କଟକ: ନିର୍ବାଚନ ବିଗୁଲ ବାଜି ସାରିଛି । ହେଲେ ମେଣ୍ଟ ନେଇ ଚିତ୍ର ସ୍ପଷ୍ଟ ହେଉନାହିଁ । ଉଭୟ ଦଳ ପକ୍ଷରୁ ଏହି ପ୍ରସଙ୍ଗକୁ ନେଇ ଯାହା କୁହାଯାଉଛି ତାହା ସମସ୍ତଙ୍କ ମଧ୍ୟରେ ଦ୍ଵନ୍ଦ୍ବ ସୃଷ୍ଟି କରିଛି । ଏଭଳି ସ୍ଥିତିରେ କଂଗ୍ରେସ ପାଇଁ ସୁଯୋଗ ସୃଷ୍ଟି କରିଛି । ତେବେ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ଏବେ ସମାନ ସ୍ଥିତି ଉପୁଜୁଛି । ରାଜ୍ୟରେ ବଳ ଗୋଟାଇବାରେ ଲାଗିଛି କଂଗ୍ରେସ । କିଛି ନିର୍ବାଚନ ମଣ୍ଡଳୀରେ ଯେଉଁଠି କଂଗ୍ରେସର ସ୍ଥିତି ଭଲ ଅଛି, ସେଠାରେ କଂଗ୍ରେସ ନିର୍ବାଚନ ପାଇଁ ନିଜର ପ୍ରସ୍ତୁତକୁ ଜୋରଦାର କରିଲାଣି । ସେଥିରେ କଟକ-ବାରବାଟୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ରହିଛି ।
ଏହି ନିର୍ବାଚନ ମଣ୍ଡଳୀରେ ଗତ ନିର୍ବାଚନରେ କଂଗ୍ରେସକୁ ବହୁମତ ମିଳିଥିବା ବେଳେ ଏଥର କିନ୍ତୁ ସ୍ଥିତି ଭିନ୍ନ ରହିଛି । କାରଣ ଏହି ନିର୍ବାଚନ ମଣ୍ଡଳୀରୁ ଦେବାଶିଷ ସାମନ୍ତରାୟଙ୍କୁ ଶାସକ ଦଳ ରାଜ୍ୟସଭାକୁ ପଠାଇଛି । ତେଣୁ ଏଠାରେ ଶାସକ ବିଜେଡି ନୂଆ ପ୍ରାର୍ଥୀ ଦେବ ବୋଲି ସ୍ପଷ୍ଟ ହୋଇଯାଇଛି । ଯାହାକି ମୋକିମଙ୍କ ପାଇଁ ଅନେକ ଚାଲେଞ୍ଜ ସୃଷ୍ଟି କରିପାରେ । ଯଦି ମେଣ୍ଟ ହୁଏ, ତେବେ ବିଜେଡି ବିଜେପି ମଧ୍ୟରୁ ଜଣେ ପାର୍ଥି ହେବେ । ଯାହାଙ୍କର କଂଗ୍ରେସର ମୋକିମଙ୍କ ସହ ଲଢେଇ ହେବ । ଏହା ମୋକିମଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ବି ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି ।