ଜଗତସିଂହପୁର:ନିର୍ବାଚନ ମଣ୍ଡଳୀରେ ବିଜେଡି ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ଯାହାକୁ ପ୍ରଶମିତ କରିବା ପାଇଁ ବିଧାୟକ ପ୍ରଶାନ୍ତ ମୁଦୁଲି ପ୍ରୟାସ ଆରମ୍ଭ କରିଥିଲେ ମଧ୍ୟ ବିଫଳ ହୋଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ବିଧାୟକ ପ୍ରଶାନ୍ତ ସେମାନଙ୍କ ଅଞ୍ଚଳ ଗସ୍ତ କରୁନଥିବା ଓ ସମସ୍ୟା ସମ୍ପର୍କରେ ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ବିଜେଡିର କିଛି ତୃଣମୂଳ କର୍ମୀ ।
2019 ସାଧାରଣ ନିର୍ବାଚନରେ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରୁ ପ୍ରଶାନ୍ତ ମୁଦୁଲିଙ୍କୁ ଦଳ ପ୍ରାର୍ଥୀ କରିଥିଲା । ସେଥର କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବ ବିଶ୍ୱାଳଙ୍କୁ 8 ହଜାରରୁ ଅଧିକ ଭୋଟରେ ପ୍ରଶାନ୍ତ ମୁଦୁଲି ପରାସ୍ତ କରିଥିଲେ । ଦୀର୍ଘ 5ବର୍ଷ ମଧ୍ୟରେ ଜଗତସିଂହପୁର ବ୍ଲକର 30ଟି ପଞ୍ଚାୟତ ଓ ନାଉଗାଁ ବ୍ଲକର 16ଟି ପଞ୍ଚାୟତରେ ତୃଣମୂଳସ୍ତରରୁ ଦଳକୁ ସୁଦୃଢ କରିବା ପାଇଁ ଯେଉଁ ପ୍ରୟାସ ହେବାକଥା ତାହା ହୋଇ ପାରିଲା ନାହିଁ । ଫଳରେ ଗତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଓ ବିଜେପିର ଭୋଟହାର ବଢିଥିଲା । ଏପରିକି ପୌର ନିର୍ବାଚନରେ ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷ ପଦଟି କଂଗ୍ରେସ ହାତକୁ ଯାଇଥିଲା । ରାଜ୍ୟରେ ବିଜେଡି ସରକାର ଥିବା ବେଳେ ଜଗତସିଂହପୁରରେ ଚାରୋଟି ଯାକ ବିଧାନସଭା ଆସନ ବିଜେଡି ଅକ୍ତିଆରରେ ରହିଥିଲେ ମଧ୍ୟ ଜଗତସିଂହପୁର ପୌରଧକ୍ଷ ପଦ କଂଗ୍ରେସ ହାତେଇବା ସହ ଉପାଧ୍ୟକ୍ଷ ପଦ ବିଜେପି ହାତକୁ ଯାଇଥିଲା ।
ଏହା ମଧ୍ୟ ପଢନ୍ତୁ :- କଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା: କଟକ-ବାରବାଟୀରୁ ଲଢିବେ ସୋଫିଆ ଫିରଦୋସ, ବଦଳିଲେ ସମ୍ବଲପୁର ସାଂସଦ ପ୍ରାର୍ଥୀ - Congress Candidate List