ଭୁବନେଶ୍ବର:ଆଜି ଦିଲ୍ଲୀରୁ ଫେରିଲେ ଭର୍ତ୍ତୃହରି ମହତାବ । ଗତକାଲି ବିଜେପି ୩ ସାଂସଦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା । ଯେଉଁଥିରେ ଭର୍ତ୍ତୃହରିଙ୍କ ନାଁ ସାମିଲ ରହିଛି । ତାଙ୍କୁ ଏୟାରପୋର୍ଟରେ ସ୍ଵାଗତ ସମ୍ବର୍ଦ୍ଧନା ପାଇଁ ହଜାର ହଜାର ଲୋକ ଏକାଠି ହୋଇଥିବା ଦେଖିବାକୁ ମିଳିଥିଲା । ଏହାପରେ ବାଇକ ରାଲି ସହିତ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଭର୍ତ୍ତୃହରି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଭର୍ତ୍ତୃହରି କହିଛନ୍ତି, "ଦଳ ମୋ ପାଇଁ ନୂଆ ନୁହେଁ କି ଚିହ୍ନ ମୋ ପାଇଁ ନୂଆ ନୁହେଁ । ସେହି ଦୃଷ୍ଟିରୁ ଆଗକୁ ବହୁତ ଚ୍ୟାଲେଞ୍ଜ ମଧ୍ୟ ଅଛି । ତଥାପି ଦଳ ଏବଂ ଦଳୀୟ ନେତୃବୃନ୍ଦ ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଆସ୍ଥା ଏବଂ ବିଶ୍ୱାସକୁ ମୁଁ ପୂରଣ କରିପାରିବି । ବିଜେପି କର୍ମୀଙ୍କ ଜରିଆରେ ଏହା ପୁରା କରିପାରିବି ବୋଲି ବିଶ୍ୱାସ ଅଛି ।"
ସେ ଆହୁରି କହିଛନ୍ତି, "ବିଜେପି ମୋତେ ସାଂସଦ ପ୍ରାର୍ଥୀ କରିଥିବାରୁ ରାଜ୍ୟ ସଭାପତି ଏବଂ କେନ୍ଦ୍ର ନେତୃତ୍ଵଙ୍କୁ ଧନ୍ୟବାଦ। ଦଳ ମୋ ପାଇଁ ନୂଆ ନୁହେଁ କି ଚିହ୍ନ ମୋ ପାଇ ନୂଆ ନୁହେଁ । କାମ କରିବାକୁ ମୋତେ ବଡ଼ ସୁଯୋଗ ମିଳିଛି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିବି ସେଥିରେ ଆମେ କୃତକାର୍ଯ୍ୟ ହେବା । ୧୯୯୮ରୁ ୨୦୦୯ ପର୍ଯ୍ୟନ୍ତ ଆମେ ମିଳିତ ଭାବରେ ଉଭୟ ପତକା ଧରିଯାଉଥିଲୁ । ମୁଁ ମିଳିତ ସାମୁଖ୍ୟର ପ୍ରାର୍ଥୀ ମଧ୍ୟ ଥିଲି ବିଜୟୀ ମଧ୍ୟ ହୋଇଥିଲି । ତିନି ଥର ଜିତିଛି । ୧୯୯୮, ୧୯୯୯ ଏବଂ ୨୦୦୪ରେ ଜିତିଥିଲି । ତେଣୁ ଦଳ ମୋ ପାଇଁ ନୂଆ ନୁହେଁ କି ଚିହ୍ନ ମୋ ପାଇଁ ନୂଆ ନୁହେଁ । ଏତିକି ହେଇଛି ଗୋଟିଏ ଦଳକୁ ପରିତ୍ୟାଗ କରିଛି । କାରଣ ସେ ଦଳ ଆଉ ଦଳ ହୋଇ ନାହିଁ ।"