ଓଡିଶା

odisha

ETV Bharat / politics

ରେଢାଖୋଲ ବିଜେପି ପ୍ରାର୍ଥୀଙ୍କୁ ନେଇ କେଁ, ପଦ୍ମ ଛାଡିଲେ ଅନେକ କର୍ମୀ - Rairkhol BJP Conflict

Rairkhol BJP Conflict: ରେଢାଖୋଲ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ରଙ୍କୁ ଦଳୀୟ କର୍ମୀଙ୍କ ବିରୋଧ । ଦୁର୍ନୀତି ଅଭିଯୋଗ ଆଣିବା ସହ ଅସନ୍ତୋଷ ଜାହିର କରି ଦଳ ଛାଡିଲେ ଅନେକ କର୍ମୀ । ଅଧିକ ପଢନ୍ତୁ

Rairkhol BJP Conflict
Rairkhol BJP Conflict

By ETV Bharat Odisha Team

Published : Apr 6, 2024, 11:38 AM IST

Updated : Apr 6, 2024, 12:40 PM IST

ପଦ୍ମ ଛାଡିଲେ ଅନେକ କର୍ମୀ

ସମ୍ବଲପୁର:ଚଳିତ ସାଧାରଣ ନିର୍ବାଚନ ପାଇଁ ସମ୍ବଲପୁର ଜିଲ୍ଲାର 4ଟି ଯାକ ବିଧାନସଭା କ୍ଷେତ୍ରରୁ ବିଜେପି ଗତ ଥରର ପ୍ରାର୍ଥୀଙ୍କୁ ପୁଣିଥରେ ସୁଯୋଗ ଦେଇଛି l ଗତଥର ଜିଲ୍ଲାର ସମ୍ବଲପୁର ଓ ରେଙ୍ଗାଲି ବିଧାନସଭାରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ କୁଚିଣ୍ଡାରେ ଅଳ୍ପକେ ପରାଜିତ ହୋଇଥିଲେ ବିଜେପି ପ୍ରାର୍ଥୀ ରବି ନାୟକ । ସେହିପରି ରେଢାଖୋଲ ନିର୍ବାଚନ ମଣ୍ଡଳୀରୁ ବିଜେପି ଦେବେନ୍ଦ୍ର ମହାପାତ୍ରଙ୍କୁ ପ୍ରାର୍ଥୀ କରିଥିବା ବେଳେ ତୃତୀୟ ସ୍ଥାନରେ ରହିଥିଲା ବିଜେପି । ତେବେ ଚଳିତ ଥର ବିଜେପି ପୁଣି ତାଙ୍କୁ ଏହି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ଯାହାକୁ ନେଇ ଅନେକ ବିଜେପି ସମର୍ଥକ ଅସନ୍ତୋଷ ପ୍ରକାଶ କରିବା ସହ ଦଳ ଛାଡିଛନ୍ତି ।


ସମ୍ବଲପୁରର ପୂର୍ବତନ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ତଥା ବର୍ତ୍ତମାନର ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ସୂର୍ଯ୍ୟକାନ୍ତ ପାଣିଗ୍ରାହୀଙ୍କ ସମେତ ଯୁଜୁମୁରା ମଣ୍ଡଳର ସାଧାରଣ ସମ୍ପାଦକ ସୌଗନ ବିଶ୍ବାଳ, ଯୁଜୁମୁରା ମଣ୍ଡଳର ଏସ୍‌ଟି ମୋର୍ଚ୍ଚା ସଭାପତି ସୁଦର୍ଶନ ମାଝୀ, କଂସର ପଞ୍ଚାୟତ ପ୍ରମୁଖ ଜିସିନ ବେହେରା, ଯୁଜୁମୁରା ମଣ୍ଡଳର ଓବିସି ମୋର୍ଚ୍ଚା ସଭାପତି ହେମନ୍ତ ପ୍ରଧାନଙ୍କ ସମେତ 11 ଜଣ ବିଜେପି ପଦାଧିକାରୀ ଦଳରୁ ଇସ୍ତଫା ଦେଇଛନ୍ତି । ରେଢାଖୋଲ ବିଜେପି ବିଧାନସଭା ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ରଙ୍କ ନାମରେ ଏକ କୋଟି ଟଙ୍କାର ସାଂସଦ ପାଣ୍ଠି ହେରଫେର କରିଥିବା ଅଭିଯୋଗ ଆଣିବା ସହ ତାଙ୍କ ପ୍ରାର୍ଥୀତ୍ୱ ଉପରେ ଅସନ୍ତୋଷ ଜାହିର କରି ସେମାନେ ଦଳ ଛାଡିଥିବା କହିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ସମ୍ୱଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବଙ୍କ ପ୍ରତିକ୍ରିୟା, "ବିକଶିତ ଓଡ଼ିଶାର ପ୍ରକ୍ରିୟା ସମ୍ବଲପୁରରୁ ହେବ ଆରମ୍ଭ" - PRANAB PRAKASH IN SAMBALPUR

ସେମାନଙ୍କ ଅଭିଯୋଗ ଅନୁଯାୟୀ, ବର୍ତ୍ତମାନର ରେଢ଼ାଖୋଲ ବିଜେପି ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ର ନିଜେ ସାଂସଦ ପ୍ରତିନିଧି ରହିଥିବା ସମୟରେ ଏକ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ବିନା କାମରେ ଜାଲ ବିଲ୍ କରି ଟଙ୍କା ହଡପ କରିଛନ୍ତି । ଏହା ସହ 2019 ନିର୍ବାଚନରେ ତୃତୀୟ ସ୍ଥାନରେ ରହିବା ପରେ ମଧ୍ୟ ସେ ବିଧାନସଭା ଅଞ୍ଚଳରେ ବିଜେପିର ସଂଗଠନକୁ ସୁଦୃଢ କରିବା ଦିଗରେ ସେମିତି କିଛି ଦକ୍ଷତା ଦେଖାଇପାରି ନାହାନ୍ତି । ତଥାପି ତାଙ୍କୁ ଚଳିତ ନିର୍ବାଚନରେ ଟିକେଟ ଦିଆଯାଇଛି ।

ସେମାନେ ଆଉ ମଧ୍ୟ କହିଛନ୍ତି ଯେ, ଦେବେନ୍ଦ୍ର ଟିକେଟ ପାଇବା ପରେ ପ୍ରଥମ ଥର ପାଇଁ ରେଢାଖୋଲ ଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ବହୁ ବରିଷ୍ଠ ନେତା ତାଙ୍କୁ ଭେଟିବାକୁ ଯାଇ ନଥିବାର ନଜିର ରହିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଢାଖୋଲ ଆସିଲେ ତାଙ୍କୁ ଏଠିକାର ସ୍ଥିତି ଜଣାଇବେ ବୋଲି କେତେକ ବିଜେପି ନେତା କହିଛନ୍ତି ।

ଏନେଇ ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ କହିଛନ୍ତି ଯେ, ତାଙ୍କ ପାଖରେ ବିଜେପି କର୍ମୀଙ୍କ ପଦରୁ ଇସ୍ତଫା ଦେବାର କୌଣସି ପ୍ରତ୍ୟେକ୍ଷ ସୂଚନା ନାହିଁ । ତେବେ ଅନ୍ୟ ସୂତ୍ରରୁ କିଛି ସୂଚନା ପାଇଛନ୍ତି । ଏହି ସମସ୍ୟା ନେଇ ଦଳୀୟ କର୍ମୀଙ୍କ ସହ ଆଲୋଚନା କରାଯାଇ ସମସ୍ୟାର ସମାଧାନ କରାଯିବ । ତେବେ ସାଂସଦ ପାଣ୍ଠିର ଦୁର୍ନୀତି ଅଭିଯୋଗକୁ ସେ ସିଧାସଳଖ ଖଣ୍ଡନ କରିଛନ୍ତି ।

ଅନ୍ୟପଟେ ରେଙ୍ଗାଲି ବିଧାୟକ ତଥା ରାଜ୍ୟ ବିଜେପି ଉପସଭାପତି ନାଉରୀ ନାୟକ କହିଛନ୍ତି ଯେ ଯେଉଁମାନେ ଅସନ୍ତୁଷ୍ଟ ଅଛନ୍ତି ସେମାନଙ୍କ ସହ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯିବ l

ଇଟିଭି ଭାରତ, ସମ୍ବଲପୁର

Last Updated : Apr 6, 2024, 12:40 PM IST

ABOUT THE AUTHOR

...view details