ନୂଆଦିଲ୍ଲୀ:ଆଜି ଉତ୍ତର ପ୍ରଦେଶର ଦୁଇ ହେଭିଓ୍ବେଟ ବିଜେପି ନେତା ନିଜ ନାମାଙ୍କନ ଦାଖଲ କରିଛନ୍ତି । ରାଜଧାନୀ ଲକ୍ଷ୍ନୌ ସଂସଦୀୟ ଆସନରୁ ବିଜେପିର ଅନ୍ୟତମ ଶୀର୍ଷ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନାମାଙ୍କନ ଭରିଥିବା ବେଳେ ଦଳର ଆଗଧାଡିର ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଆମେଠୀରୁ ନିଜ ନାମାଙ୍କନ ଭରିଛନ୍ତି । ବିଶାଳ ରୋଡ ସୋ’ରେ ଉଭୟ ନେତା ସେମାନଙ୍କ ନିର୍ବାଚନ ମଣ୍ଡଳୀର ଜିଲ୍ଲା ମୁଖ୍ୟାଳୟରେ ସମର୍ଥକଙ୍କ ଗହଣରେ ନାମାଙ୍କନ ଭରିଛନ୍ତି ।
ରାଜଧାନୀ ଲକ୍ଷ୍ନୌରେ ମେ’ 20 ତାରିଖରେ 5ମ ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି । ପୂର୍ବଥର ପରି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମୈଦାନରେ ରହିଛନ୍ତି । ଆଜି ନାମାଙ୍କନ ଦାଖଲ ବେଳେ ରାଜନାଥଙ୍କ ସିଂଙ୍କ ସହ ସ୍ଥାନୀୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଏକ ରୋଡ ସୋ’ ରାଜନାଥ ଓ ଦୁଇ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ନେତାମାନେ ଜିଲ୍ଲାଧିକାରୀ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି ।
ସେହିପରି ଦଳର ଆଗଧାଡିର ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଚର୍ଚ୍ଚିତ ଆମେଠୀ ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେ ପୂର୍ବଥର ଏହି ଆସନରେ ଲଢି କଂଗ୍ରେସର ଷ୍ଟାରନେତା ରାହୁଲ ଗାନ୍ଧୀଙ୍କୁ ପରାସ୍ତ କରିଥିଲେ । ସ୍ମୃତିଙ୍କୁ ପୁଣିଥରେ ଦଳ ଏହି ଆସନରୁ ମୈଦାନକୁ ଓହ୍ଲାଇଛି । ଆଜି ସ୍ମୃତି ପୂର୍ବାହ୍ନରେ ସମର୍ଥକଙ୍କ ଗହଣରେ ଏକ ରୋଡ ସୋ’ରେ ଭୋଟ ମାଗିଥିଲେ । ନିଜେ ସ୍କୁଟି ଚଳାଇ ରାଲି କରିଥିଲେ । ପରେ ଜିଲ୍ଲାଧିକାରୀଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି । ସାଙ୍ଗରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଉପସ୍ଥିତ ଥିଲେ ।