କେନ୍ଦ୍ରାପଡା: କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଶେଷରେ ବିଜେପି ଅଙ୍କ ଛିଣ୍ଡିଛି । ବିଜେପିରୁ କେନ୍ଦ୍ରାପଡା ଆସନରେ ଲଢିବେ ଗୀତାଞ୍ଜଳୀ ସେଠୀ । ନିକଟରେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ ଗୀତାଞ୍ଜଳୀ । ତେବେ ଗତ ୫ ବର୍ଷରେ ବିଜେଡ଼ିରେ ରହି ଲୋକମାନଙ୍କ ପାଇଁ କିଛି କରିବାର ଲକ୍ଷ୍ୟ ରଖିଥିଲେ ସୁଦ୍ଧା ଏହା ପୂରଣ ହୋଇ ନପାରିବାରୁ ସେ ଦଳ ଛାଡିଥିବା କହିଛନ୍ତି ଏବଂ ଭାରତୀୟ ଜନତା ପାର୍ଟି ତାଙ୍କୁ ବିଧାୟିକା ପ୍ରାର୍ଥୀ କରିଥିବାରୁ ସେ ବହୁତ ଖୁସି ବୋଲି ଜଣାଇଛନ୍ତି ।
୨୦୧୯ ମସିହା ସାଧାରଣ ନିର୍ବାଚନ ସମୟରେ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିଲେ ଗୀତାଞ୍ଜଳୀ ସେଠୀ । ଟିକଟ ଆଶାୟୀ ଥିବାବେଳେ ଟିକଟ ନପାଇବାରୁ ସେ ଗେରୁଆ ଦଳ ଛାଡି ଶଙ୍ଖ ଧରିଥିଲେ । ଆଉ ପରେ ବିଜେଡି ଦଳରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇ ଅଧ୍ୟକ୍ଷା ପଦବୀ ମଧ୍ୟ ମଣ୍ଡନ କରିଥିଲେ । ହେଲେ ଚଳିତ ନିର୍ବାଚନରେ ବିିଧାୟକ ଟିକଟ ଆଶାୟୀ ଥିବାବେଳେ ଦଳ ତାଙ୍କୁ ଅଣଦେଖା କରିଥିଲା । ଯାହାକୁ ନେଇ ପୁନଃ ବିଜେଡି ଛାଡି ଗତ ସପ୍ତାହରେ ବିଜେପିକୁ ଆପଣାଥିଲେ ଗୀତାଞ୍ଜଳି । ଆଉ ଶେଷରେ ତାଙ୍କର ପ୍ରାର୍ଥିତ୍ବ ଉପରେ ମୋହର ମାରିଛନ୍ତି ବିଜେପିର ଶୀର୍ଷ ନେତୃତ୍ୱ । କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀ ଭାବେ ଗୀତାଞ୍ଜଳି ସେଠୀଙ୍କ ନାଁ ଘୋଷଣା କରିଛି ବିଜେପି ।
ଏଥିପାଇଁ ପ୍ରଧାନମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ମନମୋହନ ସାମଲ ଓ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀର ଲକ୍ଷାଧିକ ଭୋଟରଙ୍କ ନିକଟରେ ନିଜର କୃତଜ୍ଞତା ବ୍ୟକ୍ତ କରିଛନ୍ତି କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ଗୀତାଞ୍ଜଳୀ ସେଠୀ ।