କେନ୍ଦ୍ରାପଡା: ବିଜୁ ଜନତା ଦଳ ଶାସନରେ ଜିଲ୍ଲାରେ ବିକାଶର ଚିହ୍ନଟିଏ ମଧ୍ୟ ନାହିଁ । ବିଭିନ୍ନ କ୍ଷେତ୍ରରେ ଜିଲ୍ଲାରେ ଯେଉଁ ବିକାଶମୂଳକ ପ୍ରକଳ୍ପ ହେବା ନେଇ ପ୍ରତିଶ୍ରୁତି ମିଳିଥିଲା, ତାହା ପ୍ରତାରଣାରେ ପରିଣତ ହୋଇଛି । ନିଯୁକ୍ତି, ଶିକ୍ଷା, କୃଷି, ଶିଳ୍ପ ପରି ବିଭିନ୍ନ କ୍ଷେତ୍ରରେ ଜିଲ୍ଲା ଆଜି ବେଶ ପଛରେ ରହିଛି । ଏପରି ଅଭିଯୋଗ ଆଣି ଗତକାଲି (ଶୁକ୍ରବାର) ସନ୍ଧ୍ୟାର ସାମ୍ବାଦିକ ସମ୍ମିଳନୀରେ ଶାସକ ଦଳ ଉପରେ ଭୀଷଣ ବର୍ଷିଛନ୍ତି ବିଜେପି ନେତ୍ରୀ ତଥା କେନ୍ଦ୍ରାପଡାର ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ ।
ଗରାପୁରର ଏକ ଘରୋଇ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ ରାଜ୍ୟ ସରକାର କେନ୍ଦ୍ରାପଡ଼ାବାସୀଙ୍କ ସହ ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ଏକ କୃଷିପ୍ରାଧାନ୍ୟ ଜିଲ୍ଲା ହୋଇଥିବା ବେଳେ ନଳିତା ଚାଷରେ ଏହା ଏକଦା ସାରା ରାଜ୍ୟରେ ଏକନମ୍ବର ସ୍ଥାନ ଅଧିକାର କରିଥିଲା। ହେଲେ କୃଷି ଓ କୃଷକର ବିକାଶ ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନଥିବାରୁ ଆଜି ଜିଲ୍ଲାରେ ନଳିତା ଚାଷ ବୁଡି ଯାଇଯାଇଛି । ସେହିପରି ରବି ଓ ଖରିଫ ଚାଷ ପାଇଁ ରାଜ୍ୟ ସରକାରଙ୍କ ଅବଦାନ ଅତ୍ୟନ୍ତ ନ୍ୟୁନ । ଚାଷ ଜମିକୁ କେତେବେଳେ ପାଣି ମାଡୁନଥିବା ବେଳେ ଚାଷ ଜମିରୁ ବର୍ଷା ଜଳ ନିଷ୍କାସନ ଚିନ୍ତାର ବିଷୟ ପାଲଟିଛି ବୋଲି ଅର୍ଚ୍ଚନା ଅଭିଯୋଗ କରିଛନ୍ତି ।
ଆହୁରି ମଧ୍ୟ ଅର୍ଚ୍ଚନା କହିଛନ୍ତି, ୨୦୧୪ ନିର୍ବାଚନ ପୁର୍ବରୁ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ନଦୀଭିତ୍ତିକ ବନ୍ଦରର ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ହିଁ ରହିଯାଇଛି । ନା ନଦୀଜଳକୁ ରୋକାଯାଇ ପାରିଛି ନା ବନ୍ଦର ତିଆରି ହୋଇପାରିଛି । ରାଜ୍ୟ ସରକାରଙ୍କ ଘୋଷଣା କେବଳ ଘୋଷଣାରେ ହିଁ ରହିଯାଇଛି । ସେହିପରି ନିଯୁକ୍ତି ସୁଯୋଗ ନଥବାରୁ କେନ୍ଦ୍ରାପଡା ଯୁବକ ଦାଦନ ଖଟିବାକୁ ସୁଦୂର ସୁରଟ, କେରଳ, ମହାରାଷ୍ଟ୍ର ଓ ତାମିଲନାଡୁ ଆଦି ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି । ରାଜ୍ୟ ସରକାର ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ ବୋଲି ପ୍ରତିଶ୍ରୁତି ଦେଇ ଆସି ଜିଲ୍ଲାବାସୀଙ୍କୁ ଠକିଛନ୍ତି ।