ନିଆଳି: ଶନିବାର ସଂଧ୍ୟାରେ ବିଜେଡିର ଷ୍ଟାର ପ୍ରଚାରକ ଭି.କେ ପାଣ୍ତିଆନ ଜୟଦେବରେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଏବଂ ଜୟଦେବ ବିଧାନସଭା ଆସନ ପ୍ରାର୍ଥୀ ନବ କିଶୋର ମଲ୍ଲିକଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥ ନେବେ କହି ବିପୁଳ ସଂଖ୍ୟାରେ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି ପାଣ୍ତିଆନ । ବାଲିପାଟଣା ବ୍ଲକ ହାଇସ୍କୁଲ ଖେଳ ପଡିଆରେ ଆୟୋଜିତ ନିର୍ବାଚନୀ ସଭାରେ ହଜାର ହଜାର ଉପସ୍ଥିତ ବିଜେଡି କର୍ମୀ ଓ ସମର୍ଥକମାନଙ୍କୁ ୫୦ ହଜାର ଭୋଟ ବ୍ୟବଧାନରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେଇ ଜିତାଇବା ପାଇଁ ଭୋଟରଙ୍କୁ ଅପିଲ କରିଥିଲେ ଭି.କେ ପାଣ୍ତିଆନ ।
ଲୋକଙ୍କ ଉପସ୍ଥିତି ଦେଖି ପାଣ୍ତିଆନ ଭାବ ବିହ୍ଵଳିତ ହୋଇଯାଇଥିଲେ । ପାଣ୍ତିଆନ କହିଥିଲେ, "୫୦୦ କୋଟି ଟଙ୍କା ବ୍ୟୟରେ କୁଶଭଦ୍ରା, କୁଆଖାଇଠାରେ ନିର୍ମତ ହେଉଛି ଚେକଡ୍ୟାମ । ଯାହାଦ୍ବାରା ଜୟଦେବ ଓ ଭୁବନେଶ୍ୱର ଲୋକେ ସୁବିଧା ପାଇବେ । ଜୟଦେବରେ ବିକାଶ ଆହୁରି ହେବ । ଆପଣମାନେ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରନ୍ତୁ ।" ସାଂସଦ ଅପରାଜିତାଙ୍କ ନାଁ ନନେଇ ଜୟଦେବରେ କିଛି କାମ କରିଛନ୍ତି କି ବୋଲି ଉପସ୍ଥିତ ଜୟଦେବ ଭୋଟରଙ୍କୁ ପ୍ରଶ୍ନ କରିଥିଲେ ପାଣ୍ଡିଆନ । ସେ କହିଥିଲେ, "ତାଙ୍କୁ ଖୋଜିଲେ ପାଇବେ ନାହିଁ । ଏଠାରେ ଦୁଇ ଯୁବ ପ୍ରାର୍ଥୀ ଅଛନ୍ତି ଆପଣଙ୍କ ସାଥିରେ ରହିବେ ।" ଜୟଦେବରେ ମଠ ମନ୍ଦିର,ଚର୍ଚ୍ଚ କିମ୍ବା କିଛି ଉନ୍ନତି କରିଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି । ଏହାର ଉତ୍ତର ଆସନ୍ତା ୨୫ ତାରିଖ ଭୋଟ ଗ୍ରହଣ ଦିନ ଦେବା ପାଇଁ କହିଥିଲେ ପାଣ୍ତିଆନ । ସେହିପରି କେନ୍ଦ୍ର ସରକାର ସବୁବେଳେ ଦରଦାମରେ ବଢ଼ାଇଛି ବୋଲି ପ୍ରଶ୍ନ କରିବା ସହିତ ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ କଥା ଉଠାଇଛନ୍ତି ।