କେନ୍ଦୁଝର: ଘଷିପୁରାରେ ଶକ୍ତି ପ୍ରଦର୍ଶନ କଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଆଜି କେନ୍ଦୁଝର ଜିଲ୍ଲା ତଥା ଘଷିପୁରା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେଡିର ବରିଷ୍ଠ ନେତା ତଥା ବର୍ତ୍ତମାନର ବିଧାୟକ ଥିବା ବଦ୍ରି ନାରାୟଣ ପାତ୍ର ଓ ବିଜେପି ପ୍ରାର୍ଥୀ ଶମ୍ଭୁନାଥ ରାଉତ ନିଜ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ନାମାଙ୍କନ ଦାଖଲର ଶେଷ ଦିନରେ ଘସିପୁରା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ସାମ୍ବାଦିକରୁ ନେତା ହୋଇଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ।
ସୂଚନା ଅନୁସାରେ, ସୌମ୍ୟରଞ୍ଜନ ଆଜି ସକାଳୁ ଘଟଗାଁରେ ମା ତାରିଣୀଙ୍କୁ ଦର୍ଶନ କରି ଘସିପୁରା ନିର୍ବାଚନ ମଣ୍ଡଳୀର ଜର୍ଦାଠାରୁ ହଜାର ହଜାର ସମର୍ଥକଙ୍କୁ ସାଙ୍ଗରେ ନେଇ ଶାଳପଡାର ଇନ୍ଦିରା ଗାନ୍ଧୀ ପଡିଆରେ ଏକ ବୈଠକର ଆୟୋଜନ କରିଥିଲେ । ବୈଠକ ପରେ ପୁନର୍ବାର ହଜାର ହଜାର ସମର୍ଥକଙ୍କୁ ନେଇ ପାରମ୍ପରିକ ବାଦ୍ୟ ସହ ଶୋଭାଯାତ୍ରା କରି ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସୌମ୍ୟ ରଞ୍ଜନ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଥିଲେ । ଘଷିପୁରା ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବୃଦ୍ଧି ପାଉଥିବା ଗୁଣ୍ଡାଗର୍ଦ୍ଦି, ଦୁର୍ନୀତି ଓ ଅତ୍ୟାଚାର ବିରୋଧରେ ସେ ଲଢ଼ିବାକୁ ସ୍ଥିର କରିଥିବା ପ୍ରକାଶ କରିଛନ୍ତି । ଏଠାରେ ତାଙ୍କ ପୈତୃକ ଗୃହ ଥିବାବେଳେ ଏହି ମାଟି ପାଇଁ ଉନ୍ନତିମୂଳକ କାର୍ଯ୍ୟ କରିବା ଓ ପିତୃ ଋଣ ସୁଝିବାକୁ ମଇଦାନକୁ ଓହ୍ଲାଇଥିବା ପ୍ରକାଶ କରିଛନ୍ତି ସୌମ୍ୟ ।