ବରଗଡ଼:ଭୋଟ ଦେଉଛି ବରଗଡ । ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବରଗଡରେ ପଡୁଛି ଭୋଟ । ଜିଲ୍ଲାର 5ଟି ବିଧାନସଭା ଆସନରେ ମତଦାନ ଚାଲୁଥିବା ବେଳେ ପ୍ରାର୍ଥୀ ବାଛୁଛନ୍ତି ଭୋଟର । ବରଗଡ, ଅତାବିରା, ଭଟଲି ଓ ବିଜେପୁର ନିର୍ବାଚନ ମଣ୍ଡଳୀରେ ସକାଳ 7 ଟାରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ମତଦାନ ହେବାକୁ ଥିବାବେଳେ ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ମାଓପ୍ରବଣ ଅଞ୍ଚଳ ହୋଇଥିବାରୁ ସେଠାରେ ସକାଳ 7 ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ 4ଟାରେ ଶେଷ ହେବ |
ବରଗଡ ଜିଲ୍ଲାରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀ ଭାବେ ସମୁଦାୟ 39 ଜଣଙ୍କର ଭାଗ୍ୟ ପରୀକ୍ଷା ଚାଲିଛି | ବରଗଡ ସଂସଦୀୟ କ୍ଷେତ୍ରରେ ସାଂସଦ ପ୍ରାର୍ଥୀ ଭାବେ 7 ଜଣ ଛିଡା ହୋଇଥିବାବେଳେ 5ଟି ବିଧାନସଭା ଆସନରେ ବିଧାୟକ ପ୍ରାର୍ଥୀ ଭାବେ 32 ଜଣ ଛିଡା ହୋଇଛନ୍ତି | ତେବେ ପଦ୍ମପୁର ଆସନ ପାଇଁ 7 ଜଣ ପ୍ରାର୍ଥୀ, ବିଜେପୁର ଆସନ ପାଇଁ 4 ଜଣ ପ୍ରାର୍ଥୀ, ବରଗଡ ପାଇଁ 9 ଜଣ, ଅତାବିରା ପାଇଁ 5 ଜଣ ଓ ଭଟଲି ଆସନ ପାଇଁ 7 ଜଣ ପ୍ରାର୍ଥୀ ଛିଡା ହୋଇଛନ୍ତି |
ବରଗଡ଼ର ୫ ବିଧାନସଭା ଆସନରେ ସମୁଦାୟ ୧୧ ଲକ୍ଷ ୮୧ ହଜାର ୮୯୩ ଭୋଟର ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ପୁରୁଷ ମତଦାତା ସଂଖ୍ୟା ୫ ଲକ୍ଷ ୯୫ ହଜାର ୪୯୪ ଏବଂ ମହିଳା ମତଦାତା ସଂଖ୍ୟା ୫ ଲକ୍ଷ ୮୬ ହଜାର ୩୫୩ ରହିଛି । ସମୁଦାୟ ଭୋଟର ମାନଙ୍କ ମଧ୍ୟରୁ ୧୧,୧୯୬ ଜଣ ଦିବ୍ୟାଙ୍ଗ ରହିଛନ୍ତି | ଏଥର ୨ ଲକ୍ଷ ୩୦ ହଜାର ୯୭୬ ନୂତନ ଭୋଟର ମତଦାନ କରୁଛନ୍ତି । ୮୫ ବର୍ଷ ବୟସରୁ ଅଧିକ ଥିବା ୮ ହଜାର ୩୧୫ ଭୋଟରମାନଙ୍କ ପାଇଁ ଏଥର ପୂର୍ବରୁ ବାଲେଟ ମାଧ୍ୟମରେ ମତ ସଂଗ୍ରହ କରାଯାଇଛି ।