ଭୁବନେଶ୍ୱର: 'ବିଧାୟକ ଭାବେ ଜନସାଧାରଣଙ୍କ ସହ ରହି କାର୍ଯ୍ୟ କରିଛି । ମନ୍ତ୍ରୀ ଭାବେ କାର୍ଯ୍ୟ ବେଳେ ଦୁର୍ନୀତି ମୋତେ ସ୍ପର୍ଶ କରିନାହିଁ । ତେଣୁ ନିର୍ବାଚନ ମଣ୍ଡଳୀରେ ମୋ ବିରୋଧୀ ଲହର ଥିବା ଅନୁଭବ କରୁନାହିଁ । କିଛି ଜିଲ୍ଲାସ୍ତରୀୟ ନେତା ଷଡ଼ଯନ୍ତ୍ର କରି ମୋ ଟିକଟ କାଟିଛନ୍ତି । ସମର୍ଥକ ଓ କର୍ମୀଙ୍କ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନେବି ବୋଲି ସେ କହିଛନ୍ତି ।' ଏଭଳି କହିଛନ୍ତି ଏରସମା- ବାଲିକୁଦା ଟିକେଟ କଟିବା ପରେ ବିଧାୟକ ରଘୁନନ୍ଦନ ଦାସ ।
ଆଜି(ସୋମବାର) ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ଏରସମା- ବାଲିକୁଦା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ ଶାରଦା ପ୍ରସାଦ ଜେନାଙ୍କ ନାଁ ଘୋଷଣା କରିଛି ଦଳ । ତେବେ 2019ରେ ଏହି ମଣ୍ଡଳୀରୁ ନିର୍ବାଚନ ଲଢି ଜିତିଥିବା ରଘୁନନ୍ଦନ ଦାସଙ୍କ ଟିକଟ କଟିଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ରଘୁନନ୍ଦନ ।
ସେ କହିଛନ୍ତି ଯେ, ବହୁ ବିଳମ୍ବରେ ଆଜି ବିଜେଡି ବାଲିକୁଦା - ଏରସମା ପ୍ରାର୍ଥୀ ଘୋଷଣା କରିଛି । ଟିକଟ କଟିଥିବାରୁ ମୁଁ ନିଶ୍ଚିତ ଭାବେ ଦୁଃଖିତ । ଦୀର୍ଘ ସମୟ ଧରି ଦଳ ଟିକଟ ଝୁଲେଇ ରଖିଥିବାରୁ ଲୋକେ ଅଧିକ ସଙ୍କିତ ଅବସ୍ଥାରେ ଥିଲେ । ବାରମ୍ବାର ସେମାନେ ଆମ ସହିତ ଯୋଗଯୋଗ କରିଥିଲେ । ଟିକଟ କାହିଁକି ଘୋଷଣା ହେଉନାହିଁ ବୋଲି ପ୍ରଶ୍ନ କରିଥିଲେ । ଟିକଟ ଘୋଷଣା ହୋଇଥିବାରୁ ଖୁସି । କିନ୍ତୁ ମୋତେ ଟିକେଟ ମିଳିନଥିବାରୁ ଦୁଃଖିତ ।
ସେ ଆହୁରି ମଧ୍ୟ କହିଛନ୍ତି, "ମୋତେ ଆଜି (ସୋମବାର) ନବୀନ ନିବାସ ଡକାଯାଇଥିଲା । ମୋତେ ନବୀନ ନିବାସରେ କୁହାଗଲା କି ମୋର ଅସୁସ୍ଥତା ସମୟରେ ମୋ ବିରୋଧୀ ଲହର ଅଞ୍ଚଳରେ ବଢିଛି । ତେଣୁ ମୋ ବିଜୟ ସମ୍ଭାବନା ବହୁତ କମ ବୋଲି ସେଠାରେ କୁହାଗଲା । ତେଣୁ ମୋ ଟିକଟ କଟାଗଲା । ମୁଁ ମୋ ପକ୍ଷ ରଖିଲି । ତାହା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କୁହାଯାଇଛି । ଅଞ୍ଚଳରେ ସର୍ଭେ ହୋଇଛି ବୋଲି କୁହାଯାଉଛି । ଅଞ୍ଚଳରୁ ଅନେକ ଦାବିଦାର ଟିକେଟ ପାଇଁ ଆବେଦନ କରିଥିଲେ । ଅନେକ ଲୋକ ଭୁବନେଶ୍ୱର ଆସିଥିଲେ । ଟିକଟ ପାଇଁ ଦାବି କରୁଥିଲେ । ମୋ ବିରୋଧୀ ଲହର ଅଞ୍ଚଳରେ ବଢିଥିବା ଦଳ ଅନୁଭବ କରିଥିବ ।"
ଏହାମଧ୍ୟ ପଢନ୍ତୁ.. ଆଉ 6 ଆସନରେ ପ୍ରାର୍ଥୀ ଦେଲା ବିଜେଡି: ହିନ୍ଦୋଳରୁ ବିଧାନସଭା ଲଢ଼ିବେ ମହେଶ, କାକଟପୁରରୁ ତୁଷାରକାନ୍ତି ରିପିଟ୍ - BJD CANDDATE LIST