ଓଡିଶା

odisha

ETV Bharat / politics

ପୁଣି ଆସିବେ ମୋଦି, ନିର୍ବାଚନରେ କେତେ ପଡ଼ିବ ପ୍ରଭାବ ? - Political Reaction on PM Visit

PM Modi visit to Odisha: ପୁଣି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ନିଜେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦେଇଛନ୍ତି ସୂଚନା । ଆସନ୍ତାକାଲି ମଧ୍ୟ ରାଜନାଥ ସିଂହ ଓଡିଶା ଗସ୍ତରେ ଆସୁଛନ୍ତି । ତେବେ କେନ୍ଦ୍ର ନେତୃତ୍ବର ଆଗାମୀ ନିର୍ବାଚନରେ କେତେ ପ୍ରଭାବ ପଡ଼ିବ, ସେନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ଅଧିକ ପଢ଼ନ୍ତୁ

ପୁଣି ଆସିବେ ମୋଦି
ପୁଣି ଆସିବେ ମୋଦି

By ETV Bharat Odisha Team

Published : Feb 21, 2024, 9:39 PM IST

ପୁଣି ଆସିବେ ମୋଦି

ଭୁବନେଶ୍ବର/ପୁରୀ: ପୁଣି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀରୁ ଫେରିବା ପରେ ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ତାଙ୍କ କହିବା ଅନୁସାରେ, ଆସନ୍ତା 28 ତାରିଖ ପାଖାପାଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସିବେ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବାକୁ ପୁରୀ ଅଭିମୁଖେ ଯିବେ । ଆସନ୍ତାକାଲି ରାଜନାଥ ସିଂହ ମଧ୍ୟ ଓଡିଶା ଗସ୍ତରେ ଆସୁଛନ୍ତି । ବଡ଼ ପ୍ରଶ୍ନ ହେଉଛି, ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଓଡିଶା ରାଜନୀତି ଉପରେ ମୋଦି ଏବଂ ରାଜନାଥଙ୍କ ଗସ୍ତର କଣ ପ୍ରଭାବ ପଡିବ ? ଏହାକୁ ନେଇ ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । ରାଜ୍ୟ ତଥା ବିଶେଷ କରି ପୁରୀ ରାଜନୀତି ଉପରେ ଏହାର କଣ ପ୍ରଭାବ ପଡିବ ଏବେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା ।

'ବିଜେଡି ଲୋକ ହିଁ ବିଜେପିକୁ ସରକାରକୁ ଆଣିବେ': ପୁରୀର ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ କହିଛନ୍ତି, "ଭାରତବର୍ଷ ମୋଦିଙ୍କ ଠାରୁ ବହୁତ କିଛି ଆଶା ରଖିଛି । ଓଡ଼ିଶାବାସୀ ମଧ୍ୟ ବହୁତ କିଛି ଆଶା ରଖିଛନ୍ତି । ମୋଦି ଓଡିଶା ଆସିଲେ ଓଡିଶାର ଭାଗ୍ୟ ବଦଳିବ । ଆମେ ଦୃଢ ନିଶ୍ଚିତ ସେ ଜଗନ୍ନାଥ ମନ୍ଦିର ଆସିବେ । ମହାପ୍ରଭୁଙ୍କ ଆଶୀର୍ବାଦ ନେବେ । ପୁଣି ପ୍ରଧାନମନ୍ତ୍ରୀ ହୋଇ ଦେଶକୁ ଚଳାଇବେ । ସଂସଦରେ ଭେଟିବା ସମୟରେ ଖଣ୍ଡୁଆ ପାଟ ଦେଇ ପ୍ରଧାନମନ୍ତ୍ରୀଙ୍କୁ ପୁରୀ ଆସିବା ପାଇଁ ନିମନ୍ତ୍ରଣ କରିଥିଲି । ତେଣୁ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପାଇଁ ସେ ଆସିବେ । ମୋଦିଙ୍କ ଗସ୍ତର ପ୍ରଭାବ ପଡି଼ବ ଓଡ଼ିଶା ରାଜନୀତିରେ । ଓଡିଶାବାସୀ ଚାହୁଁଛନ୍ତି ପରିବର୍ତ୍ତନ ଆସୁ । ନୂଆ ସମୀକରଣ ହେଉ । ସମସ୍ତଙ୍କ ଆଶା ଭରସା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶାରେ ଡବଲ ଇଞ୍ଜିନ ସରକାର ହେବ । ବିଜୁ ଜନତା ଦଳ ଲୋକ ହିଁ ବିଜେପିକୁ ସରକାରକୁ ଆଣିବେ । ସ୍ଥିତି ଏପରି ହୋଇପାରେ ବିଜେଡିର ଟପ ନେତା ବିଜେପି ସରକାରରେ କେନ୍ଦ୍ରରେ ମନ୍ତ୍ରୀ ହୋଇପାରନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...୨୮ତାରିଖ ପାଖାପାଖି ଓଡ଼ିଶା ଆସିବେ ମୋଦି, ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ: ବିଜେପି ସଭାପତି

'ଓଡିଶାରେ ନବୀନଙ୍କ ବିକଳ୍ପ ନାହିଁ': ବିଜେଡି ନେତା ଗୌରହରି ପ୍ରଧାନ କହିଛନ୍ତି, "ମୋଦିଙ୍କ ଗସ୍ତର ଓଡିଶା ଉପରେ କିଛି ପ୍ରଭବ ପଡିବ ନାହିଁ । ମୋଦି ନବୀନଙ୍କୁ ପ୍ରଶଂସା କରୁଛନ୍ତି । ରାଜ୍ୟରେ ନବୀନ 1 ନମ୍ବର । ଦେଶରେ ମୋଦି ଏକ ନମ୍ବର ହୋଇପାରନ୍ତି । ଓଡିଶାରେ ନବୀନଙ୍କ ବିକଳ୍ପ ନାହିଁ । ମୋଦି ରାମ ମନ୍ଦିର କରିଛନ୍ତି । ଜଗନ୍ନାଥଙ୍କ ପାଇଁ ପରିକ୍ରମା ପ୍ରକଳ୍ପ କରି ସାଢେ 4 କୋଟି ଓଡିଆଙ୍କ ହୃଦୟରେ ନବୀନ ଅଛନ୍ତି । ଡବଲ ଇଞ୍ଜିନ ନୁହେଁ, ସିଙ୍ଗଲ ଇଞ୍ଜନର ସରକାରରେ ସବୁ କାମ ହେଉଛି । ତେଣୁ ଏଠି ନବୀନ ହିଁ ଏକ ନମ୍ବର । ନବୀନଙ୍କ ଯୋଜନାକୁ ଅନ୍ୟମାନେ ଫଲୋ କରୁଛନ୍ତି । ଉଭୟ ମୋଦି ଏବଂ ଶାହ ନବୀନଙ୍କୁ ବାରମ୍ବାର ପ୍ରଶଂସା କରୁଛନ୍ତି । ନବୀନ 6ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ । ପୁଣି ବିଜେଡି ସରକାରକୁ ଆସିବ ।" ମୋଦିଙ୍କ ଗସ୍ତର କୌଣସି ପ୍ରଭାବ ପଡିବ ନାହିଁ ବୋଲି ସେ କହିଛନ୍ତି । ସେହିଭଳି କଂଗ୍ରେସ ନେତା ସୁଜିତ ମହାପାତ୍ର କହିଛନ୍ତି, "ବିଜେଡି ଓ ବିଜେପି ମଧ୍ୟରେ ବୁଝାମଣା ରହିଛି । ଯେଉଁଥିପାଇଁ ରାଜ୍ୟସଭା ନିର୍ବାଚନରେ ଅଶ୍ବିନୀ ବୈଷ୍ଣବଙ୍କୁ ସମର୍ଥନ ଦେଲା ବିଜେଡି । ମୋଦି ସମ୍ବଲପୁର ଗସ୍ତରେ ନବୀନଙ୍କ ବିରୋଧରେ ପଦୁଟିଏ ବି କହିଲେ ନାହିଁ । ତେଣୁ ମୋଦିଙ୍କ ଗସ୍ତର କୌଣସି ପ୍ରଭାବ ପଡିବ ନାହିଁ ରାଜ୍ୟ ରାଜନୀତି ଉପରେ ।"

'ବିଜେପି ଉପରେ ସକରାତ୍ମକ ପ୍ରଭାବ ପଡିବ': ବରିଷ୍ଠ ରାଜନୀତି ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି, "ବିଜେପି କର୍ମୀ ଓ ନେତାଙ୍କ ଉପରେ ଏହି ଗସ୍ତର ନୈତିକ ପ୍ରଭାବ ପଡିବ । ମୋଦି ଓ ରାଜନାଥଙ୍କ ଗସ୍ତ ନୈତିକ ଶକ୍ତି ଯୋଗାଇବ । ପୂର୍ବରୁ ରାଜନାଥ ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ସମୟରେ ଓଡିଶା ଆସିଥିଲେ । ଓଡିଶା ଉପରେ ମୋଦି ଓ ରାଜନାଥଙ୍କ ଭଲ ଧାରଣା ରହିଛି । ଓଡିଶାର କଣ ଆବଶ୍ୟକତା ରହିଛି । ଓଡିଶାରେ ଥିବା ପ୍ରାକୃତିକ ସମ୍ପଦର କିପରି ସୁବିନିଯୋଗ ହୋଇପାରିବ । ଏହା ହେଲେ ଓଡିଶା କିପରି ଲାଭ ପାଇପାରିବ ସେ କଥା ପୂର୍ବରୁ ମୋଦି କହିଥିଲେ । ପରେ ପରେ ଏମ୍‌ଏମ୍‌ଡିଆର୍‌ ଆକ୍ଟରେ ସଂଶୋଧନ ଆସିଲା । ଖଣିଜ ସମ୍ପଦରୁ ରାଜସ୍ବ ପାଇ ଓଡିଶା ଲାଭବାନ ହେଲା । ଦାଦନ ସମସ୍ୟା ସମ୍ପର୍କରେ ଉଭୟ ନେତା ଆଲୋକପାତ କରନ୍ତି । ପର୍ଯ୍ୟଟନ କିପରି ଅଧିକ ସଶକ୍ତ ହେବ ସେନେଇ ମଧ୍ୟ ଆଲୋକପାତ କରନ୍ତି । ବିଶେଷ କରି ଯୁବଶକ୍ତି କିପରି ଅଧିକ ସ୍କିଲ ହୋଇପାରିବ, ସେ ଉପରେ ମଧ୍ୟ ଆଲୋଚନା କରନ୍ତି । ଓଡିଶା ଗସ୍ତ ସମୟରେ ଏହି ଦୁଇ ନେତା ଓଡିଶା ପ୍ରଶାସନକୁ ନେଇ ଯଦି କିଛି ସନ୍ଦେହ ପ୍ରକାଶ କରନ୍ତି, ଏହା କର୍ମୀଙ୍କୁ ଅଧିକ ଉତ୍ସାହିତ କରିବ । ସବୁକିଛି ନିର୍ଭର କରୁଛି ଏହି ଦୁଇ ନେତା କଣ କହୁଛନ୍ତି । ତେବେ ସେ ଯାହା ହେଉନା କାହିଁକି, ଏହି ଗସ୍ତର ସକରାତ୍ମକ ପ୍ରଭାବ ବିଜେପି ଉପରେ ପଡିବ ।"

ଏହା ମଧ୍ୟ ପଢ଼ନ୍ତୁ...ଲୋକାର୍ପିତ ହେଲା ବ୍ରହ୍ମପୁର ଆଇଜର୍ ସ୍ଥାୟୀ କ୍ୟାମ୍ପସ, ଭିଡିଓ କନଫରେନ୍ସରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାର ସମ୍ବଲପୁର ଗସ୍ତରେ ଆସିଥିଲେ । ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଶାଣିତ ସ୍ବରରେ କିଛି କହିନଥିଲେ । ଏବେ ଅପେକ୍ଷା ରହିବ ରାଜନାଥ ସିଂହ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସିବା ସମୟରେ ରାଜ୍ୟ ସରକାରଙ୍କ ଉପରେ କି ପ୍ରକାର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି । ତା' ପରେ ଜଣାପଡିବ ଗସ୍ତର କି ପ୍ରଭାବ ପଡୁଛି 2024 ନିର୍ବାଚନ ଉପରେ ।

ଇଟିଭି ଭାରତ, ପୁରୀ/ଭୁବନେଶ୍ବର

ABOUT THE AUTHOR

...view details