ଓଡିଶା

odisha

ETV Bharat / politics

ରାଜ୍ୟସଭା ନିର୍ବାଚନ: ଆଜି ନାମାଙ୍କନ ଭରିବେ ଶୁଭାଶିଷ-ଦେବାଶିଷ, ଉପସ୍ଥିତ ରହିବେ ନବୀନ - BJD candidates file nomination

Rajya Sabha Election 2024: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ଭରିବେ ବିଜେଡିର ଦୁଇ ପ୍ରାର୍ଥୀ ଶୁଭାଶିଷ ଓ ଦେବାଶିଷ । ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ରାଜ୍ୟସଭା ନିର୍ବାଚନ
Rajya Sabha Election

By ETV Bharat Odisha Team

Published : Feb 13, 2024, 8:01 AM IST

Updated : Feb 13, 2024, 9:11 AM IST

ରାଜ୍ୟସଭା ନିର୍ବାଚନ

ଭୁବନେଶ୍ୱର/ପୁରୀ: ରାଜ୍ୟସଭା ନିର୍ବାଚନ ପାଇଁ ଆଜି (ମଙ୍ଗଳବାର) ନାମାଙ୍କନ ଭରିବେ ବିଜେଡି ପ୍ରାର୍ଥୀ ଶୁଭାଶିଷ ଖୁଣ୍ଟିଆ ଓ ଦେବାଶିଷ ସାମନ୍ତରାୟ । ମଧ୍ୟାହ୍ନ 12ଟା 30ରେ ନାମାଙ୍କନ ଭରିବା ସମୟରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଉପସ୍ଥିତ ରହିବେ । ବରିଷ୍ଠ ନେତା ଓ ବିଧାୟକ ମଧ୍ୟ ଉପସ୍ଥିତ ରହିବେ । ଏଥିପାଇଁ ଦଳ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ଅନ୍ୟପଟେ ଖୁବଶୀଘ୍ର ତୃତୀୟ ଆସନ ପାଇଁ ମଧ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ ଦଳ । ଏହା ସମସ୍ତଙ୍କୁ ଅଧିକ ସରପ୍ରାଇଜ କରିବ ବୋଲି ଚର୍ଚ୍ଚା ହେଉଛି । ଦେବାଶିଷ ମା' କଟକ ଚଣ୍ଡୀଙ୍କୁ ଓ ଶୁଭାଶିଷ ମହାପ୍ରଭୁଙ୍କୁ ଦର୍ଶନ କରି ଆଜି ନାମାଙ୍କନ ଭରିବେ ।

ରାଜ୍ୟସଭା ନିର୍ବାଚନ ପାଇଁ ଦୁଇ ଜଣ ପ୍ରାର୍ଥୀଙ୍କ ନାମ ସୋମବାର ରାତିରେ ଘୋଷଣା କରିଥିଲା ବିଜେଡି । 3ଟି ଆସନ ମଧ୍ୟରୁ 2ଟି ଆସନ ପାଇଁ ନାମ ଘୋଷଣା ହୋଇଥିଲା । ସବୁ ଚର୍ଚ୍ଚାର ଅନ୍ତ ଘଟାଇ ସରପ୍ରାଇଜ କାର୍ଡ ଖେଳିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯୁବନେତା ଶୁଭାଶିଷ ଖୁଣ୍ଟିଆ ଓ ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟଙ୍କ ନାମ ଘୋଷଣା କରିଥିଲା ଶାସକ ଦଳ । ଦେବାଶିଷ କଟକ-ବାରବାଟୀର ପୂର୍ବତନ ବିଧାୟକ ହୋଇଥିବାବେଳେ ବିଜେଡି ଯୁବମୋର୍ଚ୍ଚା ଉପସଭାପତି ଅଛନ୍ତି ସୁଭାଶିଷ ।

ଏହା ମଧ୍ୟ ପଢନ୍ତୁ-ନବୀନଙ୍କ ସରପ୍ରାଇଜ କାର୍ଡ: ଶୁଭାଶିଷ ଖୁଣ୍ଟିଆ ଓ ଦେବାଶିଷ ସାମନ୍ତରାୟ ରାଜ୍ୟସଭା ପ୍ରାର୍ଥୀ

ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ତାଙ୍କ ସମର୍ଥକମାନେ ବେଶ ଖୁସି ପ୍ରକାଶ କରିଛନ୍ତି । ମହାପ୍ରଭୁ ଶ୍ରଜଗନ୍ନାଥ ତାଙ୍କୁ ଆଶୀର୍ବାଦ କରିଥିବା ଶୁଭାଶିଷଙ୍କ ସମର୍ଥକ କହିଛନ୍ତି । ସମର୍ଥକମାନେ କହିଛନ୍ତି, ''ସେ ହେଉଛନ୍ତି ଯୋଗ୍ୟ ବ୍ୟକ୍ତି । ରାଜ୍ୟବାସୀଙ୍କ ସେବା କରିବା ସହ ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ସଂସଦରେ ରଖିପାରିବେ । ସେ ଖୁବ୍ ପରୋପକାରୀ । ସବୁବେଳେ ସମାଜ ସେବା କରନ୍ତି ଓ ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଦିଅନ୍ତି । ତାଙ୍କ ଭଳି ଯୋଗ୍ୟ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ରାଜ୍ୟସଭା ସାଂସଦ ପାଇଁ ମନୋନୀତ କରିବା ବହୁତ ବଡ କଥା ।''

ଶୁଭାଶିଷଙ୍କ ରାଜନୈତିକ ଜୀବନ:2002ରେ ପ୍ରଥମେ ଶୁଭାଶିଷ ଛାତ୍ର ରାଜନୀତିରେ ପ୍ରବେଶ କରିଥିଲେ । 2004ରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ଭାବେ ଦାୟିତ୍ଵ ନେଇଥିଲେ । ପରେ 2007ରେ ପୁରୀ ଗଙ୍ଗାଧର ମେହେର ଆଇନ କଲେଜରେ ଛାତ୍ର ସଂସଦ ସଭାପତି ଭାବେ କାର୍ଯ୍ୟ କରିଥିଲେ । 2011ରେ ରାଜ୍ୟ ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ, 2014ରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ପୁରୀ ଜିଲ୍ଲା ସଂଯୋଜକ, 2020ରେ ଓଡ଼ିଶା ମୋ ପରିବାର ପୁରୀ ଜିଲ୍ଲା ସଂଯୋଜକ ସହିତ ନୟାଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ଵ ତୁଲାଇଥିଲେ ।

ଦଳୀୟ କନ୍ଦଳକୁ ପ୍ୟାଚ ପକାଇବାକୁ ଉଦ୍ୟମ:ଗତ କିଛି ବର୍ଷ ହେବ ପୁରୀରେ ସ୍ୱର୍ଗତ ମହେଶ୍ଵର ମହାନ୍ତି ଓ ଶୁଭାଶିଷଙ୍କ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା । ଶୁଭାଶିଷ ନିଜର ଅଲଗା ସଙ୍ଗଠନ କରି ଦଳୀୟ କାର୍ଯ୍ୟ କରୁଥଲେ । ଏପରିକି କିଛି ସଭା ସମିତିରେ ପୁରୀର ପୂର୍ବତନ ବିଧାୟକ ସ୍ୱର୍ଗତ ମହେଶ୍ଵର ମହାନ୍ତି ଓ ଶୁଭାଶିଷଙ୍କ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥଲା । ଫଳରେ ବିଜେଡ଼ିର ଚିନ୍ତା ବଢ଼ି ଯାଇଥିଲା । ତେବେ ମହେଶ୍ଵରଙ୍କ ମୃତ୍ୟୁ ପରେ ଶୁଭାଶିଷ ଅନେକ ସଭା ସମିତି କରି ନିଜର ଶକ୍ତି ପ୍ରଦର୍ଶନ କରିବା ସହ ଆଗମୀ ନିର୍ବାଚନରେ ଦଳ ତାଙ୍କୁ ପ୍ରାର୍ଥୀ କରୁ ବୋଲି ଆଶା ରଖିଥିଲେ । ଯାହାକୁ ନେଇ ବିଜେଡ଼ି ଅକଳରେ ପଡିଯାଇଥିଲା । ତେବେ ଶୁଭାଶିଷଙ୍କୁ ରାଜ୍ୟସଭା ସାଂସଦ କରି ବିଜେଡି ଦଳୀୟ କନ୍ଦଳକୁ ପ୍ୟାଚ ପକାଇବାକୁ ଉଦ୍ୟମ କରିଥିବା କୁହାଯାଉଛି । ଏଥିସହ ଆଗାମୀ ନିର୍ବାଚନରେ ପୁରୀରୁ ବିଜେଡି ଟିକେଟ୍ ପୂର୍ବତନ ବିଧାୟକ ସ୍ୱର୍ଗତ ମହେଶ୍ଵର ମହାନ୍ତିଙ୍କ ପରିବାର ସଦସ୍ୟଙ୍କୁ ଦିଆଯିବା ନେଇ ଏକପ୍ରକାର ସିଧା ବାର୍ତ୍ତା ବିଜେଡି ଦେଇଥିବା ପୁରୀ ସହରରେ ଚର୍ଚ୍ଚାର ବିଷୟ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Feb 13, 2024, 9:11 AM IST

ABOUT THE AUTHOR

...view details