ବଲାଙ୍ଗୀର: ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥିତ୍ବକୁ ନେଇ ଚଳିତ ନିର୍ବାଚନରେ ସାରା ରାଜ୍ୟରେ ଚର୍ଚ୍ଚାର ପରିସରକୁ ଆସିଥିଲା ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ବିଧାନସଭା ଆସନ । ଆଉ ଏଠାର ଫଳାଫଳ ଏବେ ଏହି ବିଧାନସଭା କ୍ଷେତ୍ରକୁ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରକୁ ଆଣିଛି । କଣ୍ଟାବାଞ୍ଜିରେ ଜଣେ ଚାଷୀପୁଅ ମୁଖ୍ୟମନ୍ତ୍ରୀଙ୍କୁ ହରାଇ ଏବେ ସେ ମଧ୍ୟ ସାରା ଦେଶରେ ଚର୍ଚ୍ଚାରେ ରହିଛନ୍ତି । ସେ ହେଉଛନ୍ତି କଣ୍ଟାବାଞ୍ଜିର ନିର୍ବାଚିତ ବିଜେପି ବିଧାୟକ ଲକ୍ଷ୍ମଣ ବାଗ । ଇଟିଭି ଭାରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସେ କହିଛନ୍ତି ଲୋକଙ୍କ ବିଶ୍ବାସ ହିଁ ତାଙ୍କର ବିଜୟର ଆଧାର ଥିଲା । ଏହି ବିଶ୍ବାସକୁ ସେ ବ୍ୟର୍ଥ ହେବାକୁ ଦେବେ ନାହିଁ ବୋଲି କହିଛନ୍ତି ।
ବଲାଙ୍ଗୀରର ଚର୍ଚ୍ଚିତ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ହରାଇ ଏବେ ସାରା ଦେଶରେ ଚର୍ଚ୍ଚାରେ ରହିଛନ୍ତି । ସେ ନବୀନ ପଟ୍ଟନାୟକଙ୍କୁ ୧୬ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାଜିତ କରି ଏବେ ସାରା ଦେଶରେ ଚର୍ଚ୍ଚାକୁ ଆସିଛନ୍ତି । ଯେଉଁ ନବୀନ ପଟ୍ଟନାୟକ ୨୭ ବର୍ଷ ଧରି ରାଜ୍ୟ ରାଜନୀତିରେ ଅପରାଜୟ ଥିଲେ, ତାଙ୍କୁ ଏଠି ସେ ପରାଜିତ କରିଛନ୍ତି । ତେବେ ଏହା କିପରି ସମ୍ଭବ ହେଲା, ତାହା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ମୁଁ ସବୁଠୁ ପଛୁଆ ଅଞ୍ଚଳର ଲୋକ । ପରିବାରର ଆର୍ଥିକ ସ୍ଥିତି ସ୍ଵଚ୍ଛଳ ନଥିଲା । ଏପରିକି ମୁଁ ଅନ୍ୟ ଲୋକଙ୍କ କ୍ଷେତରେ ମଜୁରୀ ଖଟି ଦିନକୁ ୩ ଟଙ୍କା ରୋଜଗାର କରି ପରିବାର ପୋଷଣ କରୁଥିଲି । ଆମର ମଧ୍ୟ କିଛି ଜମି ଥିଲା । କଷ୍ଟରେ ଗୁଜୁରାଣ ମେଣ୍ଟୁଥିଲା । ସେହିପରି ଆମ ଗାଁରେ ଏକ ପ୍ରକଳ୍ପ ସେ ସମୟରେ ହୋଇଥିଲା । କିଛି ଜମି ଆମର ସେଥିରେ ଯାଇଥିଲା । ବାପା ସେହି ଟଙ୍କାରୁ ଏକ ଟ୍ରଲର କିଣି ମୋତେ ଦେଇଥିଲେ । ଯେଉଁଥିରେ ମୁଁ କିଛି ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଥିଲି ।"
ଏହା ମଧ୍ୟ ପଢ଼ନ୍ତୁ...କିଏ ଲକ୍ଷ୍ମଣ ବାଗ, ଅପରାଜେୟ ନବୀନଙ୍କ ରାସ୍ତାରେ ସାଜିଲେ କଣ୍ଟା - Who Is Laxman Bag