ଭୁବନେଶ୍ବର: ବିଜେଡିରେ ସାମିଲ ହୋଇଛନ୍ତି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ବିଜେପି ଉପସଭାପତି ଅମୀୟ ଦାସ । ଅମୀୟଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କାର୍ଯ୍ୟକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଗତକାଲି (ବୁଧବାର) ବିଜେଡିରେ ଯୋଗ ଦେଇଛନ୍ତି । ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ଭୁବନେଶ୍ୱର-ଏକାମ୍ର ବିଧାୟକ ଅଶୋକ ପଣ୍ଡା, ଭୁବନେଶ୍ୱର-ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ଉପସ୍ଥିତିରେ ଅମୀୟ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି । ସାମିଲ ହୋଇଥିବା ସମସ୍ତ ନେତା ଓ କର୍ମକର୍ତ୍ତାଙ୍କୁ ବିଜେଡି ନେତାମାନେ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଛନ୍ତି । ବିଜେପି ଓ କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ଭୁବନେଶ୍ୱର ଏକାମ୍ରରେ ଦଳୀୟ ସଂଗଠନ ଆହୁରି ସୁଦୃଢ ହେବ ବୋଲି ବିଜେଡ଼ି ପକ୍ଷରୁ କୁହାଯାଇଛି ।
ବିଜେପି ପକ୍ଷରୁ ବାବୁ ସିଂଙ୍କୁ ଲଗାତାର ଭାବେ ଦ୍ଵିତୀୟ ଥର ଲାଗି ନିର୍ବାଚନ ଲଢ଼ିବା ପାଇଁ ଟିକେଟ ମିଳୁଛି । ୨୦୧୯ ପରି ୨୦୨୪ରେ ମଧ୍ୟ ଅମୀୟଙ୍କ ଟିକେଟ କାଟିଛି ବିଜେପି । ଏ ନେଇ ଅସନ୍ତୁଷ୍ଟ ଥିଲେ ଅମୀୟ । ନିକଟରେ ସେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ତେଣୁ ସେ ବିଜେଡିରେ ସାମିଲ କରିବାକୁ ଯାଉଥିବା ଚର୍ଚ୍ଚା ହେଉଥିଲା, ଯାହା ମିଶ୍ରଣ ପରେ ଏହା ଏବେ ସ୍ପଷ୍ଟ ହୋଇଛି । ବିଜେଡ଼ିରେ ସାମିଲ ହେବା ପରେ ଅମୀୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟରେ ମୁଁ ଅନୁପ୍ରାଣିତ ହୋଇ ନିଷ୍ପତ୍ତି ଗ୍ରହଣ କରିଛି ।
ସେ ଆହୁରି ମଧ୍ୟ କହିଛନ୍ତି,‘‘ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ । ନୂତନ ଓ ବିକଶିତ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ କାମ କରୁଛନ୍ତି । ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ । ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ, ସାଂଗଠନିକ ସମ୍ପାଦକଙ୍କୁ କୃତଜ୍ଞତା ଜଣାଉଛୁ ।’’