ଭୁବନେଶ୍ବର: ଓଡ଼ିଶାରେ ଗଣତନ୍ତ୍ରର ହତ୍ୟା ଖୋଲାଖୋଲି ହେଉଛି । ରାଜ୍ୟରେ ଅମଲାତନ୍ତ୍ର ଚାଲିଛି, ଗଣତନ୍ତ୍ରର ଶାସନ ଚାଲିନାହିଁ । ଜନ ପ୍ରତିନିଧିମାନଙ୍କୁ କୋଣସି ପ୍ରାଧାନ୍ୟ ଦିଆଯାଉନାହିଁ । ଯାହା ହାତରେ ଶାସନ ଡୋରି ଅଛି ସେ ଜଣେ ଜନପ୍ରତିନିଧି । ସରକାରୀ କର୍ମଚାରୀମାନଙ୍କ ମାଧ୍ୟମରେ ରାଜ୍ୟ ସରକାର ରାଜ୍ୟ ଚଲେଇବା ପାଇଁ ଚେଷ୍ଟା କରୁଛନ୍ତି । ଆଜି (ଗୁରୁବାର) ସାମ୍ବାଦିକ ସମ୍ମିଳନୀ କରି ଏପରି କହିଛନ୍ତି ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ରାଜ୍ୟରେ ଗଣତନ୍ତ୍ର ସମ୍ବିଧାନ ବିରୋଧୀ କାମ ହେଉଛି । ରାଜ୍ୟରେ ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟ ସରପଞ୍ଚଙ୍କ ମାଧ୍ୟମରେ କରାନଯାଇ ଏଥିରେ ବିଡିଓ ହସ୍ତକ୍ଷେପ କରୁଥିବା ସେ ଅଭିଯୋଗ କରିଛନ୍ତି ।
ଏନେଇ ଲେଖାଶ୍ରୀ କହିଛନ୍ତି, "ଜନପ୍ରତିନିଧିଙ୍କ ଦାୟିତ୍ବ ଓ ଅଧିକାରକୁ ହଟେଇବା ପାଇଁ ରାଜ୍ୟ ସରକାର ଷଡ଼ଯନ୍ତ୍ର କରୁଛନ୍ତି । ଭାରତ ସମ୍ବିଧାନର ୭୩ ତମ ସଂଶୋଧନରେ ପଞ୍ଚାୟତିରାଜ ଓ ତୃଣମୂଳ ସ୍ତରରେ ନିର୍ବାଚିତ ଜନ ପ୍ରତିନିଧିମାନଙ୍କୁ ମାଧ୍ୟମରେ ବିକାଶ କାମ କରିବେ । ଏସବୁ ହେଉଛି ଗଣତନ୍ତ୍ର ସମ୍ବିଧାନ ବିରୋଧୀ କାମ । ତା' ସହିତ ବିକାଶ ବିରୋଧୀ ମଧ୍ୟ। ସବୁ ଅର୍ଥକୁ ହଡ଼ପ କରି ତାଙ୍କ ଦଳକୁ ଚଲାଉଛନ୍ତି । ପଞ୍ଚାୟତରେ ସରପଞ୍ଚମାନଙ୍କୁ ଅଧିକାରରୁ ବାହାର କରି ମୁଷ୍ଟିମେୟ ଲୋକର ସରକାରଙ୍କୁ ଆମେ ଘୋର ନିନ୍ଦା କରୁଛୁ । ତା' ସହିତ ପଲ୍ଲୀ ସଭା ଓ ଗ୍ରାମ ସଭାକୁ ଆସୁଥିବା ସବୁ କାମକୁ ସରପଞ୍ଚଙ୍କ ମାଧ୍ୟମରେ କରନ୍ତୁ । ପଲ୍ଲୀ ସଭା, ଗ୍ରାମ ସଭା ତୁରନ୍ତ କରନ୍ତୁ ସରକାର । ସରପଞ୍ଚମାନଙ୍କ ହାତରେ କିଛି ପାୱାର ନାହିଁ କାହିଁକି ?"
ଏହା ବି ପଢନ୍ତୁ- ଓଡିଶା ସରକାର ଦୁର୍ନୀତିକୁ ନୀତି କରିଛନ୍ତି, କରପସନ୍ ସରକାରଙ୍କ ନୀତି: ବିଜେପି