ନିମାପଡ଼ା:ଆସନ୍ତା ୨୫ତାରିଖରେ ନିମାପଡା ଗସ୍ତ କରିବେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ । ବିରାଟ ସମାବେଶର ଆୟୋଜନ ପାଇଁ ନିମାପଡା ବିଜେପି କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଛି । ଅମିତ ଶାହଙ୍କ ନିମାପଡା ଗସ୍ତ ନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ବିଜେପି ନେତା ସମୀର ରଞ୍ଜନ ଦାଶ । ଅନ୍ୟପଟେ ନିମାପଡ଼ାରେ କିଭଳି ଡବଲ ଇଞ୍ଜିନ ସରକାର ହେବ ଓ ପ୍ରଭାତୀ ପରିଡାଙ୍କ ବିଜୟ ସୁନିଶ୍ଚିତ ହେବ ସେ ନେଇ କାମ କରିବେ ବୋଲି ସମୀର କହିଛନ୍ତି ।
ନିମାପଡା ବାରବାଟୀ ପଡ଼ିଆରେ ଆସନ୍ତା ୨୫ ତାରିଖ ଅପରାହ୍ନରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଅମିତ ଶାହ । ପ୍ରାୟ ୩୦ହଜାର କର୍ମକର୍ତ୍ତାଙ୍କୁ ଅମିତ ଶାହ ଏହି ସମାବେଶରେ ଗୁରୁମନ୍ତ୍ର ଦେବେ । ଯାହାକୁ ନେଇ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, ବିଜେପିର ବିଜୟ ଏବଂ ବିଜେପିର ଇସ୍ତାହାର ବିଷୟରେ ସମ୍ବୋଧନ କରିବେ ଶାହ । ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ଛାଡ଼ିବା ପ୍ରସଙ୍ଗରେ ବିଜେଡିର ବରିଷ୍ଠ ନେତା ପୁଷ୍ପନେନ୍ଦ୍ର ସିଂଦେଓଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଥିଲେ ସମୀର । ସମୀର ରଞ୍ଜନ ଦାଶ ପ୍ରତିକ୍ରିୟାରେ କହିଛନ୍ତି, "ମୋର ରାଜନୈତିକ ଭବିଷ୍ୟତ ସେ ଚିନ୍ତା କରିବାର ଉଚିତ ନୁହେଁ, ମୋର ଭବିଷ୍ୟତ ଅନ୍ଧାର କି ଆଲୁଅ ହେବ ସେ କଥା ଆସନ୍ତା ଦିନରେ ସମୟ କହିବ । କିଏ କାହାର ଆତ୍ମ ସନ୍ତୋଷ ପାଇଁ କଣ କହିଲା ସେଥିରେ ମୋର କିଛି କହିବାର ନାହିଁ ।" ଏ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ନୁହେଁ ବୋଲି ସମୀର କହିଛନ୍ତି ।