ଭୁବନେଶ୍ବର: ''ବାହାର ରାଜ୍ୟରୁ ନେତାଙ୍କୁ ଆଣି ଓଡ଼ିଶାବାସୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାବଦରେ ଅପମାନସୂଚକ ମନ୍ତବ୍ୟ ଦେଉଛି ବିଜେପି । ଅଶୋଭନୀୟ ଶବ୍ଦ ପ୍ରୟୋଗ କରିବା ଓଡ଼ିଶା ବିଜେପିକୁ ଆଦୌ ଶୋଭା ଦେଉନାହିଁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସେମାନଙ୍କ ସହ ମିଶି ସମାନ ଭାଷା ବ୍ୟବହାର କରିବା ଓଡ଼ିଶା ସଂସ୍କୃତି ବିରୋଧୀ ।'' କେନ୍ଦ୍ରୀୟ ବିଜେପି ନେତା ଏବଂ ବାହାର ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶାରେ ପ୍ରଚାର ଏବଂ ନବୀନଙ୍କୁ ସିଧା ଟାର୍ଗେଟ କରିବାକୁ ନେଇ ଏପରି କଡ଼ା ପ୍ରତିକ୍ରିୟା ଦେଇଛନ୍ତି ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।
ବିଜେଡି ନେତା ପ୍ରଣବ କହିଛନ୍ତି ଯେ, ଗତ ୨୪ ବର୍ଷ ହେଲା ସାଢ଼େ ୪ କୋଟି ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରିଆସୁଛନ୍ତି । ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କୁ ଭାରି ଭଲପାଆନ୍ତି । ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ନିଜ ପରିବାର ସଦସ୍ୟ ଭଳି ଭାବି କାର୍ଯ୍ୟ କରିଥାନ୍ତି । ହେଲେ ବାହାର ରାଜ୍ୟରୁ ନେତାଙ୍କୁ ଆଣି ଓଡ଼ିଶାବାସୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାବଦରେ ଅପମାନସୂଚକ ମନ୍ତବ୍ୟ ଦେବା, ଅଶୋଭନୀୟ ଶବ୍ଦ ପ୍ରୟୋଗ କରିବା ରାଜ୍ୟ ବିଜେପିକୁ ଆଦୌ ଶୋଭା ଦେଉନାହିଁ । ବାହାରୁ ଆସୁଥିବା ନେତା ଆମ ଅତିଥି । ସେଥିପାଇଁ ଆମେ ବିଶେଷ କିଛି ପ୍ରତିକ୍ରିୟା ରଖୁନଥିଲୁ । କାରଣ ବିଜେଡି ସବୁବେଳେ ଓଡ଼ିଶାର ସଂସ୍କୃତିକୁ ପାଳନ କରେ । ଗତ ୧୦ ବର୍ଷ ହେଲା ଆମେ ଦେଖିଆସୁଛୁ, ଓଡ଼ିଶା ବିଜେପି ନେତା ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ମନ୍ତବ୍ୟ ଦେଇଆସୁଛନ୍ତି । କାରଣ ସେମାନଙ୍କ ନିକଟରେ ଆଉ କିଛି ମୁଦ୍ଦା ନାହିଁ ।