ଭୁବନେଶ୍ବର:ଅଭେଦ୍ୟ ବିଜେଡି ଦୁର୍ଗ ଭାଙ୍ଗିଛି ବିଜେପି । ଅପରାଜେୟ ନବୀନଙ୍କୁ ଚଖାଇଛି ପରାଜୟର ସ୍ବାଦ । ଦୀର୍ଘ 40 ବର୍ଷର ସଂଘର୍ଷପୂର୍ଣ୍ଣ ଯାତ୍ରା ପରେ 2024ରେ ଚାଖିଛି ବିଜୟର ସ୍ବାଦ । ଦିନେ ବିଧାନସଭାକୁ ଜଣେ ବିଧାୟକଙ୍କୁ ପଠାଇଥିବା ଦଳ ଆଜି ଏକାକୀ ସରକାର ଗଠନ ପାଇଁ ଯାଉଛି । 24 ବର୍ଷର ସଫଳ ଏବଂ ଲୋକପ୍ରିୟ ସରକାରଙ୍କୁ ଶାସନ ଗାଦିରୁ ହଟାଇ ଆଜି ସାରା ଦେଶରେ ଚର୍ଚ୍ଚିତ ।
ଏ ଯାତ୍ରା ହେଉଛି ରାଜ୍ୟ ବିଜେପିର । 15 ବର୍ଷ ପୂର୍ବେ ମେଣ୍ଟରୁ ଅଲଗା ହେବା ପରଠୁ ଆଉ ଶାସନକୁ ଫେରି ନଥିଲା ବିଜେପି । ତେବେ 15 ବର୍ଷର ନିରବିଚ୍ଛିନ୍ନ ଏବଂ ଅହରହ ଉଦ୍ୟମ ପରେ ଶକ୍ତିଶାଳୀ ବିଜେଡିକୁ ପରାସ୍ତ କରି ଏକାକୀ ଶାସନ ଗାଦି ମାଡି ବସିଲା ବିଜେପି । ସମଗ୍ର ଦେଶରେ ବିଜେପିର ସ୍ଥିତି ବେଶ ସୁଦୃଢ ଥିବା ବେଳେ ରାଜ୍ୟରେ ବିଜେପି ଏତେଟା ସଫଳତା ପାଇ ନଥିଲା । ଯଦିଓ କିଛି ନିର୍ବାଚନକୁ ବିଚାରକୁ ନେଲେ ଦଳ ଲୋକସଭାରେ କିଛି ଅଂଶରେ ସଫଳତା ପାଇଥିଲା ହେଲେ 2008ରେ ବିଜେଡିଠୁ ଅଲଗା ହେବା ପରେ ଆଉ ଶାସନକୁ ଫେରି ନଥିଲା କି ବିଧାନସଭାରେ ସେତେଟା ଆଖିଦୃଶିଆ ସଫଳତା ପାଇ ନଥିଲା । 1985ରେ ବିଜେପି ପ୍ରଥମ ଥର ପାଇଁ ଓଡିଶାରେ ସଫଳତା ପାଇଥିଲା । ସେହି ବର୍ଷ ପ୍ରସନ୍ନ ପଟ୍ଟନାୟକ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।
ଏହା ପରେ 1990-95 ମସିହାରେ 10ମ ବିଧାନସଭା ନିର୍ବାଚନରେ ବିଜେପର ଦୁଇ ଜଣ ବିଧାୟକ ବିଜୟୀ ହୋଇଥିଲେ । ସୁନ୍ଦରଗଡ ଜିଲ୍ଲା ବଣାଇ ବିଧାନସଭାରୁ ଜୁଏଲ ଓରାମ ନିର୍ବାଚିତ ହୋଇଥିବା ବେଳେ କଳାହାଣ୍ଡି ରାଜ ପରିବାରର ସ୍ବର୍ଗତ ବିକ୍ରମ କେଶରୀ ଦେଓ ଜୁନାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ । ଏହାପରେ 1995 ନିର୍ବାଚନରେ ବିଜେପି ରାଜ୍ୟରେ 9ଟି ବିଧାନସଭା ମଣ୍ଡଳୀରେ ବିଜୟୀ ହୋଇଥିଲା । ଏହାପରେ 1998ରେ ରାଜ୍ୟରେ ଚମକି ଥିଲା ବିଜେପିର ଭାଗ୍ୟ । ବିଜେଡି ସହିତ ମେଣ୍ଟ କରି 2000 ଏବଂ 2004ରେ ମେଣ୍ଟ ସରକାର ଗଠନ କରିଥିଲା । ଏହି ସମୟରେ ବିଜେପିର ଯଥାକ୍ରମେ 36 ଏବଂ 32 ଜଣ ବିଧାୟକ ବିଜୟୀ ହୋଇଥିଲେ । ଏହି ଦୁଇଟି ନିର୍ବାଚନରେ ବିଜେପି ଭାଗରେ ପଡିଥିଲା ପାଖାପାଖି 70 ବିଧାନସଭା ଆସନ ।