ଓଡିଶା

odisha

କେନ୍ଦୁଝର ଲୋକସଭା ଫାଇଟ୍‌; ଅନନ୍ତଙ୍କୁ ମୋଦି, ସିଦ୍ଧୁଙ୍କୁ ନବୀନ ଓ ବିନୋଦଙ୍କୁ ନିଜ ଭାବମୂର୍ତ୍ତି ଭରସା - Lok Sabha Election 2024

By ETV Bharat Odisha Team

Published : May 12, 2024, 5:50 PM IST

Kendujhar Lok Sabha Constituency: କାହାର ହେବ କେନ୍ଦୁଝର ଲୋକସଭା ଆସନ ? କାହାକୁ ବାଛିବେ ଭୋଟର ? ପୁଣିଥରେ ରିପିଟ୍ କରିବ ବିଜେଡି, ନା ଅଙ୍କ ବିଗାଡିବେ ବିଜେପି ପ୍ରାର୍ଥୀ ? ସେପଟେ କେନ୍ଦୁଝର ଲଢ଼େଇକୁ ତ୍ରିମୁଖୀ କରିବାକୁ ମୈଦାନରେ ଜୋରଦାର କସରତ କରୁଛନ୍ତି କଂଗ୍ରେସ ପ୍ରାର୍ଥୀ ବିନୋଦ ବିହାରୀ ନାଏକ । ମୋଦି ହାୱା ବନାନ ନବୀନ ଗ୍ୟାରେଣ୍ଟିକୁ ନେଇ ବିଜେଡି ଓ ବିଜେପି ପ୍ରାର୍ଥୀ ଲଢୁଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କୁ ଭରସା ନିଜ ଭାବମୂର୍ତ୍ତି ।

Kendujhar Lok Sabha Election 2024
Kendujhar Lok Sabha Election 2024 (ETV Bharat Odisha)

Kendujhar Lok Sabha Election 2024 (ETV Bharat Odisha)

କେନ୍ଦୁଝର: ଲୋକସଭା ସମେତ ରାଜ୍ୟ ବିଧାନସଭା ନିର୍ବାଚନକୁ ନେଇ ଚଳଚଞ୍ଚଳ ଗାଁ ଠାରୁ ସହର । ତିନି ପ୍ରମୁଖ ଦଳର ପ୍ରାର୍ଥୀ ଏବେ ନିଜ ସମର୍ଥକଙ୍କୁ ଧରି ନିର୍ବାଚନ ବୈତରଣୀ ପାର ହେବାକୁ ଜୋରଦାର ପ୍ରୟାସ କରୁଛନ୍ତି । ଏହାରି ଭିତରେ କେନ୍ଦୁଝର ଲୋକସଭା ଆସନରେ ଏବେ ଜୋର ଧରିଛି ନିର୍ବାଚନ ପ୍ରଚାର । ରଣାଙ୍ଗନରେ ବିଜେଡି ପକ୍ଷରୁ ଧନୁର୍ଜୟ ସିଦ୍ଧୁ, କଂଗ୍ରେସରୁ ବିନୋଦ ବିହାରୀ ନାଏକ ଏବଂ ବିଜେପିରୁ ପୂର୍ବତନ ସାଂସଦ ଅନନ୍ତ ନାୟକ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।

Kendujhar Lok Sabha Election 2024 (ETV Bharat Odisha)

କେନ୍ଦୁଝର ଲୋକସଭା ଆସନ: ସଂରକ୍ଷିତ ଏହି ଲୋକସଭା ଆସନରେ ଅଧିନରେ ରହିଥିବା ୭ ବିଧାନସଭା ନିର୍ବାଚନ ମଣ୍ଡଳୀ ଗୁଡ଼ିକ ହେଉଛି କେନ୍ଦୁଝର ସଦର, ଚମ୍ପୁଆ, ପାଟଣା, ତେଲକୋଇ, ଘସିପୁରା, ଆନନ୍ଦପୁର ଓ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବିଧାନସଭା ନିର୍ବାଚନ ମଣ୍ଡଳୀ । ୨୦୧୯ ସାଧାରଣ ନିର୍ବାଚନ ଉପରେ ନଜର ପକାଇଲେ ଏଠାରେ ବିଜେଡିର ପତିଆରା ଦେଖିବାକୁ ମିଳିଥିଲା । କେନ୍ଦୁଝର ଲୋକସଭା ସମେତ ଏହା ଅନ୍ତର୍ଗତ ୬ ବିଧାନସଭା ହାତେଇଥିଲା ଶାସକ ବିଜେଡି । କେବଳ କେନ୍ଦୁଝର ସଦର ବିଧାୟନସଭା ଆସନ ଅକ୍ତିଆର କରିବାରେ ସଫଳ ହୋଇଥିଲେ ବିଜେପି ପ୍ରାର୍ଥୀ ମୋହନ ଚରଣ ମାଝୀ ।

Kendujhar Lok Sabha Election 2024 (ETV Bharat Odisha)

ଏଠାରେ ମୋଟ ମତଦାତା ସଂଖ୍ୟା ୧୩,୭୧,୬୬୧ ଥିବାବେଳେ ସେହି ମଧ୍ୟରୁ ୬,୮୩,୫୧୫ ପୁରୁଷ, ୬,୮୮,୦୬୦ ମହିଳା ଏବଂ ୮୬ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି । ସମୁଦାୟ ଭୋଟର ସଂଖ୍ୟାରୁ ୧୨,୪୮୪ ଜଣ ଶାରୀରିକ ଭିନ୍ନକ୍ଷମ ଥିବାବେଳେ ନୂତନ ଭୋଟର ସଂଖ୍ୟା ୩୫,୫୩୬ ରହିଛି । ସେହିଭଳି ୮୦ ବର୍ଷ ବୟସରୁ ଅଧିକ ୨୦,୦୦୫ ଭୋଟର ଏଥର ସାଧାରଣ ନିର୍ବାଚନରେ ଭାଗ ନେବାକୁ ଯାଉଛନ୍ତି । ସେହିପରି ଜିଲ୍ଲାର ୬ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୬ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ ରିଟର୍ଣ୍ଣିଂ ଅଫିସର ଭାବେ ନିୟୋଜିତ ହୋଇଛନ୍ତି । ଜିଲ୍ଲାରେ ସର୍ବମୋଟ ୧,୭୨୦ ବୁଥ ମଧ୍ୟରୁ ସ୍ଵତନ୍ତ୍ର ଭାବେ ସଖୀ ବୁଥ ୧୭୪, ଯୁବ ବୁଥ ୩୦, ଭିନ୍ନକ୍ଷମ ବୁଥ ୩, ଏବଂ ଗୋଟିଏ ଏଥନିକ ବୁଥ ଭାବର ଚିହ୍ନଟ ହୋଇଛି । ଏହି ୧,୭୨୦ ପୋଲିଂ ଷ୍ଟେସନରେ ୧୦,୭୩୧ ପୁରୁଷ ଏବଂ ୧,୬୫୩ ମହିଳା ଏହିପରି ମୋଟ ୧୨,୩୮୪ ଜଣ ପୋଲିଂ କର୍ମଚାରୀ ନିୟୋଜିତ ରହି ମତଦାନ ପ୍ରକ୍ରିୟା ଆଗେଇ ନେବେ ।

Kendujhar Lok Sabha Election 2024 (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ବାଲେଶ୍ବର ଲୋକସଭା ଆସନରେ କିଏ ମାରିବ ବାଜି ? ପ୍ରତାପ-ଶ୍ରୀକାନ୍ତ-ଲେଖାଶ୍ରୀଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ - Balasore Lok Sabha Election 2024

ଦେଖିବାକୁ ମିଳିବ ତ୍ରିମୁଖୀ ଲଢ଼େଇ: କେନ୍ଦୁଝର ଲୋକସଭା ଆସନରୁ ଏଥର ବିଜେଡି ପକ୍ଷରୁ ଧନୁର୍ଜୟ ସିଦ୍ଧୁ ପ୍ରାର୍ଥୀ ହୋଇଛନ୍ତି । ଗତଥର ଚନ୍ଦ୍ରାଣୀ ମୁର୍ମୁ ଏଠାରୁ ବିଜେଡି ଟିକଟରେ ଲଢ଼ି ସର୍ବକନିଷ୍ଠ ସାଂସଦ ଭାବେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ହେଲେ ଏଥର ତାଙ୍କ ଟିକଟ କାଟି ଧନୁର୍ଜୟ ସିଦ୍ଧୁଙ୍କୁ ପ୍ରାର୍ଥୀ କରିଛି ଦଳ । କଂଗ୍ରେସ ପ୍ରଥମେ ଏହି ଆସନରୁ ମୋହନ ହେମ୍ବ୍ରମଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ହେଲେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ପରିବର୍ତ୍ତନ କରି ବିନୋଦ ବିହାରୀ ନାଏକଙ୍କୁ ଦଳ ପ୍ରାର୍ଥୀ କରିଥିଲା । ବିଜେପିରୁ ପୂର୍ବତନ ସାଂସଦ ଅନନ୍ତ ନାୟକ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ୨୦୨୪ ନିର୍ବାଚନରେ ଅନନ୍ତ କେନ୍ଦୁଝର ଲୋକସଭା ଆସନରୁ ବିଜେପି ଟକଟରେ ୬ଷ୍ଠ ଥର ପାଇଁ ପ୍ରାର୍ଥୀ ହୋଇଛନ୍ତି ।

ଅନନ୍ତ ନାୟକ (ବିଜେପି): ବିଜେପି-ବିଜେଡି ମେଣ୍ଟ ସମୟରେ କେନ୍ଦୁଝର ଲୋକସଭା ଆସନ ବିଜେପିର ଦୁର୍ଗ ଭାବେ ପରିଚିତ ଥିଲା । ବିଜେପି ପ୍ରାର୍ଥୀ ଅନନ୍ତ ନାୟକ ଏଠାରୁ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ସେ ୨୦୦୯, ୨୦୧୪, ୨୦୧୯ରେ ପରାଜିତ ହୋଇଥିଲେ ଅନନ୍ତ । ୨୦୨୪ ନିର୍ବାଚନରେ ଅନନ୍ତ ନାୟକ ବିଜେପି ପକ୍ଷରୁ ୬ଷ୍ଠ ଥର ପାଇଁ ପ୍ରାର୍ଥୀ ହୋଇଛନ୍ତି । ରାଷ୍ଟ୍ରୀୟସ୍ତରରେ ଅନନ୍ତ ନାୟକଙ୍କ ବେଶ ଦବଦବା ରହିଛି । ଗତ ୫ ବର୍ଷରେ ସେ ଜାତୀୟ ଜନଜାତି କମିଶନଙ୍କ ସଦସ୍ୟ ଓ ଶେଷରେ କମିଶନଙ୍କ ଉପାଧ୍ୟକ୍ଷ ପଦ ମଧ୍ୟ ହାସଲ କରିଥିଲେ । ମୋଦି ହାୱା ଏଠାରେ ନିଶ୍ଚିତ କାମ ଦେବ ଓ କେନ୍ଦୁଝରରେ ବିଜେପି ବିଜୟ ହାସଲ କରିବ ବୋଲି ଦୃଢୋକ୍ତି ବାଢ଼ିଛନ୍ତି ଅନନ୍ତ ।

ଏହା ମଧ୍ୟ ପଢ଼ନ୍ତୁ...ନାମାଙ୍କନ ଭରିଲେ ବିଜେପିର ଅନନ୍ତ,ମୋହନ ଓ ଅଖିଳ: ହଜାର ହଜାର ସମର୍ଥକଙ୍କୁ ନେଇ ଶକ୍ତି ପ୍ରଦର୍ଶନ - BJP Candidate Nomination

ଧନୁର୍ଜୟ ସିଦ୍ଧୁ (ବିଜେଡି): ବିଜେପି ପ୍ରାର୍ଥୀ ଏଥର ନିର୍ବାଚନ ଜିତିବା ପାଇଁ ମୋଦିଙ୍କ ହାୱାକୁ ନେଇ ଆଶାବାଦୀ ହୋଇ ଉଠିଥିବା ବେଳେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ନବୀନଙ୍କ ଭାବମୂର୍ତ୍ତି ଓ ବ୍ରାଣ୍ଡ ଶଙ୍ଖ ଚିହ୍ନକୁ ନେଇ ମୈଦାନକୁ ଓହ୍ଲାଇଛନ୍ତି । ଏହା ସହିତ ଚମ୍ପୁଆରୁ ସନାତନ ମହାକୁଡ ବିଜେଡି ଟିକଟ ନେବାପରେ ଏହା ଲୋକସଭା କ୍ଷେତ୍ରରେ ମଧ୍ୟ ବିଜେଡି ବିଜୟପଥକୁ ସୁଗମ କରିବ ବୋଲି ଆଲୋଚନା ହେଉଛି । ସେ ରାଜ୍ୟ ସରାକରଙ୍କ ଲୋକାଭିମୁଖୀ ଯୋଜନାକୁ ନେଇ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ଓ ଲୋକେ ପୁଣିଥରେ ବିଜେଡିକୁ ଜିତାଇବେ ବୋଲି ଆଶା ରଖିଥିବା କହିଛନ୍ତି ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ।

ବିନୋଦ ବିହାରୀ ନାଏକ (କଂଗ୍ରେସ): ଅନ୍ୟପକ୍ଷରେ ଜିଲ୍ଲା କଂଗ୍ରେସର ଜିଦ ଆଗରେ ମୁଣ୍ଡ ନୁଆଁଇ ଏଠାରେ ପ୍ରାର୍ଥୀ ପରିବର୍ତ୍ତନ କରିଛି କଂଗ୍ରେସ । ପ୍ରଥମେ ଏଠାରୁ ମୋହନ ହେମ୍ବ୍ରମଙ୍କୁ ପ୍ରାର୍ଥୀ କରିଥିଲା ଦଳ । ଏହାପରେ ସାଂସଦ ପ୍ରାର୍ଥୀ ପରିବର୍ତ୍ତନ କରି ବିନୋଦ ବିହାରୀ ନାୟକଙ୍କୁ ପ୍ରାର୍ଥୀ କରିଛି ଦଳ । ନିଜର ଶାନ୍ତ ସ୍ବଭାବ ଗୁଣ ଯୋଗୁଁ ଭୋଟରମାନଙ୍କର ତାଙ୍କ ପ୍ରତି ସ୍ନେହ ସହାନୁଭୂତି ରହିଥିବା ଲକ୍ଷ୍ୟ କରାଯାଉଛି । ଏହାକୁ ଆଧାର କରି ସେ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ନିଜ ସପକ୍ଷରେ ଜନମତ ଆପଣେଇବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରି ଦେଇଛନ୍ତି । ଜିଲ୍ଲାରେ ବେକାରୀ ସମସ୍ୟା, ପାନୀୟ ଜଳ ସମସ୍ୟା, ଗମନାଗମନ ଓ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ସମସ୍ୟା ନେଇ ଲୋକଙ୍କ ଆସ୍ଥା ଭାଜନ ହେବା ଲକ୍ଷ୍ୟରେ ଅଛନ୍ତି ବିନୋଦ ନାଏକ । ଆଦିବାସୀ ସଂପ୍ରଦାୟର ସମସ୍ୟା ଲୋକସଭାରେ ସଠିକ ଉଠାଇବେ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...କେନ୍ଦୁଝରରେ କଂଗ୍ରେସ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ - File Nomination In Kendujhar

Kendujhar Lok Sabha Election 2024 (ETV Bharat Odisha)

୨୦୧୯ ନିର୍ବାଚନ ଫଳାଫଳ: ଗତ ନିର୍ବାଚନରେ ଏଠାରୁ ସର୍ବକନିଷ୍ଠ ସାଂସଦ ଭାବେ ବିଜେଡି ଟିକଟରୁ ଲଢ଼ି ନିର୍ବାଚିତ ହୋଇଥିଲେ ଚନ୍ଦ୍ରାଣୀ ମୁର୍ମୁ । ସେ ୫,୨୬,୩୫୯ ଭୋଟ ପାଇ ନିର୍ବାଚିତ ହୋଇଥିଲେ । ସମୁଦାୟ ଭୋଟର ୪୫.୪୯ ପ୍ରତିଶତ ଭୋଟ ପାଇଥିଲେ ଚନ୍ଦ୍ରାଣୀ । ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ବିଜେପି ପ୍ରାର୍ଥୀ ଅନନ୍ତ ନାୟକଙ୍କୁ ୬୬,୨୦୩ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ଅନନ୍ତ ୪,୬୦,୧୫୬ ଭୋଟ ପାଇଥିଲେ । ଅନ୍ୟପଟେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ମୋହନ ହେମ୍ବ୍ରମ ୧,୨୮,୭୧୬ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।

Kendujhar Lok Sabha Election 2024 (ETV Bharat Odisha)

୨୦୧୪ ନିର୍ବାଚନ ଫଳାଫଳ:ଏହି ନିର୍ବାଚନରେ କେନ୍ଦୁଝରରେ କ୍ରମାଗତ ଦ୍ବିତୀୟ ଥର ପାଇଁ ବାଜିଥିଲା ଶଙ୍ଖ । ଶକୁନ୍ତଳା ଲାଗୁରି ବିଜେଡି ଟିକଟରେ ଲଢ଼ି ୪,୩୪,୪୭୧ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀ ଅନନ୍ତ ନାୟକ ୨,୭୭,୧୫୪ ଭୋଟ ପାଇ ଦ୍ବିତୀୟରେ ରହିଥିଲେ । ସେହିଭଳି କଂଗ୍ରେସ ପ୍ରାର୍ଥୀ ହୋଇଥିବା ମାଧବ ସର୍ଦ୍ଦାର ୧,୯୦,୫୩୧ ଭୋଟ ପାଇଥିଲେ ।

କେନ୍ଦୁଝର ଜିଲ୍ଲାର ସହରାଞ୍ଚଳରେ ଥିବା ପ୍ରାୟ ୩୦ ପ୍ରତିଶତ ଭୋଟର ମୋଦି ହାୱାରେ ପ୍ରଭାବିତ ହୋଇ ବିଜେପି ପ୍ରାର୍ଥୀଙ୍କ ଆଡକୁ ଢଳୁଥିଲେ ସୁଦ୍ଧା ଗ୍ରାମାଞ୍ଚଳରେ ରାଜନୈତିକ ବାତାବରଣରେ ବ୍ୟତିକ୍ରମ ପରିଲକ୍ଷିତ ହେଉଛି । ଗ୍ରାମାଞ୍ଚଳରେ ଥିବା ଭୋଟର ନବୀନ ପଟ୍ଟନାୟକ ଓ ଶଙ୍ଖ ଚିହ୍ନ ସପକ୍ଷରେ ନିଜ ମତଦାନ କରିବା ପାଇଁ ମନ ବଳାଇଥିବା ଆଲୋଚନା ହେଉଛି । ତେଣୁ ଏଠାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ମୋଦି ହାୱା ବେଶ ଗୁରୁତ୍ବପୂର୍ଣ୍ଣ ରହିଥିବାବେଳେ ଗ୍ରାମାଞ୍ଚଳରେ କିନ୍ତୁ ନବୀନଙ୍କ ହାୱାର ବେଗ ମଧ୍ୟ ପ୍ରଖର ରହିଛି । ନିର୍ବାଚନ ପ୍ରଚାରର ଦୃଶ୍ୟପଟ୍ଟରେ ବିଜେଡି ଓ ବିଜେପି ମଧ୍ୟରେ ଏହି ଆସନକୁ ହାତେଇବା ପାଇଁ ଟଣାଓଟରା ରାଜନୀତି ଲାଗି ରହିଥିବାବେଳେ ଏହି ଦୁଇ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ଲଢେଇରୁ କଂଗ୍ରେସ ସାଂସଦ ପ୍ରାର୍ଥୀ କେତେ ଫାଇଦା ଉଠାଇବେ ତାହା ଆଲୋଚନାର ବିଷୟ ପାଲଟିଛି ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details