ଓଡିଶା

odisha

ETV Bharat / politics

'ମୁଖ୍ୟମନ୍ତ୍ରୀଙ୍କୁ ବନ୍ଧନ କରି ରଖିଛନ୍ତି ପାଣ୍ଡିଆନ'; ମୁକ୍ତ କରିବାକୁ ପୋଲିସ ଡିଜିଙ୍କୁ ବିଜେପିର ଚିଠି - free Naveen Patnaik from Pandian - FREE NAVEEN PATNAIK FROM PANDIAN

Odisha BJP Appeals to DGP: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ପାଣ୍ଡିଆନ ବନ୍ଧନ କରି ରଖିଥିବା ନେଇ ପୁଣି ଅଭିଯୋଗ ଆଣିଲା ବିଜେପି । ମୁଖ୍ୟମନ୍ତ୍ରୀଙ୍କୁ ମୁକୁଳାଇବା ପାଇଁ ଡିଜିପିଙ୍କୁ ଚିଠି ଲେଖିଲା ବିଜେପି । ଅଧିକ ପଢ଼ନ୍ତୁ

BJP writes to Police DG
BJP writes to Police DG (ETV Bharat Odisha)

By ETV Bharat Odisha Team

Published : May 24, 2024, 7:47 PM IST

ଭୁବନେଶ୍ବର: ରାଜ୍ୟରେ ବାବୁ ଶାସନ ଚାଲିଥିବା ବାରମ୍ବାର ଅଭିଯୋଗ କରିଆସୁଛି ବିଜେପି । ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶାକୁ ଘନ ଘନ ଗସ୍ତ କରୁଥିବା ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଏହି ପ୍ରସଙ୍ଗ ଉଠାଇ 5T ଅଧ୍ୟକ୍ଷ ତଥା ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କରୁଛନ୍ତି । ତେବେ ଏହି ପ୍ରସଙ୍ଗରେ ଆଉ ପାଦେ ଆଗକୁ ଯାଇ ପୋଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ପାଣ୍ଡିଆନ ବନ୍ଧନ କରି ରଖିଛନ୍ତି, ସେହି ବନ୍ଧନରୁ ତାଙ୍କୁ ମୁକ୍ତ କରିବା ପାଇଁ ଡିଜିପିଙ୍କୁ ଚିଠି ଲେଖିଛନ୍ତି ସମୀର । ପାଣ୍ଡିଆଙ୍କ କବଳରୁ ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରି ରାଜ୍ୟର ଗଣମାଧ୍ୟମ ସହ ଆଲୋଚନା କରିବାର ସୁଯୋଗ ସୃଷ୍ଟି କରନ୍ତୁ ବୋଲି ଏହି ଚିଠି ମାଧ୍ୟମରେ ଉଲ୍ଲେଖ କରିଛନ୍ତି । ଏହି ଚିଠିକୁ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ପଠାଇଛନ୍ତି । ସମୀର ମହାନ୍ତି ଚିଠିରେ ଦର୍ଶାଇଛନ୍ତି, 'ଓଡ଼ିଶାର ଏକ ସମ୍ବେଦଶୀଳ ବିଷୟ ସମ୍ପର୍କରେ ଆପଣ ନିଶ୍ଚୟ ଅବଗତ ଥିବେ । ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଗତ କିଛିଦିନ ହେବ ତାଙ୍କର ପୂର୍ବତନ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ବନ୍ଧନ କରି ରଖୁଛନ୍ତି । ଅନେକ ଘଟଣାରୁ ଏହା ପ୍ରମାଣିତ ହୋଇସାରିଛି । ମୁଖ୍ୟମନ୍ତ୍ରୀଙ୍କ ନିଜ ଦଳ ବିଜେଡି ପକ୍ଷରୁ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଭିଡିଓ ଗୁଡ଼ିକରୁ ଏହା ପ୍ରତିପାଦିତ ହୋଇଛି ।'

ସେ ଏଥିରେ ଆହୁରି ଲେଖିଛନ୍ତି, 'ପାଣ୍ଡିଆନ ଏବଂ ତାଙ୍କ ଗୋଷ୍ଠୀରେ ଥିବା କିଛି ଅଣଓଡ଼ିଆ ଅଧିକାରୀମାନେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସମ୍ପୂର୍ଣ୍ଣ ରୂପେ ବନ୍ଧନ କରି ରଖିଛନ୍ତି । ଯେଉଁଠି ନିୟମ ଅନୁଯାୟୀ ତାଙ୍କ ସହ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ଆପଣ ମଧ୍ୟ ଚର୍ଚ୍ଚା କରିପାରୁଛନ୍ତି କି ନାହିଁ ସେନେଇ ଆମର ସନ୍ଦେହ ରହିଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଅବସ୍ଥା କ’ଣ, ତାହା ଜାଣିବାର ଅଧିକାର ସମସ୍ତ ଓଡିଶାବାସୀଙ୍କର ଅଛି । ତେଣୁ ଓଡ଼ିଶା ବିଜେପି ପକ୍ଷରୁ ନିବେଦନ କରାଯାଉଛି, ଆପଣ ଜଣେ ବିଚାରପତି ଓ କିଛି ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ଭିକେ ପାଣ୍ଡିଆନଙ୍କ କବଳରୁ ମୁକ୍ତ କରି ରାଜ୍ୟର ଗଣମାଧ୍ୟମ ସହ ଆଲୋଚନା କରିବାର ସୁଯୋଗ ସୃଷ୍ଟି କରନ୍ତୁ । ଆମେ ଆଶା କରୁଛୁ, ରାଜ୍ୟର ବୃହତର ସ୍ବାର୍ଥ ଦୃଷ୍ଟିରୁ ଏଭଳି ଏକ ସମ୍ବେଦନଶୀଳ ବିଷୟ ପ୍ରତି ଆପଣ ଗୁରୁତ୍ବ ପ୍ରଦାନ କରିବେ ଓ ଏହି ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ ।'

ଏହା ମଧ୍ୟ ପଢ଼ନ୍ତୁ...ମୁଖ୍ୟମନ୍ତ୍ରୀଙ୍କୁ ବନ୍ଧକ ରଖାଯାଇଛି, ମୁକ୍ତ କରାଯାଉ: ବିଜେପି - BJP Targets BJD

ତେବେ ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ରାମ ଦରକାର ଓ ରାଜ୍ୟରେ ବାବୁ ଶାସନ ଚାଲିଛି କହି ପ୍ରଧାନମନ୍ତ୍ରୀ ମୋଦି, ଶାହ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ବାରମ୍ବାର ବିଜେଡି ଓ ଦଳର ନେତା ଭକେ ପାଣ୍ଡିଆନଙ୍କୁ ଟାର୍ଗେଟ କରୁଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ଆଉ ସୁସ୍ଥ ନଥିବା ମଧ୍ୟ ବାରମ୍ବାର ଅଭିଯୋଗ କରୁଛି ବିଜେପି । ଏହି ପ୍ରସଙ୍ଗରେ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସ୍ପଷ୍ଟ କରିଥିଲେ ନିଜେ ମୁଖ୍ୟମନ୍ତ୍ରୀ । ଏପରିକି ବିଜେପିକୁ କଟାକ୍ଷ କରି ମିଛ କହିବାର ଗୋଟିଏ ସୀମା ଅଛି ବୋଲି କହିଥିଲେ । ଏହାରି ଭିତରେ ବିଜେପିର ପୋଲିସ ଡିଜିଙ୍କୁ ଏପରି ଚିଠି ରାଜ୍ୟ ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details