ରାୟଗଡ଼ା: ରାୟବରେଲିରୁ ନାମାଙ୍କନ ଦାଖଲ କରିବାକୁ ଥିବାରୁ ରାୟଗଡ଼ା ଗସ୍ତ ବାତିଲ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଜି (ଶୁକ୍ରବାର) ରାହୁଲ ଗାନ୍ଧୀଙ୍କ ରାୟଗଡ଼ା ଠାରେ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ତାଙ୍କ ଗସ୍ତ ହଠାତ ବାତିଲ ହୋଇଥିଲା । ଓଡିଶାର ସାଲେପରୁ ପରେ ରାୟଗଡ଼ାରେ ରାହୁଲ ଗାନ୍ଧୀଙ୍କର ଏହା ଥିଲା ଦ୍ବିତୀୟ କାର୍ଯ୍ୟକ୍ରମ । ତେବେ ରାୟଗଡ଼ା ଠାରେ ରାହୁଲଙ୍କୁ ଦେଖିବାକୁ ଏକାଠି ହୋଇଥିବା ହଜାର ହଜାର କର୍ମୀ ଓ ସମର୍ଥକ ତଥା ଜନସାଧାରଣଙ୍କୁ ନିରାଶ କରିନାହାନ୍ତି ରାହୁଲ । ରାୟବରେଲିରୁ ଭିଡିଓ ବାର୍ତ୍ତା ଜାରି କରି ଏହି ସମାବେଶକୁ ସମ୍ବୋଧନ କରିଥିଲେ ରାହୁଲ ଗାନ୍ଧୀ ।
ଆଜି ରାହୁଲ ଗାନ୍ଧୀ ରାୟଗଡ଼ା ଆସି ବିଶାଳ ସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଥିଲା । ହେଲେ ହଠାତ ଦଳର ନିଷ୍ପତ୍ତି କ୍ରମେ ରାହୁଲ ଗାନ୍ଧୀ ପରିବାରର ପାରମ୍ପାରିକ ଆସନ କୁହାଯାଉଥିବା ରାୟବରେଲିରୁ ପ୍ରାର୍ଥୀ ହୋଇଛନ୍ତି । ଆଜି, ଅର୍ଥାତ ମେ' ୩ ତାରିଖ ଏହି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଥିବାରୁ ରାହୁଲ ଓଡ଼ିଶା ଆସିବା ପରିବର୍ତ୍ତେ ନାମାଙ୍କନ ଦାଖଲ ପାଇଁ ରାୟବରେଲି ଯାଇଥିଲେ । ତେଣୁ ହଠାତ ତାଙ୍କର ରାୟଗଡ଼ା ଆସିବା କାର୍ଯ୍ୟକ୍ରମ ବାତିଲ ହୋଇଥିଲା । ହେଲେ ପୂର୍ବ ପ୍ରଚାର ପ୍ରସାର ଅନୁଯାୟୀ ରାହୁଲ ଗାନ୍ଧୀ ରାହୁଲ ଗାନ୍ଧୀଙ୍କୁ ଦେଖି ତାଙ୍କର ଭାଷଣ ଶୁଣିବା ପାଇଁ ହଜାର ହଜାର କଂଗ୍ରେସ କର୍ମୀ ରାୟଗଡ଼ା ଜିଆଇଏସିଆର କଲେଜ ନିକଟସ୍ଥ ଜେଏସ୍କୋ ପଡିଆରେ ଏକତ୍ରିତ ହୋଇଥିଲେ । ହେଲେ ରାହୁଲଙ୍କ ଗସ୍ତ ବାତିଲ ହୋଇଥିବା ଶୁଣି ସମସ୍ତେ ନିରାଶ ହୋଇଥିଲେ ।
ହେଲେ ଦିନ ୨ଟା ସମୟରେ ଭିଡିଓ ବାର୍ତ୍ତା ମାଧ୍ୟମରେ ରାୟବରେଲିରୁ ରାହୁଲ ଗାନ୍ଧୀ ରାୟଗଡ଼ାରେ ସମବେତ ବିଶାଳ ସମାବେଶକୁ ସମ୍ବୋଧନ କରିଥିଲେ । ଯାହା ଫଳରେ କଂଗ୍ରେସ କର୍ମୀ ଉତ୍ସାହିତ ହୋଇଥିଲେ । ପ୍ରାୟ ୭ ମିନିଟର ଏହି ଭିଡିଓରେ ରାହୁଲ ଗାନ୍ଧୀ ରାୟଗଡ଼ା ଆସିପାରିନଥିବାରୁ କୋରାପୁଟ ସଂସଦୀୟ କ୍ଷେତ୍ରର ସମସ୍ତ ଜନସାଧାରଣଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । ସମ୍ବିଧାନ ବଞ୍ଚାଇବାକୁ ହେଲେ କଂଗ୍ରେସକୁ ଭୋଟ ଦେବା ଜରୁରୀ ବୋଲି କହିବା ସହିତ ଦେଶରେ କଂଗ୍ରେସ ସରକାର ଗଢିଲେ ୫ଟି ଗ୍ୟାରେଣ୍ଟି ନିଶ୍ଚୟ ଲାଗୁ କରିବ ବୋଲି ଆଭାସୀ ମାଧ୍ୟମରେ ରାହୁଲ ଗାନ୍ଧୀ କହିଥିଲେ ।