ଓଡିଶା

odisha

ETV Bharat / politics

ବିଜେଡିରେ ସାମିଲ ହେଲେ ବିଧାୟକ ସୁକାନ୍ତ ନାୟକ, ବୃନ୍ଦାବନ ମାଝୀ ଓ ଅବକାଶ ସାମଲ - BJP AND CONGRESS LEADERS JOIN BJD - BJP AND CONGRESS LEADERS JOIN BJD

BJP Congress And CPI Leader Joins BJD: ବିଜେଡିରେ ମିଶିଲେ ହେଲେ ବିଧାୟକ ସୁକାନ୍ତ ନାୟକଙ୍କ ସହ ଅନେକ ବିଜେପି, କଂଗ୍ରେସ ଓ ସିପିଆଇ ନେତା । ଅଧିକ ପଢ଼ନ୍ତୁ

ବିଜେଡି
ବିଜେଡି

By ETV Bharat Odisha Team

Published : Mar 31, 2024, 6:29 PM IST

ବିଜେଡିରେ ସାମିଲ ହେଲେ ବିଧାୟକ ସୁକାନ୍ତ ନାୟକ, ବୃନ୍ଦାବନ ମାଝୀ ଓ ଅବକାଶ ସାମଲ

ଭୁବନେଶ୍ବର: ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଚାଲିଛି ଦଳ ଡିଆଁ ନୀତି । ଗୋଟିଏ ଦଳ ଛାଡି ଆଉ ଗୋଟିଏ ଦଳରେ ସାମିଲ ହେଉଛନ୍ତି ନେତା । ଏହି ପରିପ୍ରେକ୍ଷୀରେ ଆଜି ବିଡେଡିରେ ସାମିଲ ହୋଇଛନ୍ତି ବିଧାୟକ ସୁକାନ୍ତ ନାୟକ । ନୀଳଗିରି ବିଧାୟକ ସୁକାନ୍ତ ନାୟକ ମିଶିବା ପରେ ତାଙ୍କର ଘର ବାହୁଡା ହୋଇଛି ଅର୍ଥାତ ଆଜି ସେ ବିଜେଡିକୁ ଫେରିଛନ୍ତି । ଏହାସହ ବିଜେଡିକୁ ପୂର୍ବତନ କୁଚିଣ୍ଡା ବିଧାୟକ ବୃନ୍ଦାବନ ମାଝୀଙ୍କର ମଧ୍ୟ ଘର ବାହୁଡା ହୋଇଛି । ସେପଟେ କଂଗ୍ରେସ ଓ ସିପିଆଇର ଅନେକ ନେତା ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି ।

ଆଜି ନୀଳଗିରି ବିଧାୟକ ସୁକାନ୍ତ ନାୟକ ବିଜେଡିକୁ ଫେରିଛନ୍ତି । ସେ ୨୦୧୪ରେ ବିଜେଡି ପ୍ରାର୍ଥୀ ହୋଇ ନୀଳଗିରିରୁ ବିଧାୟକ ହୋଇଥିଲେ । ଆଉ ପରେ କିଛି ମାନଭିମାନକୁ ନେଇ ବିଜୁ ଜନତା ଦଳ ଛାଡ଼ି ୨୦୧୯ ରେ ବିଜେପି ଟିକେଟରୁ ନୀଳଗିରି ବିଧାୟକ ଭାବେ ଜିତିଥିଲେ । ଦୁଇ ଦିନ ତଳେ ସେ ବିଜେପିରୁ ଇସ୍ତଫା ଦେଇଥିଲେ । ଆଉ ଆଜି ଶତାଧିକ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ନିଜ ପୁରୁଣା ଦଳକୁ ଫେରିଛନ୍ତି । ଦଳ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଛି ।

ତେବେ ବିଜେଡିରେ ମିଶିବା ପରେ ବିଧାୟକ ସୁକାନ୍ତ ନାୟକ କହିଛନ୍ତି, "ଆମେମାନେ ବିଜୁ ଆଦର୍ଶରେ ଅନୁପ୍ରାଣିତ ହୋଇ ପୁଣି ଥରେ ଦଳରେ ମିଶୁଛୁ । ୨୦୧୯ରେ ବିଜେଡି ଛାଡ଼ିଥିଲୁ । ହେଲେ ଯେଉଁ ଦଳରେ ଯୋଗ ଦେଇଥିଲୁ, ସେଠି ଆମ କର୍ମୀଙ୍କ ସହ ସଂଗଠନର ନେତୃତ୍ୱ କୌଣସି ସମନ୍ୱୟ ରଖିଲେ ନାହିଁ । ତେଣୁ ଆମେ ବିଜେଡିକୁ ଫେରିଲୁ । ଦଳରେ ପୁଣି ଥରେ ମତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଦଳର ଅନ୍ୟ ସାଙ୍ଗଠନିକ ନେତୃବୃନ୍ଦଙ୍କୁ ମୁଁ କୃତଜ୍ଞତା ଜଣାଉଛି । ଆଗକୁ ବିଜେଡିର ବିକାଶ ସହ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରଗତିକୁ ଅଧିକ ତ୍ଵରାନିତ୍ଵ କରିବୁ ।"

ସେହିପରି ଆଜି ପୂର୍ବତନ କୁଚିଣ୍ଡା ବିଧାୟକ ବୃନ୍ଦାବନ ମାଝୀଙ୍କ ଘର ବାହୁଡା଼ ହୋଇଛି । ଆଜି ସେ ବିଜେଡିକୁ ଫେରିଛନ୍ତି । ବୃନ୍ଦାବନ ତାଙ୍କ ସମର୍ଥକ ସହ ଆସି ବିଜେଡିରେ ମିଶିଛନ୍ତି । ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର । ଏହି ପରିପେକ୍ଷୀରେ ସସ୍ମିତ ପାତ୍ର କହିଛନ୍ତି, "ବୃନ୍ଦାବନ ମାଝୀଙ୍କୁ ଦଳକୁ ସ୍ୱାଗତ । ସେ କୁଚିଣ୍ଡା ୧୯୯୦ରୁ ଜନତା ଦଳରୁ ବିଧାୟକ ଥିଲେ । ୨୦୦୪ ରେ ଲାଇକେରାରୁ ବିଜେପି ବିଧାୟକ ବି ଥିଲେ । ଆଜି ସେ ବିଜେପି ଛାଡି ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ମିଶି ଦଳକୁ ସଶକ୍ତ କରିଛନ୍ତି ।

ଏହି ମିଶ୍ରଣ ପର୍ବରେ ବିଜେଡିରେ ସାମିଲ ହେବା ପରେ ବୃନ୍ଦାବନ ମାଝୀ କହିଛନ୍ତି, "ବର୍ତ୍ତମାନ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ଦ୍ରୁତ ବିକାଶ ଚାଲିଛି । ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପି ଛାଡି ବିଜେଡିରେ ନେତା, ମନ୍ତ୍ରୀ ଓ କର୍ମୀ ମିଶୁଛନ୍ତି । ଆମ ଅଞ୍ଚଳରେ ବହୁତ ଉନ୍ନତି ହୋଇଛି, ଆହୁରି ହେବାକୁ ବାକି ଅଛି । ସେଇ ବିକାଶକୁ ଆଗେଇବାକୁ ଆମେ ସମସ୍ତେ ବିଜେଡିରେ ସାମିଲ ହୋଇଛୁ । ମୁଖ୍ୟମନ୍ତ୍ରୀଙ୍କ ବିକାଶର ଧାରାକୁ ଆମ ଅଞ୍ଚଳରେ ବଜାଇ ରଖିବୁ ।"

ସେହିପରି କଂଗ୍ରେସ ଓ ସିପିଆଇର ଅନେକ ନେତା ଆଜି ବିଜେଡିରେ ସାମିଲ ହୋଇଛନ୍ତି । ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର । ଏହି ମିଶ୍ରଣ ପର୍ବରେ ଉପସ୍ଥିତ ରହି ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, "ଆଜି ଏହି କାର୍ଯ୍ୟକ୍ରମରେ ଯେଉଁ ବନ୍ଧୁମାନେ ସିପିଆଇ ଓ କଂଗ୍ରେସ ପରିତ୍ୟାଗ କରି ବିଜେଡିରେ ସାମିଲ ହୋଇଛନ୍ତି ସେମାନଙ୍କୁ ବିଜୁ ପରିବାରକୁ ସ୍ୱାଗତ ।ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବିଚାର ଧାରା, ସାମାଜିକ ସୁରକ୍ଷା, ନାରୀ ସଶକ୍ତିକରଣ କାର୍ଯ୍ୟକ୍ରମ ଯୋଗୁଁ ବିଜେଡି ଆନ୍ଦୋଳନରେ ପରିଣତ ହୋଇଛି । ୨୦୩୬ ସୁଦ୍ଧା ଦେଶର ଏକ ନମ୍ବର ରାଜ୍ୟ କରିବାର ନବୀନ ପଟ୍ଟନାୟକଙ୍କ ପରିକଳ୍ପନା ସାକାର ହେବ।"

ଏହା ମଧ୍ୟ ପଢ଼ନ୍ତୁ...ବିଜେପି ଛାଡିଲେ ନୀଳଗିରି ବିଧାୟକ, ହୋଇପାରେ ଘରବାହୁଡା - Nilagiri MLA Sukanta Nayak

ଏହି ପରିପ୍ରେକ୍ଷୀରେ ଅବକାଶ ସାମଲ କହିଛନ୍ତି, "ପ୍ରଦୀପ ଅମାତ ଆମ ଜିଲ୍ଲାର ବିକାଶ ପୁରୁଷ । ବୌଦ୍ଧ ଜିଲ୍ଲାରେ ଆମେ ୨୦୧୦ ମସିହାରେ କମ୍ୟୁନିଷ୍ଟ ସଂଗଠନ ଆରମ୍ଭ କରିଥିଲୁ । ଯେଉଁ ସବୁ ସମସ୍ୟାକୁ ଆମେ ସେତେବେଳେ ଦେଖାଇଥିଲୁ ତାହା ବିଜୁ ଜନତା ଦଳ ସମାଧାନ କରିଛି । ସେ ଚାଷୀ, ରାସ୍ତା ,ପିଇବା ପାଣି ସମସ୍ୟା ହେଉ ଅବା ଶ୍ରମିକଙ୍କ ଦୁଃଖ ଏସବୁକୁ ନେଇ ଆନ୍ଦୋଳନ କରୁଥିଲୁ । ଯାହାକୁ ଆଜି ସଫଳତା ସହ ସମାଧାନ କରିଛି ବିଜେଡି । ତେଣୁ ଏହି ସଫଳତା ଓ ବିକାଶକୁ ନେଇ ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡିକୁ ଅଧିକ ଭୋଟରେ ଜିତାଇବୁ । ଭୋଟ ବାକ୍ସ ଯାଏଁ ଏହି ସଫଳତାର ଲଢେଇ ଆଗେଇବ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details