ଭୁବନେଶ୍ବର:ଓଡିଶାରେ ଘୋଷଣା ହେବେ କି ବିଜେପିଶାସିତ ରାଜ୍ୟ ଛତିଶଗଡ, ମଧ୍ୟ ପ୍ରଦେଶ ଓ ରାଜସ୍ଥାନ ପରି ସରପ୍ରାଇଜ ମୁଖ୍ୟମନ୍ତ୍ରୀ ? ସବୁ ଚର୍ଚ୍ଚା ଓ ଆକଳନକୁ ପଛରେ ପକାଇ ଆଶ୍ଚର୍ଯ୍ୟଜନକ ଘୋଷଣା କରିବ କି ବିଜେପି ? ରାଜ୍ୟର ବର୍ତ୍ତମାନ ସ୍ଥିତି କିଛି ସେହିପରି ଦିଗକୁ ସଙ୍କେତ କରୁଛି । ଗତକାଲି ସଂଧ୍ୟାରେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବିଜେପି ତୃତୀୟ ଥର ସରକାର ଗଠନ କରିବା ପରେ ଏବେ ଓଡିଶାରେ ଗଠନ ହେବାକୁ ଥିବା ଭାରତୀୟ ଜନତା ପାର୍ଟି ସରକାରର ମୁଖ୍ୟମନ୍ତ୍ରୀ ଉପରେ ସମଗ୍ର ଦେଶର ନଜର ରହିଛ । ରାଜ୍ୟରେ ବିଜେପି ପ୍ରଥମ ଥର ଏକକ ବହୁମତରେ ସରକାର ଗଠନ କରିବାକୁ ଯାଉଛି ଦଳ । ମାତ୍ର ୪ ତାରିଖରୁ ନିର୍ବାଚନ ଫଳାଫଳ ଆସି ସାରିଥିବା ବେଳେ ଏବେ ସୁଦ୍ଧା ମୁଖ୍ୟମନ୍ତ୍ରୀ ନେଇ କୌଣସି ନିଷ୍ପତ୍ତି ହୋଇପାରିନି । ଦୁଇ ବରିଷ୍ଠ କେନ୍ଦ୍ରୀୟ ମନ୍ତ୍ରୀ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବଙ୍କୁ ଦଳ ଓଡିଶା ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି । ଉଭୟ ଆଜି ସଂଧ୍ୟାରେ ଭୁବନେଶ୍ବରେ ପହଞ୍ଚି ପାରନ୍ତି । ଆସନ୍ତାକାଲି ହେବାକୁ ଥିବା ନବନିର୍ବାଚିତ ବିଧାୟକ ଦଳ ବୈଠକରେ ଉଭୟ ଅଂଶଗ୍ରହଣ କରିବେ । ଏହି ବୈଠକରେ ହିଁ ମୁଖ୍ୟମନ୍ତ୍ରୀ ନେଇ ଚୂଡାନ୍ତ ମୋହର ବାଜିବ । ଯାହା ଉପରେ ସମଗ୍ର ଦେଶର ନଜର ରହିଛି ।
ଦିଲ୍ଲୀରୁ ଫେରି ଏମିତି କହିଲେ ସୁରେଶ ପୁଜାରୀ:-
ବିଳମ୍ବ ଯେତିକି ହେଉଛି, ଚର୍ଚ୍ଚା ମଧ୍ୟ ସେହିକ୍ରମରେ ଭିନ୍ନମୋଡ ନେବାରେ ଲାଗିଛି । ନିର୍ବାଚନୀ ପ୍ରଚାର ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦି ନିଜେ ୧୦ ତାରିଖରେ ଶପଥ ଗ୍ରହଣ ହେବା ନେଇ ଘୋଷଣା କରିଥିଲେ । ହେଲେ ମୁଖ୍ୟମନ୍ତ୍ରୀ ଚୟନ ପ୍ରକ୍ରିୟା ବିଳମ୍ବ ହେବାରୁ ଏହାକୁ ୧୨ ତାରିଖକୁ ପରିବର୍ତ୍ତନ କରିଛି ବିଜେପି । ଅନ୍ୟପଟେ ଦଳର ଅନ୍ୟତମ ବରିଷ୍ଠ ନେତା ସୁରେଶ ପୂଜାରୀଙ୍କୁ ଗତକାଲି ଦିଲ୍ଲୀ ଡାକିଥିଲା ଦଳ । ସେ କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଆଲୋଚନା କରି ଆଜି ଭୁବନେଶ୍ବର ଫେରିଛନ୍ତି । ସେ ହିଁ ମୁଖ୍ୟମନ୍ତ୍ରୀ ହେଉଛନ୍ତି ବୋଲି ଚର୍ଚ୍ଚା ଲାଗିରହିଛି । ହେଲେ ଏହି ନିଷ୍ପତ୍ତି ନବନିର୍ବାଚିତ ବିଧାୟକ ଦଳ ବୈଠକରେ ହେବ ବୋଲି ପ୍ରତିକ୍ରିୟାରେ ସୁରେଶ କହିଛନ୍ତି । ବିମାନ ବନ୍ଦରରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସୁରେଶ କହିଛନ୍ତି, କେନ୍ଦ୍ରୀୟ ନେତା ରାଜନାଥ ସିଂହ ଓ ଭୁପେନ୍ଦ୍ର ଯାଦବ ଓଡିଶା ଆସୁଛନ୍ତି । ବିଧାୟକ ଦଳ ବୈଠକରେ ଏନେଇ ବିଧିବଦ୍ଧ ଆଲୋଚନା ହେବ । ଘୋଷଣାକୁ ଅପେକ୍ଷା କରନ୍ତୁ । ଦିଲ୍ଲୀରେ କେନ୍ଦ୍ରୀୟ ନେତାଙ୍କ ସହ କଣ ଆଲୋଚନା ହେଲା, ସେନେଇ କିଛି ନକହି ନାମ ଘୋଷଣାକୁ ଅପେକ୍ଷା କରିବା ମନ୍ତବ୍ୟ ମଧ୍ୟ ଚର୍ଚ୍ଚା ବଢାଇଛି ।
ମନମୋହନ ନା ସୁରେଶ !:-
ଗତକାଲି ସୁରେଶ ଦିଲ୍ଲୀ ଯାଇ ଫେରିଥିବା ବେଳେ ଏହା ପୂର୍ବରୁ ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ କେନ୍ଦ୍ରୀୟ ନେତାଙ୍କ ଡାକରାରେ ଦିଲ୍ଲୀ ଗସ୍ତ କରିସାରିଛନ୍ତି । ପ୍ରଥମେ ମନମୋହନ ଓ ପରେ ସୁରେଶଙ୍କୁ କେନ୍ଦ୍ରୀୟ ନେତା କାହିଁକି ଆଲୋଚନା ପାଏଇଁ ଦିଲ୍ଲୀ ଡାକିଲେ, ତାହା ହିଁ ଆଲୋଚନା ଓ ଚର୍ଚ୍ଚାର କାରଣ ସାଜିଛି । ଶପଥ ଗ୍ରହଣ ସମାରୋହ ଆଉ ଦୁଇ ଦିନ ବାକି ଥିବା ବେଳେ ମୁଖ୍ୟମନ୍ତ୍ରୀ ନେଇ ବିଭିନ୍ନ ଦିଗରୁ ଚର୍ଚ୍ଚା ହେଉଛି ।