ଓଡିଶା

odisha

ETV Bharat / politics

ପଦ୍ମ ଛାଡ଼ି ଶଙ୍ଖ ଫୁଙ୍କିଲେ ଇରାନୀ, କହିଲେ ବିଜେପିରେ ମୋ ପ୍ରତି ଅନ୍ୟାୟ ହୋଇଛି - Irani Ray Joined BJD - IRANI RAY JOINED BJD

Irani Ray Joined BJD: ବିଜେପି ଛାଡି ବିଜେଡିରେ ମିଶିଲେ ଇରାନୀ ରାୟ । ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ବିଧାୟକ ଅରୁଣ ସାହୁଙ୍କ ଉପସ୍ଥିତିରେ ଦଳରେ ମିଶିଛନ୍ତି ଇରାନୀ ରାୟ । ଅଧିକ ପଢ଼ନ୍ତୁ,

ପଦ୍ମ ଛାଡ଼ି ଶଙ୍ଖ ଫୁଙ୍କିଲେ ଇରାନୀ
ପଦ୍ମ ଛାଡ଼ି ଶଙ୍ଖ ଫୁଙ୍କିଲେ ଇରାନୀ

By ETV Bharat Odisha Team

Published : Mar 24, 2024, 8:04 PM IST

Updated : Mar 24, 2024, 8:54 PM IST

ପଦ୍ମ ଛାଡ଼ି ଶଙ୍ଖ ଫୁଙ୍କିଲେ ଇରାନୀ

ଭୁବନେଶ୍ବର: ବିଜେପି ଛାଡି ବିଜେଡିରେ ମିଶିଲେ ଇରାନୀ ରାୟ । ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ବିଧାୟକ ଅରୁଣ ସାହୁଙ୍କ ଉପସ୍ଥିତିରେ ଦଳରେ ମିଶିଛନ୍ତି ଇରାନୀ ରାୟ । ସେ କିଛିଦିନ ତଳେ ବିଜେପି ଛାଡିଥିଲେ । ଶଙ୍ଖ ଭବନରେ ଆୟୋଜିତ ଏକ ବିଶାଳ ମିଶ୍ରଣ କାର୍ଯ୍ୟକ୍ରମରେ ବିଜୁ ଜନତା ଦଳରେ ଆନୁଷ୍ଠାନିକ ଭାବେ ସେ ଯୋଗଦେଇଛନ୍ତି । ନୟାଗଡ ବିଧାନସଭା ପାର୍ଥୀ ଭାବେ ୨୦୧୯ରେ ଇରାନୀ ରାୟ ବିଜେପିରୁ ଟିକେଟ ନେଇ ନିର୍ବାଚନ ଲଢ଼ିଥିଲେ । ନୟାଗଡରେ ସେ ୮ରୁ ୯ ବର୍ଷ ହେବ ବିଜେପିର ଜଣେ ସକ୍ରିୟ ନେତ୍ରୀ ଭାବେ କାର୍ଯ୍ୟ କରୁଥୁବା ବେଳେ ବିଜେପିରୁ ଇସ୍ତଫା ଦେଇ ଆଜି ବିଜେଡିରେ ମିଶିଛନ୍ତି ।

ଗତ 2019 ନିର୍ବାଚନରେ ଇରାନୀ ୪୨ ହଜାରରୁ ଊର୍ଦ୍ଧ୍ବ ଭୋଟ ପାଇ ବିଜେଡି ବିଧାୟକ ଅରୁଣ ସାହୁଙ୍କ ଠାରୁ ହାରିଥିଲେ । ବିଜେଡିରେ ବିଧିବଦ୍ଧ ଭାବେ ମିଶିଥିବା ବେଳେ ଆଜି ଶଙ୍ଖ ଧରିଛନ୍ତି ଇରାନୀ । ବିଜେଡିରେ ସାମିଲ ହେବା ପରେ ବିଜେପିରେ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ କଥା କହି ମିଶ୍ରଣ ପର୍ବରେ ହିଁ କାନ୍ଦି ପକାଇଲେ ଇରାନୀ ରାୟ । କୋହଭରା କଣ୍ଠରେ ପ୍ରତିକ୍ରିୟା ଦେଇ କହିଛନ୍ତି, "୮- ୯ ବର୍ଷ ହେବ ମୁଁ ରାଜନୀତିରେ ଅଛି । ବିଜେପି ପାଇଁ ମୁଁ ମୋର ଶତ ପ୍ରତିଶତ ଦେଇଛି ହେଲେ ମୋତେ ନ୍ୟାୟ ମିଳିନି କି ମୋର କର୍ମୀଙ୍କୁ ଉଚିତ ସମ୍ମାନ ମିଳିନି । ମୋ ସହ ଅନ୍ୟାୟ ହୋଇଛି । ନୟାଗଡରେ ବିଜେପି ବୋଲି କିଛି ନଥିଲା । ସମସ୍ତେ କଂଗ୍ରେସ ଛାଡି ବିଜେପି ସହ ସଂଗଠିତ ହୋଇଥିଲେ । ତାକୁ ନେଇ ଆମେ କାର୍ଯ୍ୟ କରୁଥିଲୁ । ହେଲେ ମତେ ସମ୍ମାନ ମିଳିଲାନି । ମୁଁ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ବିଜେଡିରେ ସାମିଲ ହେଲି । ଟିକେଟ ପ୍ରତି ମୋର ଆଶା ନାହିଁ । ମୁଁ ଦଳ ପାଇଁ କାମ କରିବି । ପରେ ଦଳ ଚିନ୍ତା କରିବ । ମୁଖ୍ୟମନ୍ତ୍ରୀ ଯଦି ଚାହିଁବେ, ତାହାଲେ ଯେଉଁଠି ଯୋଗ୍ୟ ସେଠୁ ଟିକେଟ ଦେବେ । ଏହାସହ ବିଜେପି ଯେପରି ଅନ୍ୟାୟ କଲା ସେପରି ବିଜେଡିରେ ନ ହଉ । ଆମକୁ ବିଜେଡିରେ ଯଥାଚିତ ସମ୍ମାନ ମିଳିବ ବୋଲି ଆଶା ରଖିଛି ।’’

ଏହା ମଧ୍ୟ ପଢ଼ନ୍ତୁ.... ହାତ ଛାଡ଼ି ଶଙ୍ଖ ଫୁଙ୍କିଲେ ଅଧିରାଜ; ଶତାଧିକ ସର୍ଥକଙ୍କ ସହ ବିଜେଡିରେ ସାମିଲ

ମୁଁ ବିଜେପି ପାଇଁ ଯେଉଁ ପ୍ରକାର ପରିଶ୍ରମ କରିଥିଲି ସେ ପ୍ରକାର ନ୍ୟାୟ ମିଳିଲାନି ବୋଲି କହି ଭାବବିହ୍ୱଳ ହୋଇଛନ୍ତି ଇରାନୀ । ସେ ଆହୁରି ମଧ୍ୟ କହିଛନ୍ତି, "ମୁଁ ବିଜେପି ନେତା ସମ୍ବିତ ପାତ୍ରଙ୍କ ପାଇଁ ଦଳ ଛାଡ଼ିଛି। ତାଙ୍କ ବ୍ୟବହାର ମୋତେ ଭଲ ଲାଗିଲାନି । ଏନେଇ ଦଳ ମଧ୍ୟ କିଛି କହିଲେନି ଏପରିକି ଦଳର କୌଣସି ସଭା ସମିତି ଓ ବୈଠକରେ ମଧ୍ୟ ଡକା ଗଲାଣି, ତେଣୁ ମୁଁ ନିରାଶ ହୋଇ ଶେଷରେ ଦଳ ଛାଡ଼ିଲି ଆଉ ବିଜେଡିର ଆଜି ମିସିଲି ।" ସେପଟେ ଇରାନୀ ରାୟଙ୍କ ମିଶ୍ରଣକୁ ନେଇ ସାଂସଦ ମାନସ ମଙ୍ଗରାଜ କହିଛନ୍ତି, "ନିଶ୍ଚୟ ଆପଣଙ୍କୁ ଓ ଆପଣଙ୍କ କର୍ମୀଙ୍କୁ ଦଳରେ ସମ୍ମାନ ମିଳିବ। ଆମେ ସମସ୍ତେ ମିଶି ମୁଖ୍ୟମନ୍ତ୍ରୀଙ୍କ ବିକାଶର କାର୍ଯ୍ୟଧାରାକୁ ନେଇ କାର୍ଯ୍ୟ କରିବା ।" ସେହିପରି ମିଶ୍ରଣ ପରେ ବିଧାୟକ ଅରୁଣ ସାହୁ କହିଛନ୍ତି, "ପ୍ରତିଦିନ ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ସାମିଲ ହେବାକୁ ଅନ୍ୟ ଦଳ ଛାଡ଼ି ବିଜେଡିରେ ସାମିଲ ହେଉଛନ୍ତି । ଇରାନୀ ରାୟ ଜଣେ ଆଗ ଧାଡ଼ିର ନେତ୍ରୀ । ସେ ସାମିଲ ହେବା ପରେ ଦଳ ଆହୁରି ସଶକ୍ତ ହେବ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 24, 2024, 8:54 PM IST

ABOUT THE AUTHOR

...view details