କେନ୍ଦ୍ରାପଡା:ରାଜ୍ୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ଆସନ ଆଳି ନିର୍ବାଚନ ମଣ୍ଡଳୀରେ ଚଳିତଥର ଦେଖିବାକୁ ମିଳିଛି ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା । ବର୍ତ୍ତମାନର ବିଧାୟକ ତଥା ମନ୍ତ୍ରୀ ରାଜନୀତିରେ ବେଶ ଅଭିଜ୍ଞ ପ୍ରତାପ କେଶରୀ ଦେବଙ୍କ ସହ ମୁକାବିଲା କରୁଛନ୍ତି କଂଗ୍ରେସର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଝିଅ ତଥା ପୂର୍ବତନ ବିଧାୟକ ଦିବାକର ଶର୍ମାଙ୍କ ନାତୁଣୀ ଡ଼ଃ ଦେବସ୍ମିତା ଶର୍ମା । ଅନ୍ୟପଟେ ବିଜେପି ଟିକେଟରେ ପ୍ରାର୍ଥୀ ହୋଇଛନ୍ତି ନିର୍ବାଚନୀ ରାଜନୀତିରେ ନବାଗତ କୃଷ୍ଣଚନ୍ଦ୍ର ପଣ୍ଡା ।
କୃଷ୍ଣଚନ୍ଦ୍ର ଏବେ ଘରକୁ ଘର ବୁଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶର ଧାରା ବଜାୟ ରଖିବା ପାଇଁ ଡବଲ ଇଞ୍ଜିନ ସରକାର ଗଢିବା ଦିଗରେ ଆଳି ନିର୍ବାଚନ ମଣ୍ଡଳୀ ଜନତାଙ୍କୁ ନିବେଦନ ରଖୁଛନ୍ତି । ବୃତ୍ତିରେ ପୋଲିସ ବିଭାଗର ହାବିଲଦାର ଥିବା କୃଷ୍ଣଚନ୍ଦ୍ର ୨୦୧୭ ମସିହାରେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ରାଜନୀତିରେ ପାଦ ଥାପିଥିଲେ । ମୋଦିଜୀଙ୍କ ଆହ୍ୱାନ ଏବଂ ଦେଶର ବିକାଶ ଧାରାରେ ନିଜକୁ ସାମିଲ କରିବା ପାଇଁ ସେ ସରକାରୀ ଚାକିରୀ ଛାଡିଥିବା କୁହନ୍ତି ।
ତେବେ ୧୯୫୧ ମସିହାରୁ ଆଳି ବିଧାନସଭା ଆସନରେ ନିର୍ବାଚନ ହୋଇ ଆସୁଥିବା ବେଳେ ଏହି ଆସନ ସର୍ବାଧିକ ଥର ବିଜୁ ଜନତା ଦଳ ଦଖଲରେ ହିଁ ରହିଥିବା ନିର୍ବାଚନ ରେକର୍ଡ କହୁଥିବା ବେଳେ ବର୍ତ୍ତମାନର ବିଧାୟକଙ୍କୁ ସେ କିପରି ମାତ୍ ଦେବେ ସେନେଇ ରଣକୌଶଳ ଆରମ୍ଭ କରିଛନ୍ତି ଭାରତୀୟ ଜନତା ପାର୍ଟିର ଆଳି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର । କାହାରି ନାଁ ନନେଇ କୃଷ୍ଣଚନ୍ଦ୍ର ଆଳିରେ ମାଫିଆ ରାଜ ଚାଲିଥିବା କହିଥିବା ବେଳେ ଲଘୁ ଖଣିଜ ସମ୍ପଦ ବାଲି ବିକ୍ରି କରୁଥିବା ନେତାଙ୍କୁ ଚଳିତଥର ଜନ ସାଧାରଣ ଉଚିତ ଜବାବ ଦେବେ ବୋଲି କହିଛନ୍ତି । ୧୯୫୧ ମସିହାରୁ ହୋଇଥିବା ନିର୍ବାଚନରେ ଆଳି ନିର୍ବାଚନ ମଣ୍ଡଳୀରୁ କନିକା ରାଜା ସ୍ବର୍ଗତଃ ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ ଥରେ ସ୍ୱାଧୀନ ଓ ଦୁଇଥର କଂଗ୍ରେସ ଦଳରୁ ମିଶାଇ ମୋଟ ତିନିଥର ବିଧାୟକ ହୋଇଥିବା ବେଳେ ଆଳି ରାଜା ସ୍ବର୍ଗତଃ ଶରତ ଦେବ ଦୁଇଥର ସ୍ୱତନ୍ତ୍ର ଦଳ, ଥରେ ଜନତା ପାର୍ଟି ଓ ଥରେ ଜେଏନପି(ଏସ)ରୁ ମୋଟ ଚାରିଥର ବିଧାୟକ ହୋଇଛନ୍ତି ।