ନୂଆଦିଲ୍ଲୀ/ପାଟନା:ଦୀର୍ଘମାସ ହେବ ଯାହା ଚର୍ଚ୍ଚା ହେଉଥିଲା ତାହା ହୁଏତ ବିହାରରେ ଖୁବଶିଘ୍ର ଘଟିବାକୁ ଯାଉଛି । କାରଣ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତିଶ କୁମାର ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ଛାଡି ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟରେ ସାମିଲ ହୋଇପାରନ୍ତି । ବିହାରରେ ଏବେ ରାଜନୀତି ପାରା ପୁଣି ଥରେ ଉପର ମୁହାଁ ହୋଇଛି । ଏପରି ଚର୍ଚ୍ଚା ମଧ୍ୟରେ ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା ବିହାର ପ୍ରଦେଶ ବିଜେପି ନେତାଙ୍କୁ ଦିଲ୍ଲୀ ଡାକିଛନ୍ତି । ବିଜେପି ରାଜ୍ୟ ସଭାପତି ସମ୍ରାଟ ଚୌଧୁୁରୀ ଓ ଅନ୍ୟ କିଛି ନେତା ହଠାତ ସଂଧ୍ୟାରେ ଦିଲ୍ଲୀ ଗସ୍ତ କରିଛନ୍ତି । ଜେଡିୟୁର ବରିଷ୍ଠ ନେତା କେ.ସି ତ୍ୟାଗି ମଧ୍ୟ ଦିଲ୍ଲୀ ଗସ୍ତ କରିଛନ୍ତି । ବିହାରରେ ଖୁବଶିଘ୍ର କଂଗ୍ରେସ, ଯେଡିୟୁ ଓ ଆରଜେଡି ଦ୍ବାରା ମହାମେଣ୍ଟ ସରକାରର ପତନ ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି ।
ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ କିଛି ମାସ ହେବ ‘ଇଣ୍ଡିଆ’ ମେଣ୍ଟରେ ନୀତିଶ କୁମାର ଅସନ୍ତୁଷ୍ଟ ଥିବା ନେଇ ଚର୍ଚ୍ଚା ମଧ୍ୟରେ ଏବେ ସେ ‘ଇଣ୍ଡିଆ’ ମେଣ୍ଟର ହାତ ଛାଡିପାରନ୍ତି । ସେ ଗତ କିଛି ମାସ ହେବ ବିଜେପିର ନିକଟତର ହେଉଥିବା ଚର୍ଚ୍ଚା ହେଉଥିଲା । ଏପରିକି ସେ ‘ଇଣ୍ଡିଆ’ ମେଣ୍ଟର ସଂଯୋଜକ ପଦ ମଧ୍ୟ ଗ୍ରହଣ କରିବାକୁ ମନା କରିଦେଇଥିଲେ । ଅନ୍ୟପଟେ ବିହାରରେ ମହାମେଣ୍ଟ ସମର୍ଥନରେ ସରକାର ଗଠନ ହେବା ପରେ ଉପମୁଖ୍ୟମନ୍ତ୍ରୀ ହୋଇଥିବା ତେଜସ୍ବୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଲାଲୁଙ୍କ କ୍ୟାମ୍ପରୁ ନୀତିଶଙ୍କ ଉପରେ କ୍ରମାଗତ ଚାପ ପଡୁଥିବା ମଧ୍ୟ ଚର୍ଚ୍ଚା ହେଉଥିଲା । ହେଲେ ନୀତିଶଙ୍କୁ ଏହା ମଞ୍ଜୁର ନଥିବା ମଧ୍ୟ କୁହାଯାଉଥିଲା ।
ତେବେ ନିକଟରେ ଏକାଧିକ ଥର ନୀତିଶ କେନ୍ଦ୍ରର ବିଜେପି ସରକାରକୁ ପ୍ରଶଂସା କରି ବିଜେପିରେ ସାମିଲ ଚର୍ଚ୍ଚାକୁ ଆହୁରି ଘନୀଭୂତ କରିଥିଲେ । ଦୁଇଦିନ ତଳେ କର୍ପୂରୀ ଠାକୁରଙ୍କୁ ଭରତରତ୍ନ ମିଳିବା ନେଇ ସେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଖୋଲା ସ୍ବାଗତ କରିଥିଲେ । ଏହା ତାଙ୍କ ଦଳର ଦୀର୍ଘବର୍ଷର ଦାବି ଥିଲା ବୋଲି ନୀତିଶ କହିଥିଲେ । ସେ ଏହି ଆଳରେ ଲାଲୁଙ୍କ ପରିବାରକୁ ତେରଛା ବାଣ ମାରିଥିବା ମଧ୍ୟ ଚର୍ଚ୍ଚା ହେଉଥିଲା । ମରଣୋତ୍ତର ଭାରତରତ୍ନ ପାଇଁ ଘୋଷିତ ହୋଇଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ରାଜନୀତିରେ ପରିବାରବାଦକୁ ପ୍ରୋତ୍ସାହିତ କରିନଥିଲେ ବୋଲି ନୀତିଶ କହିଥିଲେ । ଯାହା ଲାଲୁ ପରିବାର ଉଦ୍ଦେଶ୍ୟରେ ଥିବା ପରି ଚର୍ଚ୍ଚା ହେଉଥିଲା । ଲାଲୁଙ୍କ ପରିବାରରୁ ଏହାର ପ୍ରକିକ୍ରିୟା ମଧ୍ୟ ଆସିଥିଲା ।
ତେବେ ଏହାରି ମଧ୍ୟରେ ନୀତିଶଙ୍କୁ ନେଇ ଏପରି ଚର୍ଚ୍ଚା ମଧ୍ୟରେ ଆରଜେଡି କ୍ୟାମ୍ପରେ ଛନକା ପଶିଛି । ବିହାରରେ ଚର୍ଚ୍ଚା ହେଉଥିବା ପରି କିଛି ହେବାର ନାହିଁ ବୋଲି ଆରଜେଡି ନେତାଏଁ କହୁଛନ୍ତି । ଜେଡିୟୁ ବରିଷ୍ଠ ନେତା କେ.ସି ତ୍ୟାଗି ମଧ୍ୟ ଏହି ଚର୍ଚ୍ଚାକୁ ଖଣ୍ଡନ କରିବା ସହ ସେପରି କିଛି ହେବାର ନାହିଁ ବୋଲି କହିଛନ୍ତି । ଜେଡିୟୁ ଏବେ ମଧ୍ୟ ‘ଇଣ୍ଡିଆ’ ମେଣ୍ଟର ସହଯୋଗୀ ରହିଛି ବୋଲି ତ୍ୟାଗୀ କହିଛନ୍ତି । ଏସବୁ ମଧ୍ୟରେ ନୀତିଶଙ୍କ ପୂର୍ବ ମେଣ୍ଟ ବଦଳ ଇତିହାସ ଦେଖିଲେ, ଚର୍ଚ୍ଚାରେ ଯେ ବାସ୍ତବତାରେ ପରିଣତ ହେବ ନାହିଁ ବୋଲି କହିବା ମଧ୍ୟ ସମ୍ଭବ ନୁହେଁ ।