ନୂଆଦିଲ୍ଲୀ:ଆପ୍ ବିଧାୟକଙ୍କୁ ବିଜେପି କିଣିବାକୁ ଚେଷ୍ଟା କରୁଥିବା ଅଭିଯୋଗ ଘଟଣାରେ ଦିଲ୍ଲୀ ମନ୍ତ୍ରୀ ଅତିଶିଙ୍କ ବାସଭବନରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପରେ ଏହିି ଅଭିଯୋଗର ତଦନ୍ତ ପାଇଁ ନୋଟିସ ଦେବାକୁ ଆଜି ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଟିମ୍ ମନ୍ତ୍ରୀ ତଥା ଆପ୍ ନେତ୍ରୀ ଅତିଶିଙ୍କ ଘରକୁ ଯାଇଛି । ତେବେ ଶୁକ୍ରବାର ସନ୍ଧ୍ୟାରେ ମଧ୍ୟ କ୍ରାଇମବ୍ରାଞ୍ଚ ତାଙ୍କ ଘରକୁ ଯାଇଥିଲା । କିନ୍ତୁ ସେ ଘରେ ନଥିଲେ । ଏହାର ପରଦିନ ଶନିବାର ଟିମ୍ କେଜ୍ରିୱାଲଙ୍କ ଘରକୁ ଯାଇଥିଲା । ଏହାକୁ ନେଇ ସେଠାରେ ପ୍ରବଳ ହଙ୍ଗାମା ହୋଇଥିଲା । ଆପର ମୁଖପାତ୍ର ଓ ମିଡିଆ ମୁଖ୍ୟ ଜସ୍ମିନ ଶାହ ଏବଂ କ୍ରାଇମବ୍ରାଞ୍ଚ ଏସିପିଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା । ପ୍ରାୟ ୫ ଘଣ୍ଟା କାଳ କ୍ରାଇମବ୍ରାଞ୍ଚ ଟିମ୍ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ରହିବା ପରେ ଫେରି ଆସିଥିଲେ ।
କହିରଖୁଛୁ କି, ବିଜେପି ଆପ୍ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଥିବା ଦଳ ଅଭିଯୋଗ କରୁଛି । ଏମିତିକି ବିଜେପି ୭ ଜଣ ବିଧାୟକଙ୍କ କିଣିବା ପାଇଁ ୨୫ କୋଟି ଟଙ୍କା ଲେଖାଏଁ ପ୍ରଲୋଭନ ଦେଖାଇଥିବା କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଅଭିଯୋଗ ଆଣିଥିଲେ । ଏହି ଅଭିଯୋଗର ତଦନ୍ତ ପାଇଁ ଏ ସମ୍ପର୍କରେ ନୋଟିସ ଦେବାକୁ କ୍ରାଇମବ୍ରାଞ୍ଚ ଟିମ୍ ଆଜି ସକାଳ ୧୦ରେ ଦିଲ୍ଲୀ ମନ୍ତ୍ରୀ ଅତିଶିଙ୍କ ଘରେ ପହଞ୍ଚିଛି । ତେବେ ଟିମ୍ ପହଞ୍ଚିବା ସମୟରେ ଆଜି ବି ମନ୍ତ୍ରୀ ବାସଭବନରେ ନଥିଲେ । ଟିମ୍ ତାଙ୍କୁ ଅପେକ୍ଷା କରି ରହିଛି । ତେବେ ଯଦି ମନ୍ତ୍ରୀ ନ ଫେରନ୍ତି ତାହେଲେ ତାଙ୍କ ସ୍ପେଶାଲ ଡ୍ୟୁଟି ଅଫିସରଙ୍କ ନୋଟିସ୍ ହସ୍ତାନ୍ତର କରାଯାଇପାରେ ।