ମାଲକାନଗିରି:ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟରେ ଦେଖିବାକୁ ମିଳିଛି କେନ୍ଦ୍ରମନ୍ତ୍ରୀଙ୍କ ମେଳି । ଭୋଟରଙ୍କ ନିକଟତର ହେବାକୁ ପ୍ରାର୍ଥୀମାନଙ୍କ ସହ ପ୍ରଚାର ମୈଦାନରେ କେନ୍ଦ୍ରୀୟ ସ୍ତରର ହେଭିଓ୍ବେଟଙ୍କୁ ଦେଖିବାକୁ ମିଳୁଛି । ଗୁରୁବାର ମାଲକାନଗିରିରେ ବିଜେପିର ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ରାଜ୍ୟ ସରକାରଙ୍କୁ କଡା ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁର । ଜିଲ୍ଲାର ପୋଟେରୁ ଏବଂ ଏମଭି-୩୦ ଗ୍ରାମରେ ପହଞ୍ଚି କେନ୍ଦ୍ରମନ୍ତ୍ରୀ ମତୁଆ ସଂପ୍ରଦାୟର ଲୋକଙ୍କୁ ଭୋଟ ଭିକ୍ଷା କରିଛନ୍ତି ।
ଜିଲ୍ଲାରେ ବିଜେପି ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦିଙ୍କ ଗ୍ୟାରେଣ୍ଟି ବିଷୟରେ ଉପସ୍ଥିତ ଲୋକମାନଙ୍କୁ କହିଛନ୍ତି । ଆଉ ମଧ୍ୟ ୧୦ ବର୍ଷ ମଧ୍ୟରେ ଦେଶରେ ହୋଇଥିବା ବିକାଶରେ ମୋଦି ସରକାରଙ୍କ ଭୂମିକା ବିଷୟରେ ମତ ରଖିଛନ୍ତି । ତେବେ ରାଜ୍ୟରେ ବିଜେପି ସରକାର ଗଢିଲେ ଜିଲ୍ଲାରେ ରହିଥିବା ବଙ୍ଗୀୟ ସଂପ୍ରଦାୟର ଉନ୍ନତି ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ବିଜେପି କଣ କରୁଛି ଓ ଆଗକୁ କଣ କରିବ ତାହା ଲୋକଙ୍କୁ ଦେଖାଇବ ବୋଲି ଶାନ୍ତନୁ କହିଛନ୍ତି ।
ଅନ୍ୟପଟେ ରାଜ୍ୟ ସରକାରଙ୍କୁ ମଧ୍ୟ କଡା ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି, "ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ କ୍ଷେତ୍ରରେ ରାଜ୍ୟରେ ଅନେକ ସମସ୍ୟା ରହିଛି । ଭୋଟ ପୂର୍ବରୁ ଔଷଧ ଦେବା ଭଳି କାର୍ଯ୍ୟକୁ ବିକାଶ କୁହାଯିବ ନାହିଁ । ଏହାକୁ ତୁଷ୍ଟିକରଣ ରାଜନୀତି କୁହାଯାଏ । ରାଜ୍ୟ ସରକାର ତୁଷ୍ଟିକରଣ ରାଜନୀତି କରୁଛନ୍ତି । ଆମେ କିନ୍ତୁ ତୁଷ୍ଟିକରଣ ରାଜନୀତି କରିନଥାଉ । ଆମେ ବାସ୍ତବରେ ବିକାଶ କରିବା କଥା ଭାବିଥାଉ ।"