ଓଡିଶା

odisha

ETV Bharat / politics

ବିକାଶରୁ ଦୂରରେ ନିମାପଡ଼ା ନିର୍ବାଚନ ମଣ୍ଡଳୀ ! ନେତୃତ୍ବ ପରିବର୍ତ୍ତନ ନା ପୁନରାବୃତ୍ତି ଉଠିଲା ପ୍ରଶ୍ନ - 2024 Election

No Development In Nimapara: ସମସ୍ୟା ଘେରରେ ନିମାପଡ଼ା ନିର୍ବାଚନ ମଣ୍ଡଳୀ । ଚଳିତ ନିର୍ବାଚନରେ ପୁନରାବୃତ୍ତି ପରିବର୍ତ୍ତେ ପରିବର୍ତ୍ତନକୁ ଭୋଟର ଗୁରୁତ୍ବ ଦେଇପାରନ୍ତି ବୋଲି ଆଲୋଚନା ହେଉଛି ।

ନିମାପଡ଼ା ନିର୍ବାଚନ ମଣ୍ଡଳୀ
ନିମାପଡ଼ା ନିର୍ବାଚନ ମଣ୍ଡଳୀ

By ETV Bharat Odisha Team

Published : Feb 17, 2024, 6:43 PM IST

ନିମାପଡ଼ା ନିର୍ବାଚନ ମଣ୍ଡଳୀ

ନିମାପଡ଼ା:ସମସ୍ୟା ଘେରରେ ନିମାପଡ଼ା ନିର୍ବାଚନ ମଣ୍ଡଳୀ । ଏହାପୁରୀ ଜିଲ୍ଲାରେ ଏକ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ହୋଇଥିଲେ ବି ଅବହେଳିତ ଅବସ୍ଥାରେ ରହିଛି । ନିମାପଡ଼ା ନିର୍ବାଚନ ମଣ୍ଡଳୀ 46ଟି ପଞ୍ଚାୟତ ଓ ଗୋଟିଏ ଏନଏସିକୁ ନେଇ ଗଠିତ । ସେଥିମଧ୍ୟରେ ରହିଛି ନିମାପଡ଼ା ବ୍ଲକର 32 ପଞ୍ଚାୟତ, ଏନଏସି ଏବଂ ଗୋପ ବ୍ଲକର 14ଟି ପଞ୍ଚାୟତ । ନିମାପଡ଼ା ଏନଏସିର ଜନସଂଖ୍ୟା, ଭୌଗୋଳିକ ସ୍ଥିତି ଏବଂ ଅନ୍ୟାନ୍ୟ ଦୃଷ୍ଟିକୋଣରୁ ଏହାକୁ ସବଡ଼ିଭିଜନର ମାନ୍ୟତା ମିଳିବା କଥା ବୋଲି ମତ ପ୍ରକାଶ ପାଇଛି । ହେଲେ ଏହାକୁ ସବଡିଭିଜନର ମାନ୍ୟତା ମିଳିନାହିଁ ।

ଏଠାରେ ପୂର୍ବରୁ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ରବୀନ୍ଦ୍ର କୁମାର ସେଠୀ 3 ଥର ବିଧାୟକ ହେବା ସହ ସମବାୟ ମନ୍ତ୍ରୀ ହୋଇଥିଲେ । ସେହିଭଳି ଜନତା ଦଳରୁ ବେଣୁଧର ସେଠୀ ଗୋଟିଏ ଥର ବିଧାୟକ ହୋଇଥିଲେ । ବିଜେପି ଓ ବିଜେଡି ମେଣ୍ଟ ସରକାର ଥିବା ସମୟରେ ବାଇଧର ମଲ୍ଲିକ ଦୁଇ ଦୁଇଥର ବିଧାୟକ ମଧ୍ୟ ହୋଇଥିଲେ । ଆଉ 2009 ମସିହା ଠାରୁ ଆସନଟି ସାଧାରଣ ବର୍ଗ ହେବାପରେ ଦୀର୍ଘ 15 ବର୍ଷ ଧରି ଶାସକ ଦଳରୁ ବିଧାୟକଭାବେ ଲଗାତାର ୩ ଥର ବିଧାୟକ ହେବା ସହିତ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ମଧ୍ୟ ହୋଇଥିଲେ ସମୀର ରଞ୍ଜନ ଦାସ । ନିମାପଡ଼ା ଏନଏସିରେ ସମସ୍ତ ପ୍ରକାର ଭିତ୍ତିଭୂମି ଥିବା ସତ୍ତ୍ବେ ସ୍ଥାନୀୟ ନେତୃତ୍ୱଙ୍କ ଆନ୍ତରିକତା ନଥିବା ହେତୁ ସବଡିଭିଜନ ଘୋଷଣା ହୋଇପାରିନଥିବା ଅଭିଯୋଗ ହୋଇଛି ।

50 ବର୍ଷର ପୂର୍ତ୍ତି ପାଳିତ ହେଉଥିବା ନିମାପଡ଼ା ଏନଏସିର ସମସ୍ତ ୱାର୍ଡର ଅବସ୍ଥା ଖରାପ । ପାଟପୁର ଅଣ୍ଡିଆ ମୌଜାର ସମସ୍ୟା ଦୂର ହୋଇପାରିନଥିବାବେଳେ ଧନୁଆ ନଦୀରେ ବନ୍ୟା ଆସିଲେ ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ । ହେକ୍ଟର ହେକ୍ଟର ଚାଷ ଜମିରେ ପାଣି ପଶି ପନିପରିବା ଚାଷ ନଷ୍ଟ ହେଉଥିବାବେଳେ ଏହାର ସ୍ଥାୟୀ ପ୍ରତିକାର ହୋଇପାରି ନାହିଁ । ଶିଳ୍ପବିହୀନ ଓ ନିଯୁକ୍ତି ବିହୀନ ଏହି ସ୍ଥାନରେ ଆଖିଦୃଶିଆ ଉନ୍ନୟନମୂଳକ କାମ ମଧ୍ୟ ହୋଇନାହିଁ । ସେପଟେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାସ ବହୁଚର୍ଚ୍ଚିତ ଧର୍ମେନ୍ଦ୍ର ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ତଥା ବିଭିନ୍ନ କାରଣକୁ ନେଇ ବିବାଦରେ ଥିବାବେଳେ ମନ୍ତ୍ରୀ ପଦ ହରାଇଛନ୍ତି ।


ଏହା ମଧ୍ୟ ପଢନ୍ତୁ...ଦିଅର ବନାମ ଭାଉଜ ଲଢେଇ, କାହାର ହେବ ବଲାଙ୍ଗୀର ?

ସେହିପରି ନିମାପଡ଼ାରେ ନିର୍ମାଣ ହୋଇଥିବା ବ୍ୟୟ ବହୁଳ ବସଷ୍ଟାଣ୍ଡରେ ବସ୍ ଅଟକୁ ନାହିଁ । ଏହା ଅଚଳ ହୋଇ ପଡିରହିଥିବାରୁ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ପାଲଟିଛି । ଏହାସହ ମାର୍କେଟ୍ କମ୍ପ୍ଲେକ୍ସ ବି ଭୂତ କୋଠୀରେ ପରିଣତ ହୋଇଛି । ପରିବା ବ୍ୟବସାୟୀ ହନ୍ତସନ୍ତ ହେଉଥିବାବେଳେ ଶୀତଳ ଭଣ୍ଡାର ବ୍ୟବସାୟୀଙ୍କ କବଜାରେ ରହିଛି । ଡ୍ରେନେଜ ବ୍ୟବସ୍ଥା ନଥିବାରୁ ବର୍ଷା ଦିନେ ନାହିଁ ନଥିବା ସମସ୍ୟା ଭୋଗିବାକୁ ପଡୁଛି । ତେଣୁ ଚଳିତ ନିର୍ବାଚନରେ ପୁନରାବୃତ୍ତି ପରିବର୍ତ୍ତେ ପରିବର୍ତ୍ତନକୁ ଭୋଟର ଗୁରୁତ୍ବ ଦେଇପାରନ୍ତି ବୋଲି ଆଲୋଚନା ହେଉଛି। ସେପଟେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ କହିଛନ୍ତି, "1999 ମସିହା ବାତ୍ୟା ସମୟ ଏବଂ 2024ରେ ହୋଇଥିବା ବିକାଶରେ ଆକାଶ ପାତାଳ ଫରକ ରହିଛି।"

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details