ଭୁବନେଶ୍ବର: ବିଜେପିର 3 'ସ' ଥିଓରୀ । ସରକାର, ସଂଗଠନ ଓ ସାଧାରଣ ଲୋକ । "ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସେତୁ ହୋଇ କାମ କରିବ ସଂଗଠନ । ସାଧାରଣ ଲୋକଙ୍କ ସମସ୍ୟା, ଗ୍ରାଉଣ୍ଡରୁ ସମସ୍ୟାକୁ ଆଣି ସରକାରଙ୍କ ପାଖରେ ରଖିବ" ଏନେଇ ବିଜେପି ପଦାଧିକାରୀ ବୈଠକରେ ନିଷ୍ପତ୍ତି ହୋଇଥିବା କହିଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର । ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ପାଖକୁ ନେବା ସହ ସାଧାରଣ ସମସ୍ୟାକୁ ସରକାର ପାଖରେ ପହଞ୍ଚାଇବେ । କାର୍ଯ୍ୟକାରିଣୀ ପୂର୍ବରୁ ପଦାଧିକାରୀ ବୈଠକରେ ଏ ବିଷୟରେ ଆଲୋଚନା ହୋଇଛି ।
BJP Official Meeting (ETV Bharat Odisha)
ସେ ଆହୁରି କହିଛନ୍ତି,"ବିଜେପି ରାଜ୍ୟ ପଦାଧିକାରୀ ବୈଠକରେ କ୍ଷେତ୍ରୀୟ ପ୍ରଭାରୀ, ପ୍ରଭାରୀ, ସହ ପ୍ରଭାରୀଙ୍କ ସହ ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ । ବୈଠକରେ ନିର୍ବାଚନ ସମୀକ୍ଷା ହେବା ସହ ସହଯୋଗ ପାଇଁ ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ । କର୍ମୀଙ୍କ ଅକ୍ଲାନ୍ତ ପରିଶ୍ରମ ପାଇଁ ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କୁ ଶ୍ରେୟ ଦିଆଯିବ । ବିଜେପି ଯାହା ପ୍ରତିଶ୍ରୁତି ଦେଇଥିଲା ତାକୁ ପୂରଣ କରିବାର ପ୍ରୟାସ ଆରମ୍ଭ ହୋଇଛି । ବାକି ପ୍ରତିଶ୍ରୁତି ପୂରଣ କରିବା ପାଇଁ ଚର୍ଚ୍ଚା ଆଲୋଚନା ହୋଇଛି । ମାସେ ଭିତରେ ମୋହନ ସରକାର ଯେଉଁ ସବୁ ପ୍ରତିଶ୍ରୁତି ପୂରଣ କରିଛନ୍ତି, ସେଥିପାଇଁ ମୋହନ ସରକାରଙ୍କୁ ଧନ୍ୟବାଦ ଦିଆଗଲା । ମୋହନ ସରକାରଙ୍କ ୧ ମାସର ଉପଲବ୍ଧିକୁ ନେଇ ଲୋକଙ୍କ ପାଖକୁ ଯିବ ଦଳ । ପରବର୍ତ୍ତୀ କାର୍ଯ୍ୟକାରିଣୀ ଏବଂ ଅନ୍ୟ ବୈଠକରେ ମଧ୍ୟ ଏହି ବିଷୟ ଉପରେ ଆଲୋଚନା ହେବ।"
ଏହା ବି ପଢନ୍ତୁ...ପ୍ରତିଶ୍ରୁତି ପୂରଣ ପାଇଁ ନୂଆ ସରକାରଙ୍କ ରୋଡମ୍ୟାପ୍, କାର୍ଯ୍ୟକାରିଣୀ ବୈଠକରେ ହେବ ଆଲୋଚନା - BJP Executive Meeting
ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ପଦାଧିକାରୀ ବୈଠକ ବସିଥିଲା । ଏହି ବୈଠକରେ ରାଜ୍ୟ ବିଜେପିର ସମସ୍ତ ପଦାଧିକାରୀ, ରାଜ୍ୟ ସଙ୍ଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ସମସ୍ତ ମୋର୍ଚ୍ଚାର ସଭାପତି ଉପସ୍ଥିତ ଥିଲେ । କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା ହେବାକୁ ଥିବା ପ୍ରସ୍ତାବ ଗୁଡ଼ିକ ଉପରେ ପଦାଧିକାରୀ ବୈଠକରେ ମୋହର ବାଜିଛି । 19 ଏବଂ 20 ତାରିଖରେ ବିଜେପିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକାରିଣୀ ସଭା ସ୍ଥଳରେ ଓଡ଼ିଶାର ବିପ୍ଳବୀ, ସ୍ୱାଧୀନତା ସଂଗ୍ରାମୀ, ବରପୁତ୍ର ଓ କବି ମାନଙ୍କ ଫଟୋ ଚିତ୍ର ଏବଂ ବାର୍ତ୍ତାକୁ ସ୍ଥାନ ଦେଇ ସମ୍ମାନ ଜଣାଇଛି ବିଜେପି । ସଭା ମଞ୍ଚରେ ସ୍ଥାନ ପାଇଛି କୋଣାର୍କ ଚକ ସହ ଶ୍ରୀମନ୍ଦିର ନୀଳଚକ୍ରର ପ୍ରତିକୃତି । ଏହାସହ ଉତ୍କଳର ବୈଭବଶାଳୀ ଇତିହାସ, ପୁରାତନ ମନ୍ଦିର ଏବଂ ପ୍ରସିଦ୍ଧ କଳାକୃତିରେ ସଜେଇ ହୋଇଛି କାର୍ଯ୍ୟକାରିଣୀ ସଭାସ୍ଥଳ । ମୋଦି ସରକାରଙ୍କ ବିକାଶ ମୂଳକ ତଥା ଜନ କଲ୍ୟାଣକାରୀ ଯୋଜନାର ବିସ୍ତୃତ ବିବରଣୀ ମଧ୍ୟ ପ୍ରଦର୍ଶିତ କରାଯାଇଥିବାବେଳେ ନିର୍ବାଚନ ପରବର୍ତ୍ତୀ ସମୀକ୍ଷା ବି କରିବେ କେନ୍ଦ୍ରୀୟ ନେତା ।
ଇଟିଭି ଭାରତ, ଭୁବନେଶ୍ବର