ପାଟନା:ପୁଣି ପଲଟି ମାରିଲେ ନୀତିଶ କୁମାର । 9ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ନୀତିଶ କୁମାର ଆଜି ଶପଥ ନେଇଛନ୍ତି । ସଂଧ୍ୟାରେ ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ନୀତିଶଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ନୀତିଶଙ୍କ ବ୍ୟତୀତ ବିଜେପି ନେତା ତଥା ଦଳର ରାଜ୍ୟ ସଭାପତି ସମ୍ରାଟ ଚୌଧୁରୀ ଓ ଉପନେତା ବିଜୟ ସିହ୍ନାଙ୍କ ସମେତ ମୋଟ 8 ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓ ଆରଏଲଜେପି ନେତା ଚିରାଗ ପାଶଓ୍ୱାନଙ୍କୁ ମଧ୍ୟ କାର୍ଯ୍ୟକ୍ରମ ମଞ୍ଚରେ ଦେଖିବାକୁ ମିଳିଛନ୍ତି ।
ମନ୍ତ୍ରୀ ଭାବେ ଶପଥ ନେଇଥିବା ଅନ୍ୟ ବିଧାୟକମାନଙ୍କ ମଧ୍ୟରେ ଡ.ପ୍ରେମ କୁମାର (ବିଜେପି), ବିଜୟ କୁମାର ଚୌଧରୀ (ଜେଡିୟୁ), ବିଜେନ୍ଦ୍ର ପ୍ରସାଦ ଯାଦବ (ଜେଡିୟୁ), ଶ୍ରବଣ କୁମାର (ଜେଡିୟୁ), ସନ୍ତୋଷ କୁମାର ସୁମନ (ହାମ), ସୁମିତ କୁମାର ସିଂ (ସ୍ବାଧୀନ) ରହିଛନ୍ତି । କାର୍ଯ୍ୟକ୍ରମ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ନୀତିଶ ଓ ବିହାରର ନୂଆ ସରକାରକୁ ଶୁଭେଚ୍ଛା ଜଣାଇଛନ୍ତି । ବିହାରରେ ଗଠିତ ‘ଏନଡିଏ’ ସରକାର ରାଜ୍ୟର ବିକାଶ ତଥା ରାଜ୍ୟବାସୀଙ୍କ ଆକାଂକ୍ଷା ପୂରଣ କରିବାରେ କୌଣସି ଅବସର ଛାଡିବ ନାହିଁ ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟର (ଏବେ X)ରେ କହିଛନ୍ତି । ତେବେ ଚଳିତ ଦଶନ୍ଧିରେ ଏହା ହେଉଛି ନୀତିଶଙ୍କ 5ଥର ମେଣ୍ଟ ପରିବର୍ତ୍ତନ । ଚଳିତ ବିଧାନସଭାର ଏହା ତାଙ୍କର ଦ୍ୱିତୀୟ ମେଣ୍ଟ ପରବର୍ତ୍ତନ ମଧ୍ୟ ।
ଏହା ମଧ୍ୟ ପଢନ୍ତୁ :- ସନ୍ଧ୍ୟାରେ ଶପଥ ଗ୍ରହଣ ସମାରୋହ, ନୀତିଶଙ୍କ ସମେତ 8 ମନ୍ତ୍ରୀ ନେବେ ଶପଥ