ଭୁବନେଶ୍ବର:ଓଡ଼ିଶାରେ ସରକାର ଗଢିବାକୁ ଯାଉଛି ବିଜେପି । ଏବେ କେବଳ ମୁଖ୍ୟମନ୍ତ୍ରୀ ନାଁ ଘୋଷଣାକୁ ଅପେକ୍ଷା । ଏହି ପରିପ୍ରେକ୍ଷୀରେ ଆସନ୍ତା ୧୦ ତାରିଖ ସକାଳେ ବସିବ ବିଜେପି ବିଧାୟକ ଦଳ ବୈଠକ । ନବନିର୍ବାଚିତ ବିଧାୟକଙ୍କ ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଶୁଣାଇବେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ । ବିଧାୟକ ଦଳର ସହମତି ପରେ ବିଧିବଦ୍ଧ ଭାବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବ । ଏହାପରେ ସେହି ଦିନ ସନ୍ଧ୍ୟାରେ ହିଁ ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । ଏପଟେ ଆଜି ଦିଲ୍ଲୀରୁ ବିଜେପି ବିଧାୟକଙ୍କୁ ଆସିଲା ଡକରା । ତୁରନ୍ତ ଦିଲ୍ଲୀ ପହଞ୍ଚିବା ପାଇଁ ହୋଇଛି ସମନ ।
ଓଡ଼ିଶାରେ ବିଜେପି ପ୍ରଥମ ଥର ସରକାର ଗଠନ କରିବାକୁ ଯାଉଛି । ହେଲେ ଏବେ ଯାଏଁ ମୁଖ୍ୟମନ୍ତ୍ରୀ ଚେହେରା ନେଇ ଚୂଡାନ୍ତ ନିଷ୍ପତ୍ତି ହୋଇପାରିନି । ମୁଖ୍ୟମନ୍ତ୍ରୀ ରେସରେ ଅନେକ ନେତାଙ୍କ ନାଁ ଚର୍ଚ୍ଚା ହେଉଛି । ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ, ବୈଜୟନ୍ତ ପଣ୍ଡା, ଗିରିଶ ମୁର୍ମୁ, ପ୍ରତାପ ଷଡଙ୍ଗୀ, ସୁରେଶ ପୂଜାରୀଙ୍କ ନାଁକୁ ନେଇ ଚର୍ଚ୍ଚା ଚାଲିଛି । ଆସନ୍ତା ୧୦ ତାରିଖ ଦିନ ଏହି କଳ୍ପନାଜଳ୍ପନାର ଅନ୍ତ ଘଟିବ । ଓଡ଼ିଶାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମୋହର ଲଗାଇବେ ଶୀର୍ଷ ନେତୃତ୍ବ ।