ପୁରୀ: କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହା ପୂର୍ବରୁ ପ୍ରଥମେ ମନ୍ତ୍ରୀ ତୁଷାରକାନ୍ତି ନିଜ ଗ୍ରାମ ବାଲିଡିହର ଗ୍ରାମ୍ୟ ଦେବତୀଙ୍କ ଆଶିଷ ନେଇ କାକଟପୁର ମା' ମଙ୍ଗଳାଙ୍କ ପୀଠକୁ ଯାଇ ମା' ମଙ୍ଗଳାଙ୍କ ଦର୍ଶନ କରି ଆଶିଷ ନେଇଥିଲେ । ପରେ ନିଜ ସମର୍ଥକଙ୍କ ସହ ଏକ ବଡ ଶୋଭାଯାତ୍ରାରେ ପୁରୀରେ ପହଞ୍ଚି କାକଟପୁରର ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।
ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ତୁଷାରକାନ୍ତି ବେହେରା କହିଛନ୍ତି, " ମୁଖ୍ୟମନ୍ତ୍ରୀ ମୋତେ ଦ୍ୱିତୀୟ ଥର ପାଇଁ କାକଟପୁରବାସୀଙ୍କ ସେବା ପାଇଁ ପ୍ରାର୍ଥୀ କରିିବାରୁ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟାପକ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସାରା ଓଡ଼ିଶ ରେ ଚାଲିଥିବା ବେଳେ 5ଟି ମାଧ୍ୟମରେ କାକଟପୁର ନିର୍ବାଚନ ମଣ୍ଡଳୀରେ ମଧ୍ୟ ବ୍ୟାପକ ବିକାଶମୂଳକ କାର୍ଯ୍ୟ ହୋଇଛି । ତେଣୁ ଆଗାମୀ ନିର୍ବାଚନରେ ନିଶ୍ଚିତ କାକଟପୁର ନିର୍ବାଚନ ମଣ୍ଡଳୀ ଭୋଟର ଆଶୀର୍ବାଦ ଦେଇ ମୋତେ ବିପୁଳ ଭୋଟରେ ବିଜୟୀ କରାଇବେ ।"
ତୁଷାରକାନ୍ତି ଆହୁରି କହିଛନ୍ତି, "2019ରେ କାକଟପୁର ନିର୍ବାଚନ ମଣ୍ଡଳୀରେ ଧାନ, ପାନ, ମିନ ପ୍ରମୁଖ ସମସ୍ୟା ଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମସ୍ୟା ଅନେକ ସମାଧାନ କରିଛନ୍ତି । ଧାନ ଚାଷୀଙ୍କ ସୁବିଧା ପାଇଁ ଜଳସେଚନ ବ୍ୟବସ୍ଥା, ଲୁଣା ବନ୍ଧ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାର୍ଯ୍ୟକାରୀ ହୋଇଛି । ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକାରେ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ସହାୟତା ଦେଇଛନ୍ତି । ପାନ ଚାଷୀଙ୍କ ଉନ୍ନତି ପାଇଁ ସ୍ଵତନ୍ତ୍ର ପ୍ୟାକେଜ ଦେଇଛନ୍ତି । ପାନୀୟ ଜଳ ଯୋଗାଣ ପାଇଁ 240 କୋଟି ଟଙ୍କାର ସ୍ଵତନ୍ତ୍ର ଅନୁଦାନ ଦେଇଛନ୍ତି । ଲୋକଙ୍କ ଗମନାଗମନ ସୁବିଧା ପାଇଁ ଲକ୍ଷ୍ମୀ ବସ ବ୍ୟବସ୍ଥା ହୋଇଛି । ଏହି ଭଳି ଅନେକ ଯୋଜନା ଲୋକଙ୍କ ଉନ୍ନତି ପାଇଁ ହୋଇଛି । ଆଗାମୀ ଦିନରେ ବିଜେଡିର ଥିବା ଇସ୍ତାହାର କିଭଳି ଲୋକଙ୍କ ନିକଟରେ ପହଞ୍ଚିବ ତାହା ମୋର ମୁଖ୍ୟ ଲକ୍ଷ୍ୟ । ତେଣୁ କାକଟପୁରବାସୀ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆଶୀର୍ବାଦ ଦେଇ ବିଜେଡିକୁ ଜିତାଇବେ ।"