ବେଙ୍ଗାଲୁରୁ: କର୍ଣ୍ଣାଟକ କଂଗ୍ରେସ ପାଇଁ ବଡ଼ ଝଟକା । ବିଜେପିକୁ ଫେରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର । 2023 ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସରେ ମିଶିଥିବା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସେଟ୍ଟାର ପୁଣି ବିଜେପିରେ ସାମିଲ ହୋଇଛନ୍ତି । ଆଜି (ଗୁରୁବାର) ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଏବଂ କର୍ଣ୍ଣାଟକ ରାଜ୍ୟ ବିଜେପି ସଭାପତି ବିୱାଇ ବିଜେୟେନ୍ଦ୍ରଙ୍କ ଉପସ୍ଥିତିରେ ସେ ଦଳରେ ପୁଣିଥରେ ଯୋଗ ଦେଇଛନ୍ତି । ଗତବର୍ଷ ଏପ୍ରିଲରେ ଅନୁଷ୍ଠିତ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଟିକେଟ୍ କଟିବାରୁ ଅସନ୍ତୁଷ୍ଟ ହୋଇ ବିଜେପି ଛାଡି ହାତ ଧରିଥିଲେ ସେଟ୍ଟାର ।
ଜଗଦୀଶ ସେଟ୍ଟାର ଜଣେ ବରିଷ୍ଠ ଲିଙ୍ଗାୟତ ନେତା ଅଟନ୍ତି । କର୍ଣ୍ଣାଟକ ନିର୍ବାଚନରେ ଲିଙ୍ଗାୟତ ଭୋଟର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରନ୍ତି । ସେଟ୍ଟାର କର୍ଣ୍ଣାଟକର ୧୫ତମ ମୁଖ୍ୟମନ୍ତ୍ରୀ ଥିଲେ । ୨୦୧୨ ଜୁଲାଇରୁ ୨୦୧୩ ମେ' ପର୍ଯ୍ୟନ୍ତ ସେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ପୂର୍ବତନ କର୍ଣ୍ଣାଟକ ରାଜ୍ୟ ସଭାପତି ଏବଂ ୬ ଥରର ବିଧାୟକ ଥିବା ସେଟ୍ଟାର କିନ୍ତୁ ୨୦୨୩ ବିଧାନସଭା ନିର୍ବାଚନ ଠିକ୍ ପୂର୍ବରୁ ସମସ୍ତଙ୍କୁ ଚମକାଇ କଂଗ୍ରେସରେ ସାମିଲ ହୋଇଥିଲେ ।
ଦଳ ତାଙ୍କୁ ଟିକେଟ ନ ଦେବାରୁ ଏଥିରେ ଅସନ୍ତୁଷ୍ଟ ଇସ୍ତଫା ଦେଇଥିଲେ ସେଟ୍ଟାର । ଏହାପରେ କଂଗ୍ରେସ ପ୍ରାର୍ଥୀ ଭାବେ ହୁବଲି ଧାରୱାଦ ଆସନରୁ ପ୍ରାର୍ଥୀ ହୋଇଥିଲେ । ହେଲେ ନିର୍ବାଚନରେ ବିଜେପି ପ୍ରାର୍ଥୀ ମହେଶ ଟେଙ୍ଗିନାକାଇଙ୍କ ଠାରୁ ତାଙ୍କୁ ପରାଜୟ ବରଣ କରିବାକୁ ପଡ଼ିଥିଲା । ଏବେ ସେଟ୍ଟାର ବିଜେପିକୁ ବାହୁଡ଼ିବା ପରେ କର୍ଣ୍ଣାଟକରେ ବିଜେପି ସଂଗଠନ ଅଧିକ ସୁଦୃଢ଼ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି ।