ନିଆଳି:କଂଗ୍ରେସକୁ ଲାଗିଛି ବଡ଼ ଝଟକା । କଟକ ଜିଲ୍ଲା ନିଆଳିର କଂଗ୍ରେସ ପ୍ରାର୍ଥୀ ଜ୍ୟୋତି ରଞ୍ଜନ ମଲ୍ଲିକଙ୍କ ନାମାଙ୍କନପତ୍ର ଖାରଜ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଜ୍ୟୋତି ରଞ୍ଜନ । "ଉଦ୍ଦେଶ୍ୟମୂଳକ ଭାବେ ମୋତେ ନିର୍ବାଚନରୁ ବାଦ୍ ଦିଆଗଲା । ସମସ୍ତ କାଗଜପତ୍ର ଦାଖଲ ପରେ ବି ମୋର ନାମାଙ୍କନପତ୍ର ଖାରଜ କରାଯାଇଛି । ମୁଁ ଏବେ ସରପଞ୍ଚ ଅଛି କିଏ କେଉଁ ଉଦ୍ଦେଶ୍ୟ ରଖି ଭୋଟର ତାଲିକାରୁ ନାଁ କାଟିଲା ?" ବୋଲି ପ୍ରଶ୍ନ କରିବା ସହ ଏହା ସ୍ଥାନୀୟ ବିଧାୟକଙ୍କ ଗୋଷ୍ଠୀଙ୍କ ଦ୍ବାରା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ଜ୍ୟୋତି । ଏନେଇ ଆଇନର ଆଶ୍ରୟ ନେବେ ବୋଲି ସେ କହିଛନ୍ତି ।
ଶେଷ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ଆଉ ମାତ୍ର ୧୪ ଦିନ ବାକି ଥିବାବେଳେ ନିଆଳି କଂଗ୍ରେସକୁ ଲାଗିଛି ବଡ଼ ଝଟକା । ୪ ମାସ ତଳୁ ଯୁବ ଚେହେରା ଜ୍ୟୋତି ରଞ୍ଜନ ମଲ୍ଲିକଙ୍କୁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା । ଗତ ମଙ୍ଗଳବାର ଦିନ ହଜାର ହଜାର କଂଗ୍ରେସ କର୍ମୀ ଏବଂ ସମର୍ଥକମାନଙ୍କୁ ନେଇ ଜ୍ୟୋତି ରଞ୍ଜନ ନିଜର ନାମାଙ୍କନ ପତ୍ର କଟକ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଥିଲେ । ଏବେ କିନ୍ତୁ ଜ୍ୟୋତି ରଞ୍ଜନଙ୍କ ନାମାଙ୍କନ ପତ୍ର ଖାରଜ ହୋଇଯାଇଥିବା ନେଇ ନିଜେ ଜ୍ୟୋତି ରଞ୍ଜନ ମଲ୍ଲିକ ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି । ଜ୍ୟୋତି ରଞ୍ଜନ ମଲ୍ଲିକ କହିଛନ୍ତି,"କେହି ଚକ୍ରାନ୍ତ କରି ତାଙ୍କ ନାଁକୁ କାଟି ଦେଇଛନ୍ତି । ଫଳରେ ମୁଁ କଂଗ୍ରେସ ପ୍ରାର୍ଥୀ ତାଲିକାରୁ ବାଦ ପଡ଼ିଛି । ଏଭଳି ହୀନ କାର୍ଯ୍ୟ ଏଠାକାର ବିଧାୟକ ଗୋଷ୍ଠୀ ଏବଂ ନିଆଳି ବ୍ଳକ ପ୍ରଶାସନ କରିଛି" ବୋଲି ଜ୍ୟୋତି ରଞ୍ଜନ ଗୁରୁତର ଅଭିଯୋଗ କରିଛନ୍ତି ।