ନୂଆଦିଲ୍ଲୀ:ଦେଶରେ ଜାରି ରହିଛି ଗଣତନ୍ତ୍ରର ମହାପର୍ବ । ୭ଟି ପର୍ଯ୍ୟାୟରେ ଚଳିତ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ ଆଜି ଶେଷ ହୋଇଛି ୨୦୨୪ ଲୋକସଭା ନିର୍ବାଚନର ୫ମ ପର୍ଯ୍ୟାୟ ମତଦାନ । ୫ମ ପର୍ଯ୍ୟାୟରେ ୬ ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ୪୯ ଆସନରେ ମତଦାନ ହୋଇଥିଲା । ମୈଦାନରେ ଥିଲେ ୬୯୫ ପ୍ରାର୍ଥୀ । କେଉଁଠି ଶାନ୍ତି ଶୃଙ୍ଖଳାର ସହିତ ମତଦାନ ହୋଇଥିବା ବେଳେ କିଛି ସ୍ଥାନରେ ଦେଖିବାକୁ ମିଳିଥିଲା ନିର୍ବାଚନୀ ହିଂସା । ଏହା ସହିତ ଏହି ୪୯ ଆସନରେ ମୋଟ ୫୭.୪୪ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ପଶ୍ଚିମବଙ୍ଗରେ ସର୍ବାଧିକ ୭୩ ପ୍ରତିଶତ ମତଦାନ ହୋଇଥିବାବେଳେ ସର୍ବନିମ୍ନ ୪୮.୮୮ ପ୍ରତିଶତ ମତଦାନ ମହାରାଷ୍ଟ୍ରରେ ରେକର୍ଡ ହୋଇଛି ।
ମୈଦାନରେ ଥିଲେ ୬୯୫ ପ୍ରାର୍ଥୀ:- ପଞ୍ଚମ ପର୍ଯ୍ୟାୟ ମତଦାନରେ ମୈଦାନରେ ମୋଟ 695 ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହୋଇଛି । ଏମାନଙ୍କ ମଧ୍ୟରୁ 1586 ଜଣ ନାମାଙ୍କନ ଭରିଥିବା ବେଳେ 749ଜଣଙ୍କ ନାମାଙ୍କନ ପତ୍ର ଗ୍ରହଣ କରାଯାଇଥିଲା । ସେପଟେ 837 ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାଖ୍ୟାନ କରାଯାଇଥିବା ବେଳେ 54ଜଣ ନିଜ ନାମାଙ୍କନ ପରବର୍ତ୍ତୀ ସମୟରେ ପ୍ରତ୍ୟାହାର କରିନେଇଥିଲେ । ଫଳରେ ମୈଦାନରେ 149 ରାଜନୈତିକ ଦଳର 695 ପ୍ରାର୍ଥୀ ରହିଥିଲେ । ମହାରାଷ୍ଟ୍ରର ନାସିକ ସଂସଦୀୟ କ୍ଷେତ୍ରରୁ ସର୍ବାଧିକ 31 ପ୍ରାର୍ଥୀ ଥିବାବେଳେ ଲଦାଖ ସଂସଦୀୟ କ୍ଷେତ୍ରରେ ସର୍ବନିମ୍ନ 3 ଜଣ ପ୍ରାର୍ଥୀ ରହିଥିଲେ ।
ଚର୍ଚ୍ଚିତ ଚେହେରା:-ପଞ୍ଚମ ପର୍ଯ୍ୟାୟ ମତଦାନରେ ବହୁ ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଛି । ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ଉତ୍ତର ପ୍ରଦେଶ ରାୟବରେଲି ଆସନରୁ କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧୀ, ଆମେଠିରୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଲକ୍ଷ୍ନୌରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କୈସରଗଞ୍ଜରୁ ବ୍ରିଜଭୂଷଣ ଶରଣ ସଂଙ୍କ ପୁଅ କରନ ଭୂଷଣ ସିଂ, ବିହାର ସରନରୁ ଆରଜେଡି ନେତ୍ରୀ ତଥା ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ, ହାଜିପୁରରୁ ଚିରାଗ ପାସୱାନ, ମହାରାଷ୍ଟ୍ର ମୁମ୍ବାଇ ନର୍ଥରୁ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ, ଜମ୍ମୁକାଶ୍ମୀର ବରମୁଲ୍ଲାରୁ ଏନ୍ସି (ନ୍ୟାସନାଲ କନଫରେନ୍ସ) ନେତା ତଥା ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । ଏଭଳି ବହୁ ଚର୍ଚ୍ଚିତ ଚେହେରାଙ୍କର ୫ମ ପର୍ଯ୍ୟାୟରେ ହୋଇଛି ଭାଗ୍ୟ ପରୀକ୍ଷା ।
ଓଡ଼ିଶାରେ ନିର୍ବାଚନୀ ହିଂସା:-ଓଡ଼ିଶାରେ ଲୋକସଭା ସମେତ ରାଜ୍ୟ ବିଧାନସଭା ପାଇଁ ମଧ୍ୟ ଏକା ସାଙ୍ଗରେ ମତଦାନ ହେଉଛି । ଆଜି ୫ମ ପର୍ଯ୍ୟାୟ (ଓଡ଼ିଶାରେ ୨ୟ)ରେ ଓଡ଼ିଶାରେ ୫ ଲୋକସଭା ଓ ଏହା ଅଧୀନ ୩୫ ବିଧାନସଭା ଆସନରେ ମତଦାନ ହୋଇଥିଲା । ତେବେ ରାଜ୍ୟର ଏକାଧିକ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା । ବରଗଡ଼ ସଦର ଥାନା ସରସରା ଗାଁରେ ଏକ ବୀଭତ୍ସ ହତ୍ୟାକାଣ୍ଡ ମଧ୍ୟ ଘଟିଥିଲା । ଅଟୋ ଚାଳକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି । ମୃତକ ଜଣଙ୍କ ବିଶ୍ବନାଥ ମିର୍ଦ୍ଧା ବୋଲି ଜଣାପଡ଼ିଛି । ଆଜି ମତଦାନ ଚାଲିଥିବାବେଳେ କିଛି ଭୋଟରଙ୍କୁ ଅଟୋ ଯୋଗେ ନେଉଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ସେହିଭଳି ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା । ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ତୁରୁମୁ ପଞ୍ଚାୟତର ବେରୁଆବାଡ଼ି ଗ୍ରାମର ୪୭ ନଂ ବୁଥରେ ଉତ୍ତେଜନା ପ୍ରକାଶ ପାଇଥିଲା । ଦୁଇ ଦଳୀୟ କର୍ମୀ ହାତାହାତି ହୋଇଥିଲେ । ଖବର ପାଇ ତାରାସିଙ୍ଗି ପୋଲିସ ସେଠାରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା । ରାଉରକେଲା ଗୋପବନ୍ଧୁପାଲ୍ଲୀର ଏକ ବୁଥରେ ବିଜେଡି ବିଧାୟକ ଶାରଦା ନାୟକ ଆସିଥିବାବେଳେ ମଧ୍ୟ ଉତ୍ତେଜନା ଦେଖାଦେଇଥିଲା । ପୋଲିସ ସେଠାରୁ ବିଧାୟକଙ୍କୁ ଉଦ୍ଧାର କରିବା ସହ ସ୍ଥିତି ନିୟନ୍ତ୍ରଣ କରିଥିଲା ।
ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା:- ପଞ୍ଚମ ପର୍ଯ୍ୟାୟ ମତଦାନରେ ପଶ୍ଚିମବଙ୍ଗରେ ବହୁ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ବାରାକପୁର, ବୋନଗାଓଁ, ଆରାମବାଘ ଭଳି ସ୍ଥାନରେ ଟିଏମ୍ସି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି । ପୋଲ୍ ପ୍ୟାନେଲଙ୍କ ନିକଟରେ ପ୍ରାୟ ୧ ହଜାରରୁ ଅଧିକ ଅଭିଯୋଗ ଆସିଛି । କେଉଁଠି ଇଭିଏମ୍ରେ ଗଡବଡ଼ ତ ଆଉ କେଉଁଠି କିଛି ରାଜନୈତିକ ଏଜେଣ୍ଟମାନେ ବୁଥରେ ବିଶୃଙ୍ଖଳା କରୁଥିବା ଅଭିଯୋଗ ଆସିଥିଲା । ଏହା ସତ୍ତ୍ବେ ପଶ୍ଚିମବଙ୍ଗରେ ସର୍ବାଧିକ ମତଦାନ ରେକର୍ଡ କରାଯାଇଛି ।