ଓଡିଶା

odisha

ETV Bharat / politics

ପାଟକୁରା ନିର୍ବାଚନ ମଣ୍ଡଳୀ: ବିଜେଡିରୁ ବିଜୟ ନନ୍ଦନ, କଂଗ୍ରେସ କରୁଛି କସରତ୍‌, ବାଜି ମାରିବ କି ବିଜେପି ? - Patkura Assembly Election 2024 - PATKURA ASSEMBLY ELECTION 2024

Patkura Assembly Constituency Election 2024: ନିର୍ବାଚନ ପଶାପାଲିରେ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ । ଏଥର ଲଢେଇରେ ବିଜେଡି ପ୍ରାର୍ଥୀ ଅରବିନ୍ଦ ମହାପାତ୍ରଙ୍କ ସହ ବିଜେପିର ତେଜେଶ୍ବର ଓ କଂଗ୍ରେସର ରତିକାନ୍ତ । ଦିନେ ବାପା (ବିଜୟ ମହାପାତ୍ର)ଙ୍କୁ ପାଟକୁରାରୁ ହରାଇବା ପାଇଁ ପଣ କରିଥିବା ବିଜେଡି ଏଥର ତାଙ୍କ ପୁଅକୁ ଟିକଟ ଦେଇଛି । ସେହିପରି ବିଜେପି ଛାଡ଼ି ବିଜେପିରେ ସାମିଲ ହୋଇଥିବା ତେଜେଶ୍ବର ବିଜେପିର ବଳ ସାଜିଛନ୍ତି । ଅନ୍ୟପକ୍ଷେ ଗତ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢିଥିବା ରତିକାନ୍ତ କାନୁନଗୋଙ୍କୁ ଭରସା କରିଛି କଂଗ୍ରେସ । କେମିତି ରହିଛି ପାଟକୁରା ପାଣିପାଗ । ପଢନ୍ତୁ ଆମର ସ୍ପେଶାଲ ରିପୋର୍ଟ ।

ପାଟକୁରା ନିର୍ବାଚନ ମଣ୍ଡଳୀ
ପାଟକୁରା ନିର୍ବାଚନ ମଣ୍ଡଳୀ (ETV Bharat Odisha)

By ETV Bharat Odisha Team

Published : May 17, 2024, 9:34 PM IST

ପାଟକୁରା ନିର୍ବାଚନ ମଣ୍ଡଳୀ (ETV Bharat Odisha)

କେନ୍ଦ୍ରାପଡ଼ା: ଜୁନ 1 ତାରିଖ ଅର୍ଥାତ ରାଜ୍ୟର ଶେଷ ପର୍ଯ୍ୟାୟ ନିର୍ବାଚନରେ କେନ୍ଦ୍ରାପଡ଼ା ଜିଲ୍ଲାରେ ହେବ ମତଦାନ । ଜିଲ୍ଲାର ବହୁଚର୍ଚ୍ଚିତ ଆସନ ହେଉଛି ପାଟକୁରା ନିର୍ବାଚନ ମଣ୍ଡଳୀ । ବିଗତ ଦିନରେ ବହୁ ହେଭିୱେଟ ନେତା ଏଠାରୁ ନିର୍ବାଚନ ଲଢି ରାଜ୍ୟ ରାଜନୀତିରେ ନିଜ ଆଧିପତ୍ୟ ଜାହିର କରିଛନ୍ତି । ତେବେ ଶାସକ ଦଳ ବିଜେଡିର ସମ୍ମାନର ଆସନ ହେଉଛି ପାଟକୁରା । ବିଜେଡି ଲଗାତାର ନିଜ ବିଜୟ ଧାରା ଏଠାରେ ଜାରି ରଖିଛି । ଏହି ବିଧାନସଭା ଆସନରୁ ପୂର୍ବରୁ ଭେଟେରାନ ରାଜନେତା ବିଜୟ ମହାପାତ୍ର ବିଜୟୀ ହୋଇ ଆସୁଥିବା ବେଳେ ୨୦୦୦ ମସିହାରେ ନାଟକୀୟ ଢଙ୍ଗରେ ବିଜେଡି ତାଙ୍କ ଟିକଟ କାଟି ଅତନୁ ସବ୍ୟସାଚୀ ନାୟକଙ୍କୁ ପ୍ରାର୍ଥୀ କରିବା ପରେ ୨୦୦୦ ମସିହାରୁ ଏହି ଆସନରେ ବାଜିମାତ କରୁଛି ଶାସକ ଦଳ । ଅନ୍ୟପଟେ ଦୀର୍ଘ ୨୪ ବର୍ଷ ପରେ ବିଜୟ ମହାପାତ୍ର ପୁଅ ମାଧ୍ୟମରେ ପୁନଃ ବିଜେଡିର ପାୱାର କରିଡର ହେବାକୁ ଚେଷ୍ଟା କରୁଛି । ଦିନେ ବାପାଙ୍କ ଟିକଟ କଟିଥିବା ବେଳେ ଏଥର ପୁଅକୁ ଟିକଟ ଦେଇଛି ବିଜେଡି ।

ପାଟକୁରା ନିର୍ବାଚନ ମଣ୍ଡଳୀ (ETV Bharat Odisha)

ପାଟକୁରାରେ ବିଜେଡି ବିଜୟ ନନ୍ଦନ ଅରବିନ୍ଦ ମହାପାତ୍ରଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡ଼ା ଓ କଂଗ୍ରେସ ରତିକାନ୍ତ କାନୁନଗୋଙ୍କୁ ଏଠାରୁ ପ୍ରାର୍ଥୀ କରିଛି । ଏଠାରେ ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ବ୍ୟକ୍ତିଗତ ସଂଗଠନ ରହିଥିବା ବେଳେ ବିଜେଡି ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ନିଜ ବାପାଙ୍କ ଜନ ସମ୍ପର୍କ ଓ ଦଳୀୟ ସଂଗଠନ ଓ ବିଜେଡିର ଭୋଟ ପୁଞ୍ଜିକୁ ଭରସା କରି ନିର୍ବାଚନୀ ବୈତରଣୀ ପାର ହେବା ଯୋଜନାରେ ରହିଛନ୍ତି । ଏଥର ନିର୍ବାଚନରେ ବିଜେଡି, ବିଜେପି ଓ କଂଗ୍ରେସ ତିନି ଜଣ ନୂଆ ପ୍ରାର୍ଥୀ ଦେଇଛନ୍ତି ।

ପାଟକୁରା ନିର୍ବାଚନ ମଣ୍ଡଳୀ (ETV Bharat Odisha)

ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ:

ପାଟକୁରା ନିର୍ବାଚନ ମଣ୍ଡଳୀ ଡେରାବିଶ୍ ବ୍ଲକର ୨୬ଟି, ଗରଦପୁର ବ୍ଲକର ୧୮ଟି ଓ ମାର୍ଶାଘାଇ ବ୍ଲକର ୭ଟି ପଞ୍ଚାୟତ ମୋଟ ୫୧ଟି ପଞ୍ଚାୟତକୁ ନେଇ ଗଠିତ । ଚଳିତ ୨୦୨୪ ସାଧାରଣ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀର ମୋଟ ମତଦାତାଙ୍କ ସଂଖ୍ୟା ୨,୫୧,୫୪୮ ଜଣ ଯେଉଁଥିରେ ପୁରୁଷ ମତଦାତାଙ୍କ ସଂଖ୍ୟା ୧,୨୯,୭୧୬ ଜଣ, ମହିଳା ମତଦାତାଙ୍କ ସଂଖ୍ୟା ୧,୨୧,୮୨୪ ଜଣ ଓ ତୃତୀୟ ଲିଙ୍ଗୀ ମତଦାତାଙ୍କ ସଂଖ୍ୟା ୮ ଜଣ ରହିଛନ୍ତି । ନିର୍ବାଚନ ମଣ୍ଡଳୀର ମୋଟ ୩୦୯ଟି ବୁଥରେ ମତଦାନ ହେବାକୁ ଥିବା ବେଳେ ୩୦୯ ବୁଥ ଅଧିକାରୀ, ୩୧ ଜଣ ଲେଖାଏଁ ବୁଥ ପରିଦର୍ଶକ ଏବଂ ସେକ୍ଟର ଅଫିସର ନିଯୁକ୍ତ ହେବେ ।

ତେବେ ଏହି ମତଦାତାଙ୍କ ମଧ୍ୟରେ ଭିନ୍ନକ୍ଷମ ଭୋଟର ୨୮୪୨ ଜଣ ରହିଥିବା ବେଳେ ୮୫-୧୨୦ ବର୍ଷ ବୟସ୍କ ବରିଷ୍ଠ ଭୋଟରଙ୍କ ସଂଖ୍ୟା କେନ୍ଦ୍ରାପଡା ଜିଲ୍ଲାରେ ସର୍ବାଧିକ ୪୫୭୪ ଜଣ ରହିଛନ୍ତି ଏବଂ ଯୁବ ଭୋଟରଙ୍କ ସଂଖ୍ୟା ୫୯୩୯ ଜଣ । ଚଳିତ ସାଧାରଣ ନିର୍ବାଚନକୁ ଅଧିକ ସରସ ସୁନ୍ଦର କରିବା ଓ ମତଦାତାଙ୍କ ସଂଖ୍ୟା ବୃଦ୍ଧି ପାଇଁ ୩୦୯ଟି ବୁଥ ମଧ୍ୟରୁ ୧୬ଟି ସଖି ବୁଥ, ୫ଟି ଯୁବ ବୁଥ, ଗୋଟିଏ ଭିନ୍ନକ୍ଷମ ବୁଥ ଓ ଅନ୍ୟାନ୍ୟ ୫ଟି ବୁଥ କରାଯାଇଛି । ରାଜ୍ୟର ଚତୁର୍ଥ ପର୍ଯ୍ୟାୟ ତଥା ଦେଶର ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ଜୁନ ୧ ତାରିଖ ଦିନ ଭୋଟ ଦେବେ ପାଟକୁରା ବାସିନ୍ଦା ।

ତେବେ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଅନ୍ୟତମ ଚର୍ଚ୍ଚିତ ବିଧାନସଭା ଆସନ ହେଉଛି ୯୬ ନମ୍ବର ପାଟକୁରା । ବିଭିନ୍ନ ସମୟରେ ଏଠାରେ ରାଜ୍ୟ ରାଜନୀତିକୁ ବହୁ ପ୍ରଭାବୀ ନେତା ନିର୍ବାଚନ ଲଢ଼ିଛନ୍ତି । ୧୯୭୬ ମସିହାରେ ଏଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ନିର୍ବାଚନ ଲଢ଼ି ପରାଜିତ ହେଇଥିଲେ । ପରେ ୧୯୮୦ରେ ବିଜୁ ପଟ୍ଟନାୟକ ଏହି ଆସନରୁ ନିର୍ବାଚନ ଜିତିଥିଲେ । ୨୦୦୯ ମସିହାରେ ବରୀ-ଡେରାବିଶ୍ ନିର୍ବାଚନ ମଣ୍ଡଳୀର ପୁନଃଗଠନ ହୋଇ ଡେରାବିଶ ବ୍ଲକ ବରୀରୁ ଅଲଗା ହୋଇଗଲା । ଉକ୍ତ ବର୍ଷ ପୂର୍ବତନ ମନ୍ତ୍ରୀ ବେଦ ପ୍ରକାଶ ଅଗ୍ରୱାଲ ମଧ୍ୟ ଏହି ଆସନରୁ ଜିତି ବିଧାନସଭାକୁ ଯାଇଥିଲେ । ପୂର୍ବତନ ମନ୍ତ୍ରୀ ପ୍ରହଲ୍ଲାଦ ମଲ୍ଲିକ, ବିଜୟ ମହାପାତ୍ର, ଅତନୁ ସବ୍ୟସାଚୀ ନାୟକ ମଧ୍ୟ ପାଟକୁରା ଆସନରୁ ଜିତି ବିଧାନସଭାକୁ ଯାଇଛନ୍ତି । ଏହି ଆସନରେ ଏକାଧିକ ଥର ଉପ ନିର୍ବାଚନ ହୋଇଥିବା ମଧ୍ୟ ରେକର୍ଡ ରହିଛି ।

2024 ନିର୍ବାଚନ ପ୍ରାର୍ଥୀ:

କଂଗ୍ରେସ ପ୍ରାର୍ଥୀ:ଚଳିତ ନିର୍ବାଚନ ପାଇଁ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଛନ୍ତି ଯୁବ ନେତା ରତିକାନ୍ତ କାନୁନଗୋ । ରତିକାନ୍ତ ମଧ୍ୟ ବେଶ କିଛି ବର୍ଷ ଧରି ରାଜନୀତିରେ ରହିଥିଲେ ମଧ୍ୟ ଗତ ୨୦୧୯ ନିର୍ବାଚନରେ ସ୍ୱାଧୀନ ଭାବେ ଲଢ଼ି ଅଳ୍ପ କିଛି ଭୋଟ ପାଇ ସନ୍ତୁଷ୍ଟ ହୋଇଥିଲେ । କିନ୍ତୁ ଚଳିତ ଥର ସେ ପ୍ରଥମ ଥର ପାଇଁ ଦଳୀୟ ଟିକେଟ ପାଇ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଏନେଇ ରତିକାନ୍ତ କାନୁନଗୋ କହିଛନ୍ତି, "ମୋର ମୁଖ୍ୟ ମୁଦ୍ଦା ରହିବ ପାଟକୁରାର ବିକାଶ । ଲୋକମାନେ ଦେଖିଲେଣି ଯେ, 24 ବର୍ଷ ଧରି ବିଜେଡି ଶାସନ କରୁଥିଲେ ମଧ୍ୟ ସବୁଥିରେ ପାଟକୁରା ପଛରେ ଅଛି । ଶିକ୍ଷା, ସ୍ବାସ୍ଥ୍ୟ ଓ କୃଷି ସବୁଥିରେ ଏଠାର ଲୋକ ପଛରେ ଅଛନ୍ତି । ଏଠାରେ ଦୁର୍ନୀତି ମଧ୍ୟ ବଢ଼ି ବଢ଼ି ଚାଲିଛି । ତେଣୁ ଏସବୁ ବିରୁଦ୍ଧରେ ଆମେ ଲୋକଙ୍କ ପାଖକୁ ଯିବୁ ଏବଂ ନିଶ୍ଚିନ୍ତ ଭାବରେ ତାଙ୍କର ଆଶୀର୍ବାଦ ଲାଭ କରିବୁ । ଆମେ ଜୋରଦାର ଲଢେଇ କରିବୁ ଓ ବିଜୟୀ ହେବୁ ।"

ବିଜେପି ପ୍ରାର୍ଥୀ:ପାଟକୁରା ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଛନ୍ତି ତେଜେଶ୍ଵର ପରିଡ଼ା । ତେବେ ତେଜେଶ୍ଵର ପରିଡ଼ା ନିର୍ବାଚନରେ ନୂଆ ହେଇଥିଲେ ସୁଦ୍ଧା ତାଙ୍କର ରାଜନୈତିକ ଅନୁଭବ ରହିଛି । ସେ ୨୦୧୪ ମସିହାରୁ ପାଟକୁରାରୁ ବିଜେଡି ଟିକେଟ ଲବିରେ ରହି ନିରାଶ ହେବା ପରେ ବିଜେଡି ତାଙ୍କୁ ରାଜ୍ୟ ସରକାରଙ୍କ ଖଦି ବୋର୍ଡର ଅଧ୍ୟକ୍ଷ ଭାବେ ଦାୟିତ୍ଵ ନ୍ୟସ୍ତ କରିଥିଲେ । ପରେ ସେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ । ଆଉ ଚଳିତ ନିର୍ବାଚନ ପାଇଁ ବିଜେପି ତାଙ୍କ ଉପରେ ଭରସା କରି ଟିକଟ ଦେଇଛି । ଏନେଇ ତେଜେଶ୍ଵର ପରିଡ଼ା କହିଛନ୍ତି, "ପାଟକୁରାରେ ବିରାଟ ପରିବର୍ତ୍ତନ ଆସୁଛି । ଏଠାରେ ପରିବାରବାଦ ଶାସନ ଶେଷ ହେବ । ଯେଉଁମାନେ ସ୍ବାଭିମାନର କଥା କହି ପାଟକୁରାକୁ ପ୍ରତାରଣା ଦେଇଥିବା ଲୋକଙ୍କ ସହ ହାତ ମିଳାଇଛନ୍ତି । ଦୀର୍ଘ ବର୍ଷ ଧରି କହୁଥିଲେ ପାଟକୁରାର ବିକାଶ କରିବୁ ଓ ଲଢେଇ କରିବୁ । କିନ୍ତୁ ଯେଉଁମାନେ ପାଟକୁରାର ଦାୟିତ୍ବ ନେବେ କହି ପ୍ରତାରିତ କଲେ ସେମାନଙ୍କ ସହ ଯିଏ ହାତ ମିଶେଇଛନ୍ତି ପାଟକୁରାବାସୀ ତାଙ୍କୁ ନିଶ୍ଚୟ ଜବାବ ଦେବେ । ମୁଦ୍ଦା ହେଉଛି ପାଟକୁରାର ବିକାଶ । 24 ବର୍ଷ ଶାସନ କରୁଥିବା ସରକାରର ପତନ ଘଟିବ ।"

ବିଜେଡି ପ୍ରାର୍ଥୀ:ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଅରବିନ୍ଦ ମହାପାତ୍ର । ଅରବିନ୍ଦ ହେଉଛନ୍ତି ଭେଟେରାନ ରାଜନେତା ବିଜୟ ମହାପାତ୍ରଙ୍କ ପୁଅ । ଅରବିନ୍ଦ ପ୍ରଥମ କରି ରାଜନୀତି ମୈଦାନରେ ପାଦ ଥାପିଛନ୍ତି । ବାପାଙ୍କ ଲୋକସମ୍ପର୍କ ଓ ସଙ୍ଗଠନକୁ ଆଶ୍ରା କରି ରଣଭୂମିରେ ଅବତୀର୍ଣ୍ଣ ହୋଇଛନ୍ତି ଅରବିନ୍ଦ । ଅନ୍ୟପଟେ ନିର୍ବାଚନରେ ବିଜୟ ପାଇଁ ବିଜେଡିର ନିଜସ୍ଵ ଭୋଟ ବ୍ୟାଙ୍କ ମଧ୍ୟ ଅରବିନ୍ଦଙ୍କୁ ବେଶ ସହାୟକ ହେବ । ଅରବିନ୍ଦ ମହାପାତ୍ର କହିଛନ୍ତି, "ସମସ୍ତଙ୍କ ଆଶୀର୍ବାଦ ନେଇ ମୁଁ ମୈଦାନକୁ ଆସିଛି । ମୋର ମୁଦ୍ଦା ହେଉଛି ପାଟକୁରା ବିକାଶ । ପାଟକୁରାରେ ଯାହା କିଛି ଦରକାର ଯେମିତିକି ଜଳସେଚନ ସୁବିଧା, ଜଳ ନିଷ୍କାସନ ସୁବିଧା ଓ ବେରୋଜଗାରୀ ଭଳି କିଛି ସମସ୍ୟାକୁ ନେଇ ମୁଁ ଆଗକୁ ଆସିଛି । ଏହାସହ ଏଠାରେ ଯାହାକିଛି ବିକାଶମୂଳକ କାର୍ଯ୍ୟ ଚାଲିଛି ତାକୁ କେମିତି ଶୀଘ୍ର ଶେଷ କରିବି ତାକୁ ନେଇ ନିର୍ବାଚନକୁ ଓହ୍ଲାଇଛି ।"

ବିଗତ ନିର୍ବାଚନ ଫଳାଫଳ

ପାଟକୁରା ନିର୍ବାଚନ ମଣ୍ଡଳୀ (ETV Bharat Odisha)

୨୦୧୯ ନିର୍ବାଚନ ଫଳାଫଳ:ତେବେ 2019 ନିର୍ବାଚନରେ ପାଟକୁରାରେ ଦେଖିବାକୁ ମିଳିଥିଲା କିଛି ରୋଚକ ଦୃଶ୍ୟ । ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର ନିର୍ବାଚନ ଜିତିବା ପାଇଁ କଳବଳ କୌଶଳ ଲଗାଇ ଦେଇଥିଲେ । ବିଜୟ ପାଟକୁରାରେ ବାଜିମାତ କରିବେ ବୋଲି ଚର୍ଚ୍ଚା ହେଉଥିଲା । ଆଉ ଏହାରି ଭିତରେ ବିଜେଡିରୁ ବିଧାୟକ ପ୍ରାର୍ଥୀ ହୋଇଥିବା ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ହୋଇଥିଲା । ଯାହାକୁ ନେଇ ପାଟକୁରାରେ ନିର୍ବାଚନରେ ବିଳମ୍ବ ହୋଇଥିଲା । ବେଦପ୍ରକାଶଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କୁ ପୁଣିଥରେ ପ୍ରାର୍ଥୀ କରିଥିଲା ବିଜେଡି । ଆଉ ସ୍ବାମୀଙ୍କ ଜାଗା ନେଇ ୯୬,୧୩୦ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ ସାବିତ୍ରୀ । ସେପଟେ ବିଜୟ ମହାପାତ୍ର ମାତ୍ର ୭୮,୧୩୨ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ ।

ପାଟକୁରା ନିର୍ବାଚନ ମଣ୍ଡଳୀ (ETV Bharat Odisha)

୨୦୧୪ ନିର୍ବାଚନ ଫଳାଫଳ:୨୦୧୪ ନିର୍ବାଚନରେ ପାଟକୁରାରେ ମୋଟ ମତଦାତା ୨,୨୭,୮୨୬ ଜଣ ରହିଥିବା ବେଳେ ଏଠାରୁ ବିଜେଡି ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲ ବିଜୟୀ ହୋଇଥିଲେ । ବେଦପ୍ରକାଶ ମୋଟ ୮୯,୮୫୩ ଖଣ୍ଡ ଭୋଟ ପାଇଥିଲେ । ସେହିପରି କଂଗ୍ରେସର ଜୟନ୍ତ ମହାନ୍ତି ୪୨,୧୩୮ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହି ପରାଜିତ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଆଳିରେ ନିର୍ବାଚନ ମଣ୍ଡଳୀ: ରଣାଙ୍ଗନରେ ଅଭିଜ୍ଞ ବନାମ ଡାକ୍ତର ଓ ପୋଲିସ, କିଏ ମାରିବ ବାଜି ? - Aul Assembly Constituency

୨୦୦୯ ନିର୍ବାଚନ ଫଳାଫଳ:୨୦୦୯ ନିର୍ବାଚନରେ ପାଟକୁରାରେ ମୋଟ ମତଦାତା ୨,୧୩,୦୨୫ ଜଣ ରହିଥିବା ବେଳେ ଏଠାରୁ ବିଜେଡି ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲ ବିଜୟୀ ହୋଇଥିଲେ । ବେଦପ୍ରକାଶ ମୋଟ ୭୧,୭୨୫ ଖଣ୍ଡ ଭୋଟ ପାଇଥିଲେ । ସେହିପରି ବିଜେପିର ଜବିଜୟ ମହାପାତ୍ର ୪୪,୯୯୦ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହି ପରାଜିତ ହୋଇଥିଲେ । ସେହିପରି କଂଗ୍ରେସର ନାରାୟଣ ପ୍ରସାଦ ସ୍ବାଇଁ ତୃତୀୟ ସ୍ଥାନରେ ରହିଥିଲେ ।


ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details