର କରୁଛନ୍ତି । ଯେମିତି ବି ଆଗକୁ ବଢୁ ନା କାହିଁକି ଦଳ ଏଥର ଓଡ଼ିଶାରେ ଭଲ ପ୍ରଦର୍ଶନ କରିବା ନିଶ୍ଚିତ । ଦଳର ଆଦର୍ଶ ଓ ହାର ଜିତ୍ ଭଳି ଦୁଇଟି ଦିଗକୁ ବିଚାରକୁ ନିଆଯାଇ ଦଳ ନିଷ୍ପତ୍ତି ନେବ" ବୋଲି ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି ଅମିତ ଶାହ । ମେଣ୍ଟ ପ୍ରସଙ୍ଗକୁ ନେଇ ଓଡ଼ିଶା ରାଜନୀତି ବର୍ତ୍ତମାନ ସରଗରମ ରହିଥିବାବେଳେ ଶାହଙ୍କ ଏଭଳି ବୟାନ ମେଣ୍ଟ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । ତେବେ ଦୀର୍ଘ ଦିନ ଧରି ବିଜେଡି-ବିଜେପି ମେଣ୍ଟ ହେବ ନା ନାହିଁ ସେନେଇ ସସପେନ୍ସ ଲାଗି ରହିଥିବାବେଳେ ଏଯାଏଁ ନିଷ୍କର୍ସ ବାହାରିପାରିନାହିଁ ।