ଭୁବନେଶ୍ବର: ଆଉ ଜଣେ ପୂର୍ବତନ ପ୍ରଶାସକ ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି । ସେ ହେଉଛନ୍ତି ପୂର୍ବତନ ପ୍ରଶାସକ ତଥା ପୂର୍ବତନ ପଶ୍ଚିମ ଓଡିଶା ବିକାଶ ପରିଷଦର ସିଇଓ ଡ. ଅଜିତ ମିଶ୍ର । ଖୁବଶୀଘ୍ର ଡ. ଅଜିତ ମିଶ୍ର ବିଜେଡିରେ ସାମିଲ ହେବାକୁ ଯାଉଥିବା ଜଣାପଡିଛି । ଗତ ସପ୍ତାହରେ ପଶ୍ଚିମ ଓଡିଶା ବିକାଶ ପରିଷଦର ସିଇଓ ପଦରୁ ଡ. ଅଜିତ ମିଶ୍ର ଇସ୍ତଫା ଦେଇଛନ୍ତି । କାରଣ ଗତ କିଛିଦିନ ହେବ ଅଜିତଙ୍କୁ ଶଙ୍ଖ ଭବନରେ ଦେଖିବାକୁ ମିଳୁଛି । ବିଜେଡିରେ ସାମିଲ ହୋଇ କଳାହାଣ୍ଡି ଲୋକସଭା କିମ୍ବା ଏହା ଅନ୍ତର୍ଗତ ବିଧାନସଭା ଆସନରୁ ଡ. ଅଜିତ ମିଶ୍ର ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଲାଗି ରହିଛି ।
ପଶ୍ଚିମ ଓଡିଶା ବିକାଶ ପରିଷଦ ବା ଡବ୍ଲ୍ୟୁଓଡିସି ସିଇଓ ଡ. ଅଜିତ ମିଶ୍ର ଗତ ସପ୍ତାହରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଅଜିତ ନିଜ ପଦରୁ ଇସ୍ତଫା ଦେବା ନେଇ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହାପରେ ଓଡିଶା ତଥା କଳାହାଣ୍ଡି ରାଜନୀତି ସରଗରମ ହେବାରେ ଲାଗିଛି । ବିଜେଡିରେ ସାମିଲ ହୋଇ ସେ କଳାହାଣ୍ଡି ଲୋକସଭା କିମ୍ବା ନର୍ଲା ବିଧାନସଭା ପାଇଁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି । ଇସ୍ତଫା ପରେ ଅଜିତ ମିଶ୍ରଙ୍କୁ ବିଜେଡି କରିଡରରେ ବରାବର ଦେଖିବାକୁ ମିଳୁଛନ୍ତି । ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନରେ ସୋମବାର ସନ୍ଧ୍ୟାରେ ଅଜିତଙ୍କୁ ଦେଖିବକୁ ମିଳିଛି । ଖାଲି ଆଜି ନୁହେଁ, ଗତ କିଛିଦିନ ହେବ ଡ. ଅଜିତ ମିଶ୍ର ନବୀନ ନିବାସ, ଶଙ୍ଖ ଭବନକୁ ଯିବା ଆସିବା ବଢି ଯାଇଛି ବୋଲି ବିଜେଡି ନେତା ସୂଚନା ଦେଇଛନ୍ତି ।
ଏହା ବି ପଢନ୍ତୁ- ପଦ୍ମ ଛାଡ଼ି ଶଙ୍ଖ ଫୁଙ୍କିଲେ ଇରାନୀ, କହିଲେ ବିଜେପିରେ ମୋ ପ୍ରତି ଅନ୍ୟାୟ ହୋଇଛି