ନୂଆଦିଲ୍ଲୀ:ଆଜି ଦେଶରେ ଲୋକସଭା ନିର୍ବାଚନର 6ଷ୍ଠ ପର୍ଯ୍ୟାୟ ଭୋଟିଂ ଜାରି ରହିଛି । 8 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 58 ସଂସଦୀୟ ଆସନରେ ଭୋଟିଂ ହେଉଛି । ସକାଳୁ ବିଭିନ୍ନ ମତଦାନ କେନ୍ଦ୍ରରେ ସାଧାରଣ ଲୋକେ ନିଜ ମତାଧିକାର ସାବ୍ୟସ୍ତ କରିବା ଜାରି ରଖିଛନ୍ତି । ବହୁସ୍ଥାନରେ ବିଭିନ୍ନ ଭେଟେରାନମାନେ ନିଜ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିଛନ୍ତି । ଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦ୍ବୀପ ଧନଖଡ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଏକାଧିକ କେନ୍ଦ୍ରମନ୍ତ୍ରୀ ତଥା ଚଳିତଥର ପ୍ରାର୍ଥୀଙ୍କ ସମେତ ବହୁ ରାଜନୈତିକ ଦଳର ଚର୍ଚ୍ଚିତ ନେତାମାନେ ଭୋଟିଂ କରିଛନ୍ତି ।
ଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ମତାଧିକାର ସାବ୍ୟଲସ୍ତ କରିବାରେ ଲାଗିଛନ୍ତି । କେନ୍ଦ୍ରମନ୍ତ୍ରୀ ହରଦ୍ବୀପ ସିଂ ପୁରୀ, ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ମଧ୍ୟ ସପତ୍ନୀକ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି । ଦିଲ୍ଲୀରେ ସାଂସଦ ପ୍ରାର୍ଥୀ ହୋଇଥିବା ଦିବଙ୍ଗତ ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କ ଝିଅ ବାଂସୁରୀ ସ୍ବରାଜ, ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଚଳିତଥର ସାଂସଦ ପ୍ରାର୍ଥୀ ମନୋହରଲାଲ ଖଟ୍ଟର, ବିଜେପି ପ୍ରାର୍ଥୀ ନବୀନ ଜିନ୍ଦଲ ପ୍ରମୁଖ ଭୋଟ ଦେଇଛନ୍ତି । ସେହିପରି କଂଗ୍ରେସ ଭେଟେରାନ ତଥା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୁଅ ରାହୁଲ ଗାନ୍ଧୀ ମଧ୍ୟ ଦିଲ୍ଲୀରେ ନିଜ ସାମ୍ବିଧାନିକ ମତାଧିକାର ସାବ୍ୟସ୍ତ କରିଛନ୍ତି । ରାହୁଲ ଓ ସୋନିଆ ଗୋଟିଏ ବୁଥରେ ଏକାସାଙ୍ଗରେ ଆଜି ଭୋଟ ଦେଇଛନ୍ତି ।