ଭୁବନେଶ୍ୱର:ରାଜ୍ୟ କ୍ୟାବିନେଟ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୬ଟି ବିଭାଗର ୬ଟି ପ୍ରସ୍ତାବରେ ମୋହର ବାଜିଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୧ଟି, ବାଣିଜ୍ୟ ଓ ପରିବହନର ୧ଟି, ଅର୍ଥର ୧ଟି, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣର ୧ଟି, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗର ୧ଟି ଓ ମହିଳା ଓ ଶିଶୁ ବିକାଶ ବିଭାଗର ୧ଟି ପ୍ରସ୍ତାବ ପାରିତ ହୋଇଛି ।
ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ସୁଭଦ୍ରା ଯୋଜନାରେ କିଛି ସଂଶୋଧନ ହୋଇଛି । ସୁଭଦ୍ରା ଯୋଜନାରେ ୧ କୋଟି ୨ ଲକ୍ଷ ପଞ୍ଜିକରଣ ହୋଇଛି । ଯୋଜନାରେ ବର୍ତ୍ତମାନ ୬୦ ଲକ୍ଷ ଲୋକ ଅର୍ଥ ପାଇଛନ୍ତି । ୨ ଲକ୍ଷ ୬୭ ହଜାର ଆବେଦନ ରିଜେକ୍ଟ ହୋଇଛି । ବିଭିନ୍ନ କାରଣରୁ ଏହା ରିଜେକ୍ଟ ହୋଇଛି । ଏହାକୁ ଆଉଥରେ ପରୀକ୍ଷା ନିରୀକ୍ଷା କରାଯିବା । ଓଡିଶାର ବିଭିନ୍ନ ସ୍ଥାନରେ ବିମାନ ସେବା ଲାଗି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସେହିପରି ଜିଏସଟି ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।
କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବଙ୍କ ସୂଚନା-
- ସୁଭଦ୍ରା ଯୋଜନାରେ ସଂଶୋଧନ ପାଇଁ ନିଷ୍ପତ୍ତି
- ସୁଭଦ୍ରାରେ ୧ କୋଟି ୨ ଲକ୍ଷ ପଞ୍ଜୀକରଣ ହୋଇଛି
- ୨.୬୭ ଲକ୍ଷ ସୁଭଦ୍ରା ଆବେଦନ ଖାରଜ
- ଖାରଜ ଆବେଦନକାରୀଙ୍କ କଥା ବିଚାର ହେବ
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି, "ଓଡିଶା ଜିଏସଟି ଆକ୍ଟରେ ସଂଶୋଧନ ହୋଇଛି । ଜିଏସଟିରେ ୩୪ଟି ବିଷୟରେ ସଂଶୋଧନ କରାଯାଇଛି । ବିଶେଷ କରଦାତା ଉପକୃତ ହେବେ । କେନ୍ଦ୍ର ସରକାରଙ୍କ ଜିଏସଟି ଆଇନରେ ସଂଶୋଧନ ହୋଇସାରିଛି । କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣାଯିବ । ଏ ନେଇ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଆସିଥିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ୪ ହଜାରରୁ ଉର୍ଦ୍ଧ୍ବ ଧାନ କ୍ରୟ କେନ୍ଦ୍ର ଖୋଲାଯିବ । ଚାଷୀମାନେ ଉପକୃତ ହେବେ । କଟଣୀ ଚଟଣୀ ନହେବ ନଜର ରଖିଯିବ । ଜଣେ ଜଣେ ଅଫିସର ପ୍ରତି ମଣ୍ଡିରେ ରହିବେ । ୪୮ ଘଣ୍ଟା ଭିତରେ ଚାଷୀଙ୍କୁ ଟଙ୍କା ମିଳିବ । ୧୭ ଲକ୍ଷରୁ ଅଧିକ ଚାଷୀ ପଞ୍ଜିକରଣ କରିଛନ୍ତି ।"