ଓଡିଶା

odisha

ETV Bharat / politics

ନିମାପଡ଼ା ବିଧାନସଭା କ୍ଷେତ୍ରରେ ରାଜନୈତିକ ତାତି, ପୁଣି ସମୀର ନା ହେବ ପରିବର୍ତ୍ତନ ?

Odisha Assembly Election 2024: 2024 ନିର୍ବାଚନ ପୂର୍ବରୁ ନିମାପଡ଼ା ବିଧାନ ସଭା କ୍ଷେତ୍ର ଚଳଚଞ୍ଚଳ । ରଣନୀତି ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀ । ତେବେ ବିଜେଡିରୁ ପୁଣି ଟିକେଟ୍‌ ପାଇ 4ର୍ଥ ଥର ଜିତିବେ ସମୀର ଦାସ ନା ପରିବର୍ତ୍ତନ ଲକ୍ଷ୍ଯରେ ଜନତା ? ପଢ଼ନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

By ETV Bharat Odisha Team

Published : Feb 27, 2024, 9:20 PM IST

Odisha Assembly Election 2024
Odisha Assembly Election 2024

Odisha Assembly Election 2024

ପୁରୀ/ନିମାପଡ଼ା: ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଚର୍ଚ୍ଚାରେ ପୁରୀ ଜିଲ୍ଲା ନିମାପଡ଼ା ବିଧାନସଭା ଆସନ । ଏବେଠାରୁ 2024 ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି । ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି, ବିଭିନ୍ନ ଦଳରେ ଆଶାୟୀ ପ୍ରାର୍ଥୀମାନଙ୍କ ସଂଖ୍ୟା ସେତିକି ବଢ଼ିବାରେ ଲାଗିଛି । ବିଭିନ୍ନ ଦଳ ଏଠାରେ କିଭଳି ନିର୍ବାଚନ ବୈତରଣୀ ପାରି ହେବେ, ସେନେଇ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଶାସକ ବିଜେଡିର ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି ଏକାଧିକ ଆଶାୟୀ ପ୍ରାର୍ଥୀ । ସେପଟେ ବିରୋଧୀ ବିଜେପି ଓ କଂଗ୍ରେସରୁ ମଧ୍ୟ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା କମ ନୁହେଁ ।

Odisha Assembly Election 2024

ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ: ଏହି ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଛି ନିମାପଡ଼ା ଓ ଗୋପ ବ୍ଲକର ମୋଟ 46ଟି ପଞ୍ଚାୟତ ଏବଂ ନିମାପଡା ଏନ୍‌ଏସି । ନିମାପଡା ବ୍ଲକ ଅଧୀନ ସମସ୍ତ 32ଟି ପଞ୍ଚାୟତ ସହିତ ନିମାପଡା ଏନ୍‌ଏସି ଏବଂ ଗୋପ ବ୍ଲକର 14ଟି ପଞ୍ଚାୟତ ଏହି ନିର୍ବାଚନ ମଣ୍ଡଳୀରେ ରହିଛି । ଏହି ନିର୍ବାଚନ ମଣ୍ଡଳୀରେ 2 ଲକ୍ଷ 19 ହଜାର 586 ଜଣ ଭୋଟର 2024 ସାଧାରଣ ନିର୍ବାଚନରେ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

ପୂର୍ବ ନିର୍ବାଚନ ଫଳାଫଳ:-

2019 ନିର୍ବାଚନ ଫଳାଫଳ: 2019 ମସିହାରେ ତୃତୀୟ ଥର ପାଇଁ ବିଜୁ ଜନତା ଦଳରୁ ସମୀର ରଞ୍ଜନ ଦାସ ଟିକେଟ ପାଇ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ 91 ହଜାର 160 ଖଣ୍ଡ ଭୋଟ ପାଇ ଏକତରଫା ବିଜୟ ହାସଲ କରିଥିଲେ । ବିଜେପି ଦଳରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରଭାତୀ ପରିଡ଼ା 59 ହଜାର 152 ଖଣ୍ଡ ଭୋଟ ପାଇ ଦ୍ବିତୀୟରେ ରହିଥିବାବେଳେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଦିଲ୍ଲୀପ ନାୟକ 33 ହଜାର 576 ଖଣ୍ଡ ଭୋଟ ପାଇ ତୃତୀୟରେ ଥିଲେ ।

2014 ନିର୍ବାଚନ ଫଳାଫଳ: 2014 ମସିହାରେ ଦ୍ବିତୀୟ ଥର ପାଇଁ ବିଜେଡିରୁ ସମୀର ରଞ୍ଜନ ଦାସ ଟିକେଟ ପାଇ 86 ହଜାର 958 ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିଲେ । ବିଜେପି ପକ୍ଷରୁ ପ୍ରଭାତୀ ପରିଡ଼ା ଏଥର ପ୍ରଥମ ଥର ପାଇଁ ପ୍ରତିଦ୍ବନ୍ଦ୍ବିତା କରିଥିଲେ । ସେ 57 ହଜାର 321 ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଥିଲେ । କଂଗ୍ରେସ ଦଳରୁ ଡଃ ବିଶ୍ବରଞ୍ଜନ ମହାନ୍ତି ନିମାପଡ଼ାରୁ ନିର୍ବାଚନ ଲଢ଼ିଥିଲେ । ସେ କେବଳ 20 ହଜାର 748 ଖଣ୍ଡ ଭୋଟ ପାଇବାକୁ ସକ୍ଷମ ହୋଇଥିଲେ ।

2009 ନିର୍ବାଚନ ଫଳାଫଳ: 2009 ମସିହାରେ ନିମାପଡ଼ା ନିର୍ବାଚନ ମଣ୍ଡଳୀରୁ ପ୍ରଥମ ଥର ପାଇଁ ବିଜୟୀ ହୋଇଥିଲେ ବିଜେଡି ପ୍ରାର୍ଥୀ ସମୀର ରଞ୍ଜନ ଦାସ । ସେ ଏହି ଆସନରୁ ପ୍ରଥମ ଥର ପାଇଁ ଲଢ଼ି 80 ହଜାର 762 ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ସେହିଥର କଂଗ୍ରେସ ଦଳରୁ ସତ୍ୟବ୍ରତ ପାତ୍ର ପ୍ରାର୍ଥୀ ହୋଇ 41 ହଜାର 608 ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ । ସେହିଭଳି ଭାରତୀୟ ଜନତା ଦଳରୁ ପ୍ରାର୍ଥୀ ହୋଇଥିବା ଶଙ୍କର୍ଷଣ ପରିଡ଼ା ମାତ୍ର 19 ହଜାର 183 ଖଣ୍ଡ ଭୋଟ ପାଇଥିଲେ । ସେତେବେଳେ ସ୍ଵାଧୀନ ପାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ ଏବେର ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା । ସେ 6 ହଜାର 820 ଖଣ୍ଡ ଭୋଟ ମଧ୍ୟ ପାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ସରଗରମ ବୀରମିତ୍ରପୁର ରାଜନୀତି, ରିପିଟ୍‌ କରିବ ବିଜେପି ନା ନୂଆମୁହଁ ଖୋଜିବେ ଭୋଟର ?

ବିଜେଡି ପାଖରେ ଆଶାୟୀଙ୍କ ଲମ୍ବା ତାଲିକା: ନିମାପଡ଼ାରେ ବିଜେଡି ଦଳରୁ ସର୍ବାଧିକ 7 ଜଣରୁ ଊର୍ଦ୍ଧ୍ବ ଆଶାୟୀ ପ୍ରାର୍ଥୀ ରହିଛନ୍ତି । ଗତ 2009, 2014 ଏବଂ 2019 ମସିହା ନିର୍ବାଚନରେ କ୍ରମାଗତ ଭାବେ ବିଜେଡି 3 ଥର ବାଜିମାତ କରିଛି । କିନ୍ତୁ ଏଥର ଦଳର ଲୋକ ପ୍ରିୟତା ଏବଂ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିକୁ ଦୃଷ୍ଟିରେ ରଖି ଦଳରୁ ଅନେକ ଆଶାୟୀ ରହିଛନ୍ତି । ବିଶେଷ କରି କର୍ପୋରେଟ୍‌ ହାଉସରେ ଚାକରି କରିଥିବା ଉଚ୍ଚଶିକ୍ଷିତ ଜିତେନ୍ଦ୍ର ମହାନ୍ତି (ଜିତୁ) ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଅନେକ ଗରିବ ନିରୀହ ଲୋକଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଆସୁଛନ୍ତି । ବ୍ୟବସାୟୀଙ୍କୁ ମାପ ଓଜନ କଣ୍ଟା, 25 ଜଣ ହକରମାନଙ୍କୁ ସାଇକେଲ ଦେବା, 3 ହଜାର ସ୍କୁଲ୍ ପିଲାଙ୍କୁ ବ୍ୟାଗ୍ ଦେବା, ବିଭିନ୍ନ ଅସହାୟ ପରିବାରକୁ ଆର୍ଥିକ ସହାୟତା କରି ଭୋଟରଙ୍କ ନିକଟତର ହେବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି । ସେହିଭଳି ବଣିକ ଫାଉଣ୍ଡର ଶିକ୍ଷାବିତ ସୁବ୍ରତ ଛାଟୋଇ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ ଜନସାଧାରଣଙ୍କ ନିକଟତର ହେବାକୁ ଚେଷ୍ଟା କରୁଛନ୍ତି । ନନ୍ଦିଘୋଷ ଫାଉଣ୍ଡର ଅଧ୍ୟକ୍ଷା ରୋଜାଲିନ ନାୟକ ମଧ୍ୟ ଶାସକ ଦଳ ଟିକେଟ୍‌ରେ ପ୍ରାର୍ଥୀ ହେବାପାଇଁ ପ୍ରୟାସ ଜାରି ରଖିଛନ୍ତି । ଦଳର ଅନ୍ୟତମ ଆଶାୟୀ ସତ୍ୟବ୍ରତ ପାତ୍ର 2019 ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି କରି ବିଜେଡିରେ ଯୋଗ ଦେଇଥିଲେ ।

ସମୀରଙ୍କ ରାସ୍ତାରେ ଆଶାୟୀ ସାଜିବେ କଣ୍ଟା !: 2009, 2014 ଏବଂ 2019 ନିର୍ବାଚନରେ ପ୍ରତିପକ୍ଷଙ୍କୁ ପରାସ୍ତ କରି କ୍ରମାଗତ ଭାବେ 3 ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ସମୀର ରଞ୍ଜନ ଦାସ । ପୂର୍ବରୁ ପୁରୀ ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ରହିସାରିଛନ୍ତି । ହେଲେ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ରହସ୍ୟଜନକ ମୃତ୍ୟୁ ପରେ ଅନେକ ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ ସମୀର । କେବଳ ସେତିକି ନୁହେଁ, 11 ନମ୍ବର ଜିଲ୍ଲା ପରିଷଦ ଜୋନ ଉପନିର୍ବାଚନରେ ଦଳର ପରାଜୟ ପରେ ଦଳର ସୁପ୍ରିମୋ ସମୀରଙ୍କ ଉପରେ ଅସନ୍ତୁଷ୍ଟ ହୋଇଛନ୍ତି । ଏହାପରେ ସମୀର ମନ୍ତ୍ରୀ ପଦରୁ ମଧ୍ୟ ବିଦା ହୋଇଛନ୍ତି । ତେଣୁ ନିମାପଡା ବିଧାୟକଙ୍କ କଳା କାରନାମା, ଦୁର୍ନୀତିକୁ ହାଇକମାଣ୍ଡଙ୍କ ନିକଟରେ ଉପସ୍ଥାପିତ କରି ଟିକେଟ ହାତେଇବା କାର୍ଯ୍ୟରେ ଲାଗିପଡିଛନ୍ତି ଆଶାୟୀ । ହେଲେ ସମୀର କହିଛନ୍ତି, "ନିମାପଡ଼ା ଓ ଗୋପ ବ୍ଲକବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ 6ଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରିବାକୁ ମନ ସ୍ଥିର କରିଛନ୍ତି । ସେହିକ୍ରମରେ ନିମାପଡ଼ାରୁ ସମୀର ଦାସଙ୍କୁ ବିଜୟୀ କରାଇବେ । ଆଶାୟୀ ତ ବହୁତ ରହିବେ ।" ହେଲେ ଟିକେଟ୍‌ ତାଙ୍କୁ ହିଁ ମିଳିବ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...2024 ଫାଇଟ୍: କାହାର ହେବ ଜୟଦେବ ବିଧାନସଭା ? ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ତାଲିକାରେ ଅନେକ ଆଶାୟୀ

ପଦ୍ମ ଫୁଟାଇବାକୁ ପ୍ରଭାତୀଙ୍କ ଦମ୍ଭୋକ୍ତି: 2009ରେ ସ୍ବାଧୀନ ଓ 14 ଏବ୍‌ 29 ନିର୍ବାଚନରେ ବିଜେପି ଟିକେଟ୍‌ରୁ ଲଢ଼ି ତିନି ତିନି ଥର ପରାଜୟର ସ୍ବାଦ ଚାଖିଲେଣି ରାଜ୍ୟ ବିଜେପି ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା । ଏଥର ମଧ୍ୟ ସେ ଏଠାରୁ ବିଜେପି ଟିକେଟ୍‌ ପାଇଁ ରେସ୍‌ରେ ଆଗୁଆ । ସେ କହିଛନ୍ତି, "ରାଜ୍ୟ ସରକାରଙ୍କ ଅପାରଗତା ଓ ଦୁର୍ନୀତି ଏଥର ମୋର ମୁଖ୍ୟ ମୁଦ୍ଦା ହେବ । ତେଣୁ ନିମାପଡ଼ା ଭୋଟର ଏଥର ବିଜେପିକୁ ସମର୍ଥନ ଦେବେ ।" ସେପଟେ ହାତ ଛାଡ଼ି ପଦ୍ମ ଧରିଥିବା ଦିଲ୍ଲୀପ ନାୟକ ମଧ୍ୟ ଚଳିତ ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ବିଜେପି ଟିକେଟ ଆଶାୟୀ ଅଛନ୍ତି । ସେ ମଧ୍ୟ 2024 ନିର୍ବାଚନରେ ଭାରତୀୟ ଜନତା ଦଳ ନିମାପଡ଼ାରେ ପଦ୍ମ ଫୁଟାଇବ ବୋଲି କହିଆସୁଛନ୍ତି ।

କଂଗ୍ରେସ ସଂଗଠନ ସଜାଡ଼ୁଛନ୍ତି ସୁର ନନ୍ଦନ: ନିମାପଡ଼ାରେ କଂଗ୍ରେସ ଦଳ ଏକପ୍ରକାର ସୁପ୍ତ ଅବସ୍ଥାରେ ଥିବାପରି ମନେ ହେଉଥିଲା । ହେଲେ ଏବେ ଏହି ସୁପ୍ତ ସଂଗଠନକୁ ଜାଗ୍ରତ କରାଇବାରେ ଲାଗିପଡ଼ିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ । ସେ ନିମାପଡ଼ାରେ ରହି 2024 ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି କରୁଥିବା ଦେଖିବାକୁ ମିଳୁଛି । ଯଦିଓ କଂଗ୍ରେସ ଟିକେଟ୍‌ ପାଇଁ ଏଠାରୁ ଏକାଧିକ ଆଶାୟୀ ରହିଛନ୍ତି, ହେଲେ ସିଦ୍ଧାର୍ଥ ସବୁଠାରୁ ଆଗରେ । ସେ କହିଛନ୍ତି, "ନିମାପଡ଼ା ସହ ମୋର ନୀବିଡ଼ ସମ୍ପର୍କ । ଏଠାରେ ଅଜାଙ୍କ ଘରେ ପିଲାଦିନୁ ରହିଛି । ଚାଷୀଙ୍କ ପ୍ରତି 25 ବର୍ଷର ବିଜେଡି ସରକାର ବହୁ ଅନ୍ୟାୟ କରିଛି । କିଛି କରିପାରିବି ଭାବି ଏଠାକୁ ଆସିଛି । ନେତା ହେବାକୁ ନୁହେଁ, ବରଂ ସେବା କରିବାକୁ ଆସିଛି ।"

ଇଟିଭି ଭାରତ, ପୁରୀ/ନିମାପଡ଼ା

ABOUT THE AUTHOR

...view details