ଭୁବନେଶ୍ବର: ଖୋଲିଲା ରାଜଭବନ ଉଦ୍ୟାନ । ବର୍ଷକର ପ୍ରତୀକ୍ଷା ପରେ ସର୍ବସାଧାରଣଙ୍କ ପାଇଁ ଖୋଲିଛି ରାଜଭବନ ପରିସର । ଉଦ୍ୟାନରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି ।
- ରାଜଭବନରେ ବୁଲାବୁଲି:
ଅସ୍ତଗାମୀ ସୂର୍ଯ୍ୟ ଭିତରେ ରଙ୍ଗବେରଙ୍ଗ ଫୁଲର ସମ୍ଭାର ସାଙ୍ଗକୁ ସଙ୍ଗୀତର ସ୍ବର ସହ ମନଲୋଭା ଦୃଶ୍ୟ ଉପଭୋଗ କରୁଛନ୍ତି ଦର୍ଶକ । ଚଢ଼େଇଙ୍କ କିଚିରିମିଚିରି ଶବ୍ଦରେ ଗୁଞ୍ଜରିତ ହେଉଛି ପରିବେଶ । ଏହାସାଙ୍ଗକୁ ମୟୂରର ଶୋଭାକୁ ଏହି ପରିବେଶର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଛି । ପ୍ରତିବର୍ଷ ପରି ଚଳିତ ବର୍ଷ ସର୍ବସାଧାରଣଙ୍କ ନିମନ୍ତେ ରାଜଭବନ ଉଦ୍ୟାନ ଖୋଲିଥିବାବେଳେ ଆଜି ଦିନକରେ ପ୍ରାୟ ହଜାର ହଜାର ଦର୍ଶକ ଏଠାକୁ ଆସି ମଜା ବୁଲିବାର ମଜା ନେଇଥିଲେ । ଅପରାହ୍ନ ୨ଟା ୩୦ ରୁ ସନ୍ଧ୍ୟା ୫ଟା ଯାଏଁ ସର୍ବସାଧାରଣଙ୍କ ପାଇଁ ଖୋଲା ରହୁଛି ରାଜଭବନ ଉଦ୍ୟାନ । ତେବେ କଡ଼ା ସୁରକ୍ଷା ଭିତରେ ଦର୍ଶକ ଏହା ଭିତରକୁ ପ୍ରବେଶ କରୁଛନ୍ତି । ବର୍ଷକୁ ଥରେ ଦେଖିବାକୁ ମିଳୁଥିବା ଏହି ସୁଯୋଗକୁ ହାତଛଡ଼ା କରିନାହାନ୍ତି ରାଜଧାନୀବାସୀ ।
ଏହା ବି ପଢନ୍ତୁ...ସର୍ବସାଧାରଣଙ୍କ ପାଇଁ ଖୋଲିଛି ରାଜଭବନ ଉଦ୍ୟାନ, ଲୋକଙ୍କ ଜମୁଛି ଭିଡ଼ ଏହା ବି ପଢନ୍ତୁ...ପ୍ରକୃତିପ୍ରେମୀଙ୍କ ପାଇଁ ଖୁସି ଖବର, ଭିତରକନିକାରେ ବଢିଲେ ୬ ହଜାର ଦେଶୀୟ ପକ୍ଷୀ - Bhitarkanika Bird census |
- ୨୨ ତାରିଖ ଯାଏଁ ଅନୁମତି:
ରାଜଭବନ ଉଦ୍ୟାନର ବିଭିନ୍ନ ପ୍ରକାର ବୃକ୍ଷଲତା, ପୁଷ୍ପରାଜି, ହରିଣ ଉଦ୍ୟାନ, ମୟୂର, ବତକ, ଲଭବାର୍ଡ, ମୁକ୍ତ ଆକ୍ୱାରିୟମ୍ ଆଦି ବୁଲି ଦେଖିଛନ୍ତି ରାଜଧାନୀବାସୀ । ବିଶେଷ କରି ବିଭିନ୍ନ ପ୍ରକାରର ଫୁଲ ଯେପରିକି ଗେଣ୍ଡୁ, ଡାଲିଆ, ଆଣ୍ଟିନମ୍, ଜର୍ବେରା, ସେଲେସିଆ, ସାଲଡିଆ ଫୁଲ ଦର୍ଶକଙ୍କୁ ଆକର୍ଷିତ କରୁଛି । ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ରାଜଭବନ ଉଦ୍ୟାନ ଖୋଲା ରହିବ । କେବଳ ମୋବାଇଲ୍ ଆପ ଜରିଆରେ ପଞ୍ଜୀକରଣ କରି ଉଦ୍ୟାନକୁ ପ୍ରବେଶ କରିପାରିବେ ଏବଂ ଏନେଇ କୌଣସି ପ୍ରବେଶ ଶୁଳ୍କ ଦେବାକୁ ପଡ଼ିବ ନାହିଁ ।
- ଡାଉନ୍ଲୋଡ଼ କରିବାକୁ ହେବ ଏହି ଆପ୍ଲିକେସନ:-
ଏଥିନିମନ୍ତେ ରାଜଭବନ ଗାର୍ଡେନ ଭିଜିଟ ଆପ୍ ଡାଉନ୍ଲୋଡ଼ କରିବାକୁ ପଡ଼ିବ। ଓଡ଼ିଶାର ରାଜଭବନ ୱେବସାଇଟରେ ଉପଲବ୍ଧ ଥିବା କ୍ୟୁ-ଆର କୋଡ୍ ମାଧ୍ୟମରେ ମୋବାଇଲ ଆପ୍ ମଧ୍ୟ ଡାଉନ୍ଲୋଡ କରିପାରିବେ । ସେହିପରି ସ୍କୁଲ ଛାତ୍ରଛାତ୍ରୀଙ୍କ ଉଦ୍ୟାନ ପରିଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି । ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଉଦ୍ୟାନ ପରିଦର୍ଶନ ପାଇଁ ଅନୁରୋଧ ପତ୍ର ପଠାଇବା ଆବଶ୍ୟକ ବୋଲି ସୂଚନା ଦିଆଯାଇଛି । ସ୍କୁଲ ପିଲାଙ୍କ ପାଇଁ ଉଦ୍ୟାନ ପରିଦର୍ଶନ ସମୟ ପ୍ରତିଦିନ (ରବିବାର) ବ୍ୟତୀତ ସକାଳ ୮ଟା ୩୦ରୁ ୧୦ ଟା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର