ବିଜେପିରେ ମିଶ୍ରଣ ପର୍ବରେ ସାମିଲ ହେଲେ ବହୁ ହେଭିୱେଟ ନେତା ଭୁବନେଶ୍ବର: ସାଧାରଣ ନିର୍ବାଚନର ତାରିଖ ଯେତେ ପାଖେଇ ଆସୁଛି ସମସ୍ତ ରାଜନୈତିକ ଦଳ ମାନଙ୍କ ମଧ୍ୟରେ କସରତ ଜୋରଦାର ଆରମ୍ଭ ହୋଇଛି । ଏହି କ୍ରମ ରେ ରାଜ୍ୟ ବିଜେପି ରେ ସାମିଲ ହୋଇଛନ୍ତି ଅନେକ ବୁଦ୍ଧିଜୀବୀ, ବ୍ୟବସାୟୀ ଓ ରାଜନେତା । ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି, ସାଂସଦ, କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ପ୍ରମୁଖ ନେତୃମଣ୍ଡଳୀ ଉପସ୍ଥିତ ଥିଲେ । ବିଶିଷ୍ଟ ଶିଳ୍ପପତି ତଥା ମେଟ୍ରୋ ବିଲଡରର ପ୍ରତିଷ୍ଠାତା ପୀୟୂଷ ମହାନ୍ତି ସାମିଲ ହୋଇଛନ୍ତି ବିଜେପିରେ ।
ଭଦ୍ରକ ବାସୁଦେବପୁର ଅଞ୍ଚଳର ବିଜେଡି ରାଜ୍ୟ ଯୁବ ସମ୍ପାଦକ ତଥା ବଲାଙ୍ଗିର ଜିଲ୍ଲା ପର୍ଯ୍ୟବେକ୍ଷକ ବାଣୀ କଲ୍ୟାଣ ମହାନ୍ତି ମଧ୍ୟ ବିଜେପି ଯୋଗ ଦେଇଛନ୍ତି । ବିଜେପି ରେ ସାମିଲ ହେଲେ ମହାକାଳପଡା ଗୋଗୁଆ ପଂଚାୟତର ପଂଚାୟତ ସମିତି ସଦସ୍ୟ ତଥା ବିଜେଡିର ସ୍ଥାନୀୟ ଦୃଢ ସଂଗଠକ ତଥା ଜିଲ୍ଲା ବାର୍ ଆସୋସିଏନସନ୍ ସମ୍ପାଦକ ପ୍ରତାପ ଚନ୍ଦ୍ର ଦାସ ।ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଦାସ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି ।
ଏହା ମଧ୍ୟ ପଢନ୍ତୁ...ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା: ଢେଙ୍କାନାଳରୁ ଅବିନାଶ, କଟକରୁ ସଂତୃପ୍ତଙ୍କୁ ଟିକେଟ - BJD Lok Sabha Candidates
ସେହିପରି ଅବସରପ୍ରାପ୍ତ ଆଇଆରଏସ୍ ଅଧିକାରୀ ତଥା କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଲାଞ୍ଜିଗଡର ଗଙ୍ଗାଧର ମାଝୀ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ ରାଜ୍ୟ ଉପସଭାପତି ବିରଂଚି ତ୍ରିପାଠୀ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ପିନ୍ଧାଇ ସ୍ବାଗତ କରିଥିଲେ ।
ଉଭୟଙ୍କ ସହ ଏକାଧିକ କର୍ମୀ ଆଜି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ବରେ ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ସହ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ସେହିଭଳି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ , ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ପ୍ରଭାବିତ ହୋଇ ବିଜେପିରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି ଉଭୟ ବାଣୀ କଲ୍ୟାଣ ମହାନ୍ତି ଓ ପୀୟୂଷ ମହାନ୍ତି ।ଏହି ପରିପ୍ରେକ୍ଷୀରେ ଅପରାଜିତା ଷଡଙ୍ଗୀ କହିଛନ୍ତି, ଏବେ ଯାହା ଦେଖିଲେ ଟ୍ରେଲର ଆଗକୁ ଦେଖିବେ ଫିଲ୍ମ । ଆଗାମୀ ୨ ରୁ ୪ ଦିନ ମଧ୍ୟରେ ବହୁତ୍ ନେତା ବିଜେପି ପରିବାରରେ ସାମିଲ ହେବେ । ଆଗକୁ ପୁରା ଫିଲ୍ମ ଆସିବାକୁ ଯାଉଛି ।
ଇଟିଭି ଭାରତ, ଭୁବନେଶ୍ବର